ଶେଷଯାତ୍ରାରେ ସୁଶୀଲ ମୋଦୀ । ପଟନାରେ ଅନ୍ତିମ ସଂସ୍କାର । ବିହାର ବିଜେପିର ୱାନ ମ୍ୟାନ ଆର୍ମିଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ସହ ବିଦାୟ ।

188

କନକବ୍ୟୁରୋ : ଇଏ ଥିଲେ ବିହାର ରାଜ୍ୟ ରାଜନୀତିର ଜଣେ ତୁଙ୍ଗ ନେତା । ରାଜନୀତି ପରିବାରରୁ ଆସିନଥିଲେ କିନ୍ତୁ ବିହାରଠୁ ଜାତୀୟ ରାଜନୀତିରେ ଜଣେ ପ୍ରଭାବଶାଳୀ ନେତା ହୋଇପାରିଥିଲେ । ପୋଷାକ ବ୍ୟବସାୟରୁ ବିହାର ଉପମୁଖ୍ୟମନ୍ତ୍ରୀ ହେବା ଯାତ୍ରା ବେଶ ରୋଚକ ଥିଲା । କୁହାଯାଏ ବିହାରକୁ ଦୀର୍ଘବର୍ଷ ଧରି କାବୁ କରି ରଖିଥିବା ବିହାର-ଜେଡିୟୁ ମେଂଟକୁ ଭାଙ୍ଗି ବିଜେପି ସରକାର ଗଠନ କରିବାରେ ୟାଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ଇଏ ଥିଲେ ବିହାର ବିଜେପିର ୱାନ ମ୍ୟାନ ଆର୍ମି ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଳ ମୋଦୀ ସ୍କୁଲରୁ ପାଠ ସାରି ଆରଏସଏସରେ ସାମିଲ ହୋଇଥିଲେ ସୁଶୀଳ ।

୧୯୭୩ରେ ପଟନା ବିଶ୍ୱବିଦ୍ୟାଳୟରେ ଛାତ୍ରନେତା ହେବା ସହ ଆନ୍ଦୋଳନରେ ସାମିଲ ହୋଇଥିଲେ । ୧୯୮୫ ସୁଦ୍ଧା ଜଣେ ଟାଣୁଆ ତଥା ଲୋକପ୍ରିୟ ଛାତ୍ର ନେତାଭାବେ ପରିଚୟ ବନାଇପାରିଥିଲେ । ୧୯୯୦ ମସିହାରେ ସକ୍ରିୟ ରାଜନୀତିରେ ପାଦ ଦେବା ପରେ ୧୯୯୬ରୁ ୨୦୦୪ ପର୍ଯ୍ୟନ୍ତ ବିଧାନସଭାରେ ବିରୋଧୀ ଦଳ ନେତା ଦାୟିତ୍ୱ ତୁଳାଇଥିଲେ । ତେବେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଚାରା ଦୁର୍ନୀତିର ପର୍ଦ୍ଦାଫାଶ କରି ଜନସ୍ୱାର୍ଥ ମାମଲା ରୁଜୁ କରି ଚର୍ଚ୍ଚାକୁ ଆସିଥିଲେ ।

୪୮ଘଂଟା ସାମ୍ବାଦିକ ସମ୍ମିଳନୀ ଖବର ଶିରୋନାମା ପାଲଟିଥିଲା ।୨୦୦୪ରେ ଲୋକସଭା ନିର୍ବାଚନ ଲଢ଼ିଲେ ଓ ୨୦୦୫ରେ ବିହାରର ଉପମୁଖ୍ୟମନ୍ତ୍ରୀ ହେଲେ । ୨୦୧୦ରେ ମଧ୍ୟ ପୁଣି ଥରେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ସୁଶୀଳ । ସୁଶୀଳ ବିହାର ବିଜେପିର ୱାନ ମ୍ୟାନ ଆର୍ମି ଭାବେ ଯେତିକି ଜଣାଯାଉଥିଲେ ଜଣେ ଧୁରନ୍ଧର ରାଜନେତା ଭାବେ ପରିଚୟ କରିପାରିଥିଲେ । ସବୁଠୁ ବଡ କଥା ହେଉଛି ପ୍ରେମ ପାଇଁ ଆରଏସଏସ ଓ ରାଜନୀତିରୁ କିଛି ବର୍ଷ ପାଇଁ ଦୂରେଇ ଯାଇଥିଲେ । ବିଧାତାର ନିୟମ କିଛି ଅଲଗା ଥିଲା । ୧୯୯୦ ମସିହାରେ ପୁଣି ବିହାର ରାଜନୀତିକୁ ଫେରିଥିଲେ । ସୋମବାର କର୍କଟ ରୋଗରେ ପରଲୋକ ହେବା ପରେ ମଙ୍ଗଳବାର ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ସୁଶୀଳଙ୍କ ବିୟୋଗ ରାଜନୀତିରେ ଅପୂରଣୀୟ ସ୍ଥାନ ସୃଷ୍ଟି କରିଛି ।