ହିଜାବ ପରେ ଝିଅଙ୍କ ପାଠପଡାକୁ ନେଇ ତାତୁଛି ଇରାନ ମାଟି । ଦେଶର ଝିଅମାନଙ୍କ ଉପରେ ବଢୁଛି ବର୍ବରତା ।

96

କନକ ବ୍ୟୁରୋ: ଇରାନରେ ଅସୁରକ୍ଷିତ ହୋଇପଡିଛନ୍ତି ସ୍କୁଲ ଛାତ୍ରୀ । ଗତ ନଭେମ୍ବରରୁ ଫେବ୍ରୁଆରୀ ୪ ମାସ ମଧ୍ୟରେ ଶହ ଶହ ଛାତ୍ରୀ ଅସୁସ୍ଥ ହୋଇ ସହରର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଛାତ୍ରୀଙ୍କ ଠାରେ ବିଷାକ୍ତ ରାସାୟନିକ ଦ୍ରବ୍ୟ ମିଳିଛି, ଯାହା ଦେଶ ପାଇଁ ଚିନ୍ତା ବଢାଇଛି । ତେବେ କାହିଁକ ଓ କାହା ଇଙ୍ଗିତରେ ଏସବୁ ହେଉଛି, କିଏ ଏହା ପଛରେ ଦାୟୀ?

  • ଅଡୁଆରେ ଇରାନର ଛାତ୍ରୀ
  • ସ୍କୁଲ ଯିବାକୁ କରାଯାଉଛି ବାରଣ

ଇରାନରେ ସୁରକ୍ଷିତ ନାହାନ୍ତି ସ୍କୁଲ ଛାତ୍ରୀ । ଝିଅମାନଙ୍କୁ ବିଦ୍ୟାଳୟଠୁ ଦୂରରେ ରଖାଯାଉଛି । ଏପରିକି ସ୍କୁଲ ନ ଯିବାକୁ ସେମାନଙ୍କୁ ବିଷ ଦେଇ ମାରିଦିଆଯାଉଛି । ହିଜାବକୁ ନେଇ ଉପୁଜିଥିବା ବିବାଦ ଏବେ ହତ୍ୟାର ରୂପ ନେଇଛି । ସ୍କୁଲକୁ ଛାତ୍ରୀଙ୍କୁ ନ ପଠାଇବାକୁ ଏଭଳି ଷଡଯନ୍ତ୍ର କରାଯାଉଛି । କିଛି ନିଦ୍ଦିଷ୍ଟ ଉଗ୍ରବାଦୀ ଗୋଷ୍ଠୀ ଏଭଳି କାଣ୍ଡ କରିଛନ୍ତି । ଏନେଇ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି ଇରାନର ଉପ ସ୍ୱାସ୍ଥ୍ୟ ମନ୍ତ୍ରୀ ୟୁନସ୍ ପାନାହୀ । ତାଙ୍କ କହିବା ମୁତାବିକ ରାଜଧାନୀ ତେହେରାନର ଦକ୍ଷିଣରେ ଥିବା କୋମ୍ ସହରରେ ପ୍ରଥମେ ଛାତ୍ରୀମାନେ ଅସୁସ୍ଥ ହୋଇଥିଲେ । ପରେ କ୍ରମାଗତ ଭାବେ ଦେଶର ବିଭିନ୍ନ ସ୍ଥାନରେ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

  • ବିପଦରେ ସ୍କୁଲ ଛାତ୍ରୀଙ୍କ ଜୀବନ
  • ଖାଦ୍ୟରେ ଦିଆଯାଉଛି ବିଷ

ଗତ ନଭେମ୍ବରରେ ହଠାତ୍ ଦେଶର କେତେକ ସ୍କୁଲର ଛାତ୍ରୀମାନେ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କ ଠାରେ ବାନ୍ତି, ମୁଣ୍ଡବିନ୍ଧା, ଶ୍ୱାସକ୍ରିୟା ଭଳି ସମସ୍ୟା ଦେଖାଦେଇଥିଲା ଏବଂ ସମସ୍ତ ଅସୁସ୍ଥଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ହେଲେ ଏବେ ଯେଉଁ ରିପୋର୍ଟ ସାମ୍ନାକୁ ଆସିଛି, ତାହା ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି । ଛାତ୍ରୀଙ୍କ ଖାଦ୍ୟରେ ବିଷାକ୍ତ ରାସାୟନିକ ଦ୍ରବ୍ୟ ମିଶିଥିବା ନେଇ ରିପୋର୍ଟ ଆସିଛି । ପରେ ଅନୁସନ୍ଧାନରୁ ଏକ ଚାଚଲ୍ୟକର ଖୁଲାସା ମଧ୍ୟ ଜଣାପଡିଛି । କିଛି ଲୋକେ ଚାହୁଁଛନ୍ତି ଝିଅମାନେ ବିଦ୍ୟାଳୟ ନ ଯାଆନ୍ତୁ । ଦେଶରୁ ବାଳିକାଙ୍କ ବିଦ୍ୟାଳୟ ବନ୍ଦ ହେଉଯାଉ । ଏଥିପାଇଁ ସେମାନେ ହତ୍ୟା କରିବାକୁ ବି ପଛାଉ ନାହାନ୍ତି ।

ଏହି ଘଟଣା ନଭେମ୍ବରର କୋମ୍ର ଏକ ବିଦ୍ୟାଳୟରୁ ଆରମ୍ଭ ହୋଇଥିଲା । ପରେ ୪ଟି ସହରର ୧୪ଟି ବିଦ୍ୟାଳୟକୁ ଟାଗେର୍ଟ କରାଯାଇଥିଲା । ତେବେ ଏ ମାମଲାରେ ଏବେ ସୁଦ୍ଧା କାହାରିକୁ ଗିରଫ କରାଯାଇନାହିଁ । ସେପଟେ ଘଟଣାକୁ ନେଇ ଚାରିଆଡୁ ବିରୋଧର ସ୍ୱର ଦେଖିବାକୁ ମିଳିଛି ।