ବଉଳା କୁମ୍ଭୀର ପାଇଁ ପୃଥିବୀ ବିଖ୍ୟାତ ଭିତରକନିକା । ୯୯ଟି ଅଣ୍ଡାରୁ କୃତ୍ରିମ ଉପାୟରେ ହେଲା ପ୍ରଜନନ, କୁନି କୁମ୍ଭୀରଙ୍କୁ ଦେଖିବା ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ ।

545

କନକ ବ୍ୟୁରୋ : ବିଶ୍ୱ ପ୍ରସିଦ୍ଧ ଭିତରକନିକାରେ ଏବେ ପର୍ଯ୍ୟଟକଙ୍କ ଭିଡ । ବଉଳା କୁମ୍ଭୀରଙ୍କୁ ଦେଖିବା ପାଇଁ ବେଶ ଉତ୍ସାହିତ ପର୍ଯ୍ୟଟକ । ଏହାରି ଭିତରେ ଭିତରକନିକାରେ କୃତ୍ରିମ ଉପାୟରେ କୁମ୍ଭୀର ପ୍ରଜନନ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରୁଛି । ବନ ବିଭାଗର ଏହି ନିଆରା ପ୍ରୟାସକୁ ବୁଦ୍ଧିଜୀବୀମାନେ ସ୍ୱାଗତ କରିଛନ୍ତି ।

ବଉଳା କୁମ୍ଭୀର ପାଇଁ ପୃଥିବୀ ବିଖ୍ୟାତ ଭିତରକନିକା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୃତ୍ରିମ ଉପାୟରେ କୁମ୍ଭୀର ପ୍ରଜନନ କରାଯାଇଛି । ପ୍ରାୟ ୪୯ ବର୍ଷ ହେବ କୃତ୍ରିମ ଉପାୟରେ କୁମ୍ଭୀର ପ୍ରଜନନ କରାଯାଉଛି । ଯାହାକୁ ଦେଖିବା ପାଇଁ ଜାତୀୟ ଉଦ୍ୟାନ ଭିତରକନିକାରେ ଦେଶ ବିଦେଶର ପର୍ଯ୍ୟଟକଙ୍କ ଭିଡ ଲାଗୁଛି । ୧୯୭୦ ମସିହାରେ ସମଗ୍ର ଭାରତରେ କୁମ୍ଭୀରମାନଙ୍କ ସଂଖ୍ୟା ନଗଣ୍ୟ ବୋଲି ଜଣା ପଡିବା ପରେ ସେମାନଙ୍କ ବଂଶ ବୃଦ୍ଧି ଓ ବାସସ୍ଥଳୀ ପାଇଁ ଭିତରକନିକାକୁ ବାଛିଥିଲେ ତତ୍କାଳୀନ କେନ୍ଦ୍ର ସରକାର ଓ ଜାତିସଙ୍ଘର କୃଷି ଓ ଖାଦ୍ୟ ସଂସ୍ଥା । ସେବେ ଠାରୁ ଅଭୟାରଣ୍ୟର ଡାଙ୍ଗମାଳରେ କୃତ୍ରିମ ଉପାୟରେ କୁମ୍ଭୀର ପ୍ରଜନନ କରାଯାଉଛି । କୃତ୍ରିମ ପ୍ରଜନନ କେନ୍ଦ୍ର ସ୍ଥାପନ ହେବା ପରବର୍ଷ କାଳିବଞ୍ଝଡିହ ଜଙ୍ଗଲରୁ ୨୫ଟି ଅଣ୍ଡା ସଂଗ୍ରହ କରାଯାଇ କୃତ୍ରିମ ଉପାୟରେ ଛୁଆ ଫୁଟାଯାଇଥିଲା । ଆଜି ପର୍ଯ୍ୟନ୍ତ ଏହି ନିଆରା ପ୍ରୟାସ ଜାରି ରଖିଛି ବନବିଭାଗ ।

ପ୍ରଜନନ ଋତୁ ସମୟରେ ବଉଳା କୁମ୍ଭୀର ଭିତରକନିକା ସମେତ ମହାକାଳପଡା, ରାଜନଗର, ଡାଙ୍ଗମାଳ ଅଂଚଳର ଭିଭିନ୍ନ ନଦୀନାଳ ପଠାରେ ଅଣ୍ଡା ଦେଇଥାନ୍ତି । ଅନେକ ସମୟରେ ଜୁଆର ମାଡରେ ଅଧିକାଂଶ ଅଣ୍ଡା ନଷ୍ଟ ହୋଇଯାଇଥାଏ । ଯାହା ଯେତିକି ଅଣ୍ଡା ମିଳେ ତାକୁ ବନବିଭାଗର କର୍ମଚାରିମାନେ ସଂଗ୍ରହ କରି ଗବେଷଣା କେନ୍ଦ୍ରରେ ରଖିଥାନ୍ତି । ଅଣ୍ଡାଗୁଡିକୁ ଖରଖରି ପତ୍ର ଘୋଡାଇ ଉପଯୁକ୍ତ ତାପମାତ୍ରାରେ କୃତ୍ରିମ ଉପାୟରେ ୭୫ରୁ ୭୮ ଦିନ ମଧ୍ୟରେ ଛୁଆ ବାହାର କରାଯାଏ । ପ୍ରାୟ ୩୦ରୁ ୪୦ ଦିନ ସେମାନଙ୍କୁ ଖାଦ୍ୟଦେଇ ତାର ଜାଲି ହାନଚେରି ମଧ୍ୟରେ ରଖାଯାଏ । ଆଉ କୁମ୍ଭୀର ଛୁଆମାନେ ନିଜେ ଶିକାର କରି ଖାଦ୍ୟ ଖାଇବା ଶିଖିବା ପରେ ସେମାନଙ୍କୁ ଭିତରକନିକା ନଦୀରେ ଛାଡିଦିଆଯାଏ । ତେବେ ଚଳିତ ବର୍ଷ ୯୯ଟି ଅଣ୍ଡାରୁ କୃତ୍ରିମ ଉପାୟରେ କୁମ୍ଭୀର ଛୁଆ ବାହାର କରାଯାଇଛି । ସାରା ଭାରତ ବର୍ଷରେ ଦିନକୁ ଦିନ କୁମ୍ଭୀର ସଂଖ୍ୟା କମୁ ଥିବାବେଳେ ଡାଙ୍ଗମାଳରେ କୃତ୍ରିମ ଉପାୟରେ କୁମ୍ଭୀର ପ୍ରଜନନ କରାଯାଉଛି । ଫଳରେ ଭିତରକନିକାରେ ପ୍ରତିବର୍ଷ କୁମ୍ଭୀର ସଂଖ୍ୟା ବୃଦ୍ଧିପାଇବା ଦେଖିବାକୁ ମିଳିଛି ।