ଇସ୍ତଫା ଦେବେ ନାହିଁ ଉଦ୍ଧବ ଠାକରେ, କ୍ୟାବିନେଟ ବୈଠକରେ ମିଳିଲା ସମର୍ଥନ

128

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଚାଲିଥିବା କ୍ଷମତା ଲଢେଇ ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କ୍ୟାବିନେଟ ବୈଠକ କରିଛନ୍ତି । ବୈଠକରେ ଉଦ୍ଧବ ଠାକରେ ଇସ୍ତଫା ଦେବେ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି । ସେପଟେ ଉଦ୍ଧବ ଠାକରେଙ୍କ ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ବୈଠକରେ ଉପସ୍ଥିତ ଥିବା କଂଗ୍ରେସ ଓ ଏନସିପିର ବିଧାୟକମାନେ । ବୈଠକର କିଛି ସମୟ ପୂର୍ବରୁ ଏନସିପି ପ୍ରମୁଖ ଶରଦ ପାୱାର ବି ଉଦ୍ଧବଙ୍କୁ ସମାନ ପରାମର୍ଶ ଦେଇଥିଲେ ।

ସେପଟେ ଏକ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ପ୍ରହାର ପାର୍ଟି ବି ଉଦ୍ଧବ ସରକାରଙ୍କୁ ଦେଇଥିବା ସମର୍ଥନ ପ୍ରତ୍ୟାହାର କରିବାକୁ ଯାଉଛି । ପ୍ରହାର ପାର୍ଟି ନିକଟରେ ଏବେ ୯ ଜଣ ବିଧାୟକ ରହିଛନ୍ତି । ପ୍ରହାର ପାର୍ଟିର ମୁଖ୍ୟ ବଚୁ କାଡୁ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବା ନେଇ ରାଜ୍ୟପାଳଙ୍କୁ ତୁରନ୍ତ ଚିଠି ଲେଖିବେ ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ କରୁଥିବା ବିନାୟକ ରାୱତ ଦାବି କରିଛନ୍ତି କି ସିନ୍ଦେ ଗ୍ରୁପରେ ଥିବା ବିଧାୟକଙ୍କ ମଧ୍ୟରୁ ୨୦ ଜଣ ବିଧାୟକ ଉଦ୍ଧବ ଠାକରେଙ୍କୁ ସମର୍ଥନ ଦେବାକୁ ରାଜି ହୋଇଛନ୍ତି । ଖୁବଶୀଘ୍ର ସେମାନଙ୍କ ନାମ ସାର୍ବଜନୀନ କରାଯିବ ବୋଲି ସେ କହିଛନ୍ତି ।

ଏନସିପି ନେତ୍ରୀ ସୁପ୍ରିୟା ସୋଲେ ବିଦ୍ରୋହୀ ବିଧାୟକ ଓ ଏକନାଥ ସିନ୍ଦେଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି ବିଦ୍ରୋହୀ ଗ୍ରୁପ ପାଖରେ ବହୁମତ ନାହିଁ । ଏହାସହ ସେମାନେ ବିଦ୍ରୋହ ଛାଡି ଉଦ୍ଧବଙ୍କ ସହ ତୁରନ୍ତ ଆଲୋଚନା କରିବାକୁ ବିଦ୍ରୋହୀ ବିଧାୟକମାନଙ୍କୁ ପରାମର୍ଶ ଦେଇଛନ୍ତି ।