ଗରିବ ମହିଳାଙ୍କ ପାଇଁ ମସିହା ସାଜିଛି ‘ଡ୍ରାଇଭର୍ ବେନ୍ ପ୍ରୋଜେକ୍ଟ’ ! ଅଟୋ , କ୍ୟାବ୍ , କାର୍ , ସ୍କୁଲବସ୍ ରେ ଦେଖିବାକୁ ମିଳୁଛି ମହିଳାଙ୍କ ମ୍ୟାଜିକ୍

174

ସମୟ ଥିଲା ନାରୀଟିଏ ମୁଣ୍ଡରେ ଓଢଣା ଦେଇ ଘର ଭିତରେ ସୀମିତ ହୋଇରହୁଥିଲା । ସ୍ୱାମୀ,ସନ୍ତାନଙ୍କ ସେବାରେ ହିଁ ସମୟ ବିତାଉଥିଲା । କିନ୍ତୁ ଏବେ ବଦଳିଛି ସମୟ । ଓଢଣା ଭିତରେ ନ ଲୁଚି ଦାଣ୍ଡକୁ ପାଦ କାଢିଲେଣି ମହିଳା । ଧିରେ ଧିରେ ମହିଳା ସଶକ୍ତିକରଣର ଉଦାହରଣ ଦେଖିବାକୁ ମିଳୁଛି । ଏଭଳି କିଛି ମହିଳାଙ୍କୁ ରୋଜଗାରକ୍ଷମ କରିଛି ଗୁଜୁରାଟ ଅହମ୍ମଦାବାଦର ଏକ ସାମାଜିକ ସଂଗଠନ । ଜନବିକାଶ ସଂଗଠନ ଏବଂ ଆଜାଦ୍ ଫାଉଣ୍ଡେସନ୍ ଦ୍ୱାରା ନିର୍ମିତ ହୋଇଥିବା ଏହି ସଂଗଠନର ନାଁ ରହିଛି ‘ଡ୍ରାଇଭର୍ ବେନ୍ : ଏକ ନୂଆ ପରିଚୟ’ । ଏହି ପ୍ରୋଜେକ୍ଟର ଉଦେ୍ଧଶ୍ୟ ହେଉଛି ଗରିବ ଶ୍ରେଣୀରୁ ଆସିଥିବା ମହିଳା ତଥା ଝିଅମାନଙ୍କୁ “ଡ୍ରାଇଭର୍ ପ୍ରୋଜେକ୍ଟ” ମାଧ୍ୟମରେ ଡ୍ର୍ରାଇଭିଂ ଟ୍ରେନିଙ୍ଗ୍ ଦେଇ ରୋଜଗାରକ୍ଷମ କରିବା । ଏହାଦ୍ୱାରା ମହିଳାଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଏବଂ ଆତ୍ମରକ୍ଷାର ଶିକ୍ଷା ମିିଳିବ । ସେମାନଙ୍କୁ ଏକ ଉଜ୍ଜ୍ୱଳ ଭବିଷ୍ୟତର ମାର୍ଗ ମିଳିବ । ୨୦୧୬ ରେ ଆରମ୍ଭ ହୋଇଥିବା ଏହି ପ୍ରୋଜେକ୍ଟର ମୁଖ୍ୟ ହେଉଛନ୍ତି କୀର୍ତ୍ତି ଯୋଶୀ । ୬ ମାସର ଏହି କୋର୍ସରେ ମହିଳାଙ୍କୁ କେବଳ ଡ୍ରାଇଭିଂ ନୁହଁ ସେଲ୍ଫ ଡିଫେନ୍ସ , ସେକ୍ସ ଆଣ୍ଡ ଜେଣ୍ଡର ୱାର୍କସପର ମଧ୍ୟ ଟ୍ରେନିଂ ଦିଆଯାଏ ।

ତେବେ ଏହି ପ୍ରୋଜେକ୍ଟରେ କିଛି ମହିଳାଙ୍କୁ ବ୍ୟକ୍ତିଗତ ଡ୍ରାଇଭର୍ ପାଇଁ ମଧ୍ୟ ଅଫର୍ ଆସିଥିଲା । କିନ୍ତୁ ସେଠାରେ ତାଙ୍କୁ ଅନ୍ୟ ସବୁ କାମ ଯେଭଳି ପରିବା କାଟିବା ଏବଂ ଲୁଗା ଶୁଖାଇବା ଭଳି କାମ କରିବାକୁ କୁହାଯାଇଥିଲା । କିନ୍ତୁ ପ୍ରୋଜେକ୍ଟରେ ନିଜ କାମକୁ ଗର୍ବ ଏବଂ ସମ୍ମାନର ସହ କରିବା ପାଇଁ କୁହାଯାଇଥିବା ବେଳେ ଅନ୍ୟ କାମକୁ ସିଧାସଳଖ ନା କହିବା ପାଇଁ ମଧ୍ୟ କୁହାଯାଇଥିଲା । ମହିଳାଙ୍କ ଆତ୍ମବିଶ୍ୱାସ ଏବଂ ଦୃଢତାର ଭାବନାକୁ ଆହୁରି ଉଚ୍ଚକୁ ନେବାକୁ ହିଁ ଡ୍ରାଇଭର୍ ବେନ୍ ର ଟ୍ରେନିଙ୍ଗ୍ ଦିଆଯାଏ ।

ପରିବାର ହେଉ କିମ୍ବା ସମାଜର କୁଠାରଘାତ ଆଗରେ ହାର୍ ମାନିଥିବା ମହିଳାଙ୍କ ଆତ୍ମବିଶ୍ୱାସକୁ ଜାଗ୍ରତ କରିବାରେ ଏହି ପ୍ରୋଜେକ୍ଟ କାମ କରୁଛି । ୧୦ ଜଣ ମହିଳାଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ପ୍ରୋଜେକ୍ଟ ଆଜି ଅହମ୍ମଦାବାଦର ଶହ ଶହ ମହିଳାଙ୍କୁ ରୋଜଗାରକ୍ଷମ କରିବାରେ ସଫଳ ହୋଇଛି ।