ଚୀନ ସେନାର ଅନୁପ୍ରବେଶକୁ ନେଇ ମୁହଁ ଖୋଲିଲା ଭାରତ ! ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଲା, ପିପୁଲ୍ସ ଲିବରେସନ ଆର୍ମିକୁ ରୋକିଥିଲେ ଭାରତୀୟ ଯବାନ

43

କନକ ବ୍ୟୁରୋ: ଲଦାଖରେ ଚୀନ୍ ସେନା ସହ ମୁହାଁମୁହିଁ ହୋଇଥିଲେ ଭାରତୀୟ ସେନା । ଏକଥାକୁ ସ୍ୱୀକାର କରିଛନ୍ତି ଭାରତ ସରକାର । ପେଙ୍ଗୋଙ୍ଗ ହ୍ରଦ ନିକଟରେ ଚୀନ୍ ସେନା ଭାରତୀୟ ସୀମା ଭିତରେ ଅନୁପ୍ରବେଶ ଉଦ୍ୟମ କରିଥିଲେ । ଆଉ ଚୀନ ସେନା ପଥର ମାଡ଼ କରିଥିଲେ । ଜବାବରେ ଭାରତୀୟ ସେନା ମଧ୍ୟ ଢେଲା ପଥର ମାଡ଼ କରିଥିଲେ ।

ଫଳରେ ଉଭୟ ପକ୍ଷର ଯବାନ ଆହତ ହୋଇଥିଲେ । ଗତ ୧୫ ତାରିଖରେ ଭାରତ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ସୀମାରେ ଚୀନ୍ ସେନା ସହ ମୁହାଁମୁହିଁ ପରିସ୍ଥିତି ହୋଇଥିଲା । କିନ୍ତୁ ଏହି ଘଟଣାକୁ ନେଇ ସେତେବେଳେ ସରକାର ନୀରବ ରହିଥିଲେ ମଧ୍ୟ ଏକଥା ସ୍ୱୀକାର କରିଛି ବୈଦେଶିକ ମନ୍ତ୍ରାଳୟ ।

ଅନ୍ୟପଟେ, ସୀମା ବିବାଦକୁ ନେଇ ଚୀନ ସହ ଭାରତ ମୁହାଁମୁହିଁ ସ୍ଥିତିରେ ରହିଥିବାବେଳେ ଆଜିଠାରୁ ଲଦାଖ ଗସ୍ତ କରିବେ ସେନା ମୁଖ୍ୟ ବିପିନ ରାୱତ । ତିନି ଦିବସୀୟ ଲଦାଖ ଗସ୍ତ କରିବେ ରାୱତ ।ଆସନ୍ତା ୨୧ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲଦାଖ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ଏହା ପୂର୍ବରୁ ସେନା ମୁଖ୍ୟ ସେଠାରେ ପହଂଚି ପରିସ୍ଥିତି ତଦାରଖ କରିବେ । ଏଭଳି ଉତ୍ତେଜନାପୂର୍ଣ୍ଣ ସ୍ଥିତିରେ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ କିଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ତାର ସମୀକ୍ଷା କରିବେ ସ୍ଥଳସେନା ମୁଖ୍ୟ ।