୧୯୯୯ ମହାବାତ୍ୟାରେ ନିଖୋଜ ହୋଇଥିଲେ ପୁନିଆଁ । ୨୦ ବର୍ଷ ପରେ ମିଳିଲା ଠିକଣା, ପରିବାର ସହ ଏକାଠି କରାଇଲା ଅନୁଗୁଳର ‘ସାଥୀ ପରିବାର’ ।

1,487

କନକ ବ୍ୟୁରୋ : ନିଖୋଜର ୨୦ ବର୍ଷ ପରେ ମିଳିଲା ଠିକଣା । ଘରକୁ ଫେରିଲେ ପୁରୀ ଆଡକିଆ ସାହିର ପୁନିଆଁ ବେହେରା । ପୁନିଆଁକୁ ଘର ଠାରୁ ଅଲଗା କରିଦେଇଥିଲା ୧୯୯୯ର ମହବାତ୍ୟା । ପୁରୀର ପୁନିଆଁ ଅନୁଗୁଳରେ ବୁଲୁଥିବା ବେଳେ ତାଙ୍କ ଠିକଣା ଖୋଜି ଘରକୁ ଫେରାଇ ଆଣିଛନ୍ତି ସାଥୀ ପରିବାର ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ।

ଦୁଇ ଦଶନ୍ଧି ପରେ ମିଳିଲା ଘର ଠିକଣା । ୧୯୯୯ ମହାବାତ୍ୟା ଅଲଗା କରିଥିଲା, ‘ସାଥି ପରିବାର’ ଏକାଠି କଲା । ପୁନିଆଁ ବେହେରା କିଏ ? କ’ଣ ତାଙ୍କ ପରିଚୟ ନା ସେ ଜାଣିଥିଲେ ନା କାହାକୁ ଜଣାଥିଲା । ୨୦ ବର୍ଷ ତଳେ ୧୯୯୯ ମହାବାତ୍ୟା ସମୟରେ ପରିବାର ଠାରୁ ଅଲଗା ହୋଇ ଏଣେତେଣେ ବୁଲୁଥିଲେ । ଘର ପୁରୀ ସଦର ଥାନା ଆଡକିଆ ଶବର ସାହିରେ, ହେଲେ, ଅନୁଗୁଳ ପଲଟିଥିଲା ତାଙ୍କ ଠିକଣା ।

ପୁନିଆଁ ମାନସିକ ଭାରସ୍ୟାମ ହରାଇ ବୁଲାବୁଲି କରୁଥିବା ବେଳେ ଅନୁଗୁଳର ‘ସାଥୀ ପରିବାର’ ନାମକ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନଜରକୁ ଆସିଥିଲେ । ପୁଲିସ ସହାୟତାରେ ପୁନିଆଁଙ୍କ ଘରର ପ୍ରକୃତ ଠିକଣା ପାଇଥିଲେ ସାଥି ପରିବାର । ଏହାପରେ ପୁନିଆଙ୍କୁ ପରିବାର ଲୋକଙ୍କ ପାଖରେ ପହଂଚାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ।

ପୁନିଆଁଙ୍କୁ ସାଥିରେ ଧରି ପୁରୀରେ ପହଂଚିଥିଲେ ଅନୁଗୁଳ ସାଥୀ ପରିବାର । ଦୀର୍ଘ ୨୦ ବର୍ଷ ଧରି ଖୋଜାଖୋଜି କରି ଭାଙ୍ଗି ପଡିଥିବା ସ୍ତ୍ରୀ ଅନିତା ନିଜ ଘର ଅଗଣାରେ ସ୍ୱାମୀଙ୍କୁ ଦେଖି ଆତ୍ମହରା ହୋଇପଡିଥିଲେ । ଆଉ ଜନ୍ମ ପରଠାରୁ ବାପାଙ୍କୁ ଦେଖି ନଥିବା ପୁଅ ଆଲୋକକୁ ବାପାଙ୍କ ସହ ପରିଚିତ କରାଇଥିଲେ ମାଆ । ପୁନିଆଁଙ୍କୁ ଅନୁଗୁଳରୁ ପୁରୀକୁ ଫେରାଇ ଆଣିଥିବା ସାଥୀ ପରିବାରକୁ ଭୁରିଭୁରି ପ୍ରଶଂସା କରିଛନ୍ତି ବୁଦ୍ଧୀଜୀବୀ । ତେବେ କେବଳ ପୁନିଆଁ ନୁହଁନ୍ତି ତାଙ୍କ ପରି ଆହୁରି ଅନେକ ବାଟବଣା ମଣିଷ ଆପଣଙ୍କ ଘର ଚାରିପଟେ ବୁଲୁଛନ୍ତି । ସେମାନଙ୍କୁ ମଧ୍ୟ ସାଥୀ ପରିବାର ଭଳି ଆପଣମାନେ ସହଯୋଗର ହାତ ବଢାନ୍ତୁ । ଦେଖିବେ ସହଯୋଗରେ କେତେ ଆତ୍ମସନ୍ତୋଷ ମିଳେ ।