ଆହୁରି ମହଙ୍ଗା ହେବ ପେଟ୍ରୋଲ୍, ଡିଜେଲ ! ଅଶୋଧିତ ତୈଳ ଦର ୧୦୦ ଡଲାର ଟପିବ
କନକ ବ୍ୟୁରୋ : ଏବେ ଉଚ୍ଚ ସ୍ତରରେ ଥିବା ପେଟ୍ରୋଲ୍ ଏବଂ ଡିଜେଲର ଖୁଚୁରା ଦର ଆଗାମୀ ଦିନରେ ଆହୁରି ବଢ଼ିବ । କାରଣ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଆହୁରି ମହଙ୍ଗା ହେବ । ଏବେ ଅଶୋଧିତ ତେଲର ବ୍ୟାରେଲ ପିଛା ଦର ୬୫-୭୦ ଡଲାର ଭିତରେ ରହିଛି । ଗତବର୍ଷ ଜୁଲାଇ ପରଠାରୁ ଏହାର ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି । ବୃଦ୍ଧିର ଧାରା ଜାରି ରହିଛି ଏବଂ ଏହା ଆଗକୁ ମଧ୍ୟ ବଜାୟ ରହି ବ। ୨୦୧୯ ବେଳକୁ ଏହି ଦର ୧୦୦ ଡଲାର ଟପିଯିବ ବୋଲି ‘ଇଣ୍ଟରନ୍ୟାନସନାଲ୍ ଏନର୍ଜି ଏଜେନ୍ସି’ ଆକଳନ କରିଛି । ଅଶୋଧିତ ତୈଳ ଦର ଶୀଘ୍ର ତିନି ଅଙ୍କ ବିଶିଷ୍ଟ ସଂଖ୍ୟାରେ ପହଞ୍ଚିବ ବୋଲି ଏହି ଏଜେନ୍ସି ଆକଳନ କରିଛି । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମହଙ୍ଗା ହେଲେ ସ୍ଥାନୀୟ ବଜାରରେ ଏହା ଖୁଚୁରା ଦର ବୃଦ୍ଧିର କାରଣ ହେବ । ଏବେ ଅଶୋଧିତ ତେଲ ଦର ୬୫ ଡଲାର ଥିବା ବେଳେ ପେଟ୍ରୋଲର ଲିଟର ପିଛା ମୂଲ୍ୟ ୭୧ ଟଙ୍କା ପାଖାପାଖି ଏବଂ ଡିଜେଲ ଦର ୬୭ ଟଙ୍କା ପାଖାପାଖି ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଯଦି ଅଶୋଧିତ ତେଲ ଦର ୧୦୦ ଡଲାରରେ ପହଞ୍ଚିଯିବ ତେବେ ଖୁଚୁରା ଦର ଆହୁରି କେତେ ବଢ଼ିଯିବ ତାହା ସହଜରେ ଅନୁମାନ କରାଯାଇପାରିବ । ଭାରତରେ ପେଟ୍ରୋଲ୍ ଏବଂ ଡିଜେଲ ଦରରେ ଏକ ବଡ଼ ଭାଗ କେନ୍ଦ୍ର ଓ ରାଜ୍ୟର ଟିକସ ରହିଛି । ଯଦି ଆନ୍ତର୍ଜାତିକ ସ୍ତରରେ ଦର ବଢ଼ିଚାଲିବ ଏବଂ ସରକାର ଟିକସ ପରିମାଣ କମାଇବେନି, ତେବେ ପେଟ୍ରୋଲ, ଡିଜେଲ ବହୁତ ମହଙ୍ଗା ହୋଇଯିବ । ତେଲ କଂପାନିଗୁଡ଼ିକୁ ପେଟ୍ରୋଲ ଏବଂ ଡିଜେଲ ଦର ନିର୍ଧାରଣ କରିବାର ସ୍ୱାଧୀନତା ମିଳିଛି । ଦର ନିର୍ଧାରଣ ପ୍ରକ୍ରିୟା ଉପରେ ସରକାରଙ୍କର କୌଣସି ନିୟନ୍ତ୍ରଣ ନାହିଁ । ତେଣୁ କଂପାନିଗୁଡ଼ିକ ନିଜ ବ୍ୟବସାୟକୁ ବଞ୍ଚାଇବା ଦର ଯେତିକି ବଢ଼ାଇବା ଦରକାର ତାହା ନିଶ୍ଚିତ ବଢ଼ାଇବେ ।
ଭୁବନେଶ୍ୱରରେ ପେଟ୍ରୋଲ୍ର ଲିଟର ପିଛା ଦର ୭୧ ଟଙ୍କାରୁ ଅଧିକ ହୋଇଛି । ପେଟ୍ରୋଲ୍ ଦର ୭୧ ଟଙ୍କା ୮ ପଇସା ହୋଇଥିବା ବେଳେ ଡିଜେଲର ଲିଟର ପିଛା ଦର ମଧ୍ୟ ୬୭ ଟଙ୍କା ୫୯ ପଇସା ହୋଇଛି । କ୍ରମାଗତ ଭାବେ ଏହି ଦୁଇ ଇନ୍ଧନର ଦର ବଢ଼ୁଛି । ଦେଢ଼ ମାସ ଭିତରେ ପେଟ୍ରୋଲ୍ ଦର ୩ ଟଙ୍କାରୁ ଅଧିକ ଏବଂ ଡିଜେଲ ଦର ୫ ଟଙ୍କାରୁ ଅଧିକ ବଢ଼ିସାରିଲାଣି। ପ୍ରତିଦିନ ଡିଜେଲ ଦରରେ ୧୫-୨୫ ପଇସା ଭଳି ବୃଦ୍ଧି ହେଉଛି। କିଛି ଦିନ ହେଲାଣି ପେଟ୍ରୋଲ୍ ଦର ବି ସେହି ପରିମାଣରେ ବଢ଼ୁଛି ।
ତେଲ ଦରକୁ ନେଇ ଆଜି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ସେ ସରକାରଙ୍କୁ ଖାଉଟି ବିରୋଧୀ ବୋଲି କହିଛନ୍ତି। ଗ୍ରାହକମାନଙ୍କୁ ଦର ବୃଦ୍ଧି କବଳରୁ ବଞ୍ଚାଇବା ପାଇଁ ପେଟ୍ରୋଲିୟମ୍ ସାମଗ୍ରୀକୁ ଶୀଘ୍ର ଜିଏସ୍ଟି ଅନ୍ତର୍ଭୁକ୍ତ କରିବାକୁ ସେ ଆହ୍ଵାନ ଦେଇଛନ୍ତି । ଏଚ୍ପିସିଏଲ୍କୁ ଓଏନ୍ଜିସିର ଅଧିଗ୍ରହଣ ନିଷ୍ପତ୍ତିକୁ ମଧ୍ୟ ସେ ସମାଲୋଚନା କରିଛନ୍ତି ।