ଗୋପନୀୟତା ମୌଳିକ ଅଧିକାର ! ସୁପ୍ରିମକୋର୍ଟରେ କେଉଁ ୯ ଜଣିଆ ବିଚାରପତିଙ୍କ ସାମ୍ବିଧାନିକ ପୀଠ ନେଲେ ନିର୍ଣ୍ଣୟ. . . ଆସନ୍ତୁ ଜାଣିବା
ରାଇଟ ଟୁ ପ୍ରାଇଭେସି ମାମଲାରେ ଆଜି ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଆସିଛି । ଗୋପନୀୟତା ମୌଳିକ ଅଧିକାର ବୋଲି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ରାଇଟ ଟୁ ପ୍ରାଇଭେସିକୁ ସୁପ୍ରିମକୋର୍ଟ ମୌଳିକ ଅଧିକାର ସ୍ୱୀକାର କରି ଏହା ସପକ୍ଷରେ ରାୟ ଦେଇଛନ୍ତି । ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ୯ ଜଣିଆ ବିଚାରପତିଙ୍କ ସାମ୍ବିଧାନିକ ପୀଠ ଏହି ରାୟ ଶୁଣାଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସମ୍ବିଧାନର ଅନୁଚ୍ଛେଦ ୨୧ ଆଧାରରେ ଗୋପନୀୟତାକୁ ମୌଳିକ ଅଧିକାର ଅନ୍ତର୍ଭୁକ୍ତ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବରୁ ବିଭିନ୍ନ ସମୟରେ ଏକାଧିକ ଥର ସୁପ୍ରିମକୋର୍ଟର ଖଣ୍ଡପୀଠ ସବୁ ଏହାକୁ ମୌଳିକ ଅଧିକାର ନୁହେଁ ବୋଲି ଦେଇଥିବା ରାୟକୁ ଖଣ୍ଡନ କରିଛନ୍ତି ଏହି ସାମ୍ବିଧାନିକ ଖଣ୍ଡପୀଠ । ତେବେ ଏହି ନିଷ୍ପତିର ଆଧାର କାର୍ଡ ଓ ସୋସିଆଲ ମିଡିଆ ଉପରେ କଣ ପ୍ରଭାବ ପଡିବ ସେନେଇ କୋର୍ଟ କୌଣସି ସୂଚନା ଦେଇନାହାନ୍ତି । ଏନେଇ ଅଲଗା ଖଣ୍ଡପୀଠରେ ଶୁଣାଣି ହେବ ବୋଲି ଜଣାପଡିଛି । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ୯ ଜଣିଆ ବିଚାରପତିଙ୍କ ସାମ୍ବିଧାନିକ ପୀଠ ଏହି ରାୟ ଶୁଣାଇଛନ୍ତି ?
ରାଇଟ ଟୁ ପ୍ରାଇଭେସି ମାମଲାର ଶୁଣାଣି କରିଛନ୍ତି ଏହି ୯ ଜଣିିଆ ଖଣ୍ଡପୀଠ –
ଭାରତର ମୁଖ୍ୟ ବିଚାରପତି ଜଷ୍ଟିସ୍ ଜେ.ଏସ. ଖେହର, ଜଷ୍ଟିସ୍ ଜେ. ଚେଲାମେଶ୍ୱର, ଜଷ୍ଟିସ୍ ଏସ.ଏ. ବୋବଡେ, ଜଷ୍ଟିସ୍ ଆର.କେ. ଅଗ୍ରୱାଲ, ଜଷ୍ଟିସ ଆର. ଏଫ. ନରିମାନ, ଜଷ୍ଟିସ୍ ଅଭୟ ମନୋହର ସାପ୍ରେ, ଜଷ୍ଟିସ ଡି. ୱ୍ୱାଇ. ଚନ୍ଦ୍ରଚୁଡ଼, ଜଷ୍ଟିସ ସଞ୍ଜୟ କିଶାନ୍ କୌଲ, ଜଷ୍ଟିସ ଅବଦୁଲ ନଜିର ଆଜି ସୁପ୍ରିମକୋର୍ଟରେ ରାଇଟ ଟୁ ପ୍ରାଇଭେସି ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ।
ଜଷ୍ଟିସ୍ ଜେ. ଏସ. ଖେହର –
ଭାରତର ମୁଖ୍ୟ ବିଚାରପତି ଜଷ୍ଟିସ ଜେ.ଏସ୍. ଖେହର ଏହି ଖଣ୍ଡପୀଠର ଜଣେ ବରିଷ୍ଠ ସଦସ୍ୟ । ଜଷ୍ଟିସ ଜେ.ଏସ୍. ଖେହର, ସୁପ୍ରିମକୋର୍ଟର ରାଷ୍ଟ୍ରୀୟ ନ୍ୟାୟିକ ନିଯୁକ୍ତିି ଆୟୋଗ, ସମାନ କାମକୁ ସମାନ ବେତନ, ଟୁ-ଜି ସ୍ପେକ୍ଟ୍ରମ ଘୋଟାଲା ଓ ସେବି-ସାହାରା ଆଦି ଗରୁତ୍ୱପୂର୍ଣ୍ଣ ମାମଲା ସଂପର୍କିତ ଶୁଣାଣି କରିଥିବା ଖଣ୍ଡପୀଠର ଜଣେସଦସ୍ୟ ଥିଲେ । ଜଷ୍ଟିସ୍ ଖେହର ୨୦୧୭ରେ ଭାରତର ମୁଖ୍ୟ ବିଚାରପତି ରୂପେ ଦାୟିତ୍ୱ ଗ୍ରହଣ କରିଥିଲେ । ତା’ପୂର୍ବରୁ ଜଷ୍ଟିସ୍ ଖେହର ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବିଚାରପତି ଥିଲେ । ସେ ସମୟରେ ସେ ଶିଖଙ୍କ ପରିଚୟ ଉପରେ ଏକ ନିର୍ଣ୍ଣୟ ପାରିତ କରଥିିଲେ ଯାହା ଧାର୍ମିକ ଅଧିକାର ଆଧାରରେ ଯାଉଥିଲା ।
ଜଷ୍ଟିସ୍ ଚେଲାମେଶ୍ୱର –
୧୧ ଅଗଷ୍ଟ ୨୦୧୫ରେ ଯେତେବେଳେ ଆଧାରକୁ ସାମ୍ବିଧାନିକ ଖଣ୍ଡପୀଠକୁ ରେଫର କରାଯାଇଥିଲା, ସେତେବେଳେ ଜଷ୍ଟିସ୍ ଚେଲାମେଶ୍ୱର ଖଣ୍ଡପୀଠର ଅଧ୍ୟକ୍ଷତା କରୁଥିଲେ । ଏହାସହ ସେ ଆଧାର ଉପରେ ଶୁଣାଣି ହେଉଥିବା ସାମ୍ବିଧାନିକ ପୀଠର ଜଣେ ସଦସ୍ୟ ଅଛନ୍ତି । ଜଷ୍ଟିସ୍ ଚେଲାମେଶ୍ୱର, ବିଚାରପତି ଚୟନ ପ୍ରକ୍ରିୟାରେ ନିଜର ଅସହମତି ପ୍ରକାଶ କରିଛନ୍ତି । ଇନଫରମେସନ ଟେକ୍ନୋଲୋଜି ନିୟମର ସେକ୍ସନ ୬୬-ଏକୁ ରଦ୍ଦ କରିଥିବା ଦୁଇ ଜଣିିଆ ଖଣ୍ଡପୀଠର ସଦସ୍ୟ ଥିିଲେ ।
ଜଷ୍ଟିସ୍ ଶରଦ ଅରବିନ୍ଦ ବୋବଡେ –
ଜଷ୍ଟିସ୍ ବୋବଡେ ପ୍ରଥମେ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଖଣ୍ଡପୀଠରେ ସାମିଲ ହୋଇଥିଲେ । ପରେ ମଧ୍ୟପ୍ରଦେଶର ମୁଖ୍ୟ ବିଚାରପତି ରୂପେ ସେ ଦାୟିତ୍ୱ ଗ୍ରହଣ କରିଥିିଲେ । ୨୦୧୩ ଏପ୍ରିଲରେ ସୁପ୍ରିମକୋର୍ଟ ବିଚାରପତି ରୂପରେ ପଦୋନ୍ନତି ପାଇଥିଲେ । ସେ ଜଷ୍ଟିସ୍ ଚେଲାମେଶ୍ୱେରଙ୍କ ସହ ଆଧାର ସମ୍ପର୍କିତ ଶୁଣାଣି ସମୟରେ ଖଣ୍ଡପୀଠର ଜଣେ ସଦସ୍ୟ ଥିଲେ ।
ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ଼-
ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୁଡ଼ ଭାରତର ପୂର୍ବ ମୁଖ୍ୟ ବିଚାରପତି ୱାଇ.ଭି. ଚନ୍ଦ୍ରଚୁଡ଼ଙ୍କ ପୁଅ । ସେ ଜଣେ ବିଚାରପତି ଭାବେ ବମ୍ବେ ହାଇକୋର୍ଟରେ ୨୯ ମାର୍ଚ୍ଚ ୨୦୦୦ରେ ଦାୟିତ୍ୱ ଗ୍ରହଣ କରିଥିଲେ । ତା’ପରେ ଆହ୍ଲାବାଦ ହାଇକୋର୍ଟରେ ମୁଖ୍ୟ ବିଚାରପତି ହୋଇଥିଲେ । ୨୦୧୬ରେ ସେ ସୁପ୍ରିମକୋର୍ଟ ଖଣ୍ଡପୀଠରେ ସାମିଲ ହୋଇଥିଲେ । ଧାର୍ମିକ ଆଧାର ଉପରେ ଭୋଟ ମାଗିବା ନେଇ ପ୍ରତିବନ୍ଧ ଲଗାଇଥିବା ସାମ୍ବିଧାନିକ ଖଣ୍ଡପୀଠର ସଦସ୍ୟ ଥିଲେ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ । ଏହାସହ ସେ ପୂର୍ବରୁ ବମ୍ବେ ହାଇକୋର୍ଟରେ ଭୋଡ଼ାଫୋନ କର ମାମଲାର ଶୁଣାଣି କରିଥିଲେ । ପରେ ସୁପ୍ରିମକୋର୍ଟ ଉକ୍ତ ନିଷ୍ପତିକୁ ରଦ୍ଦ କରିଦେଇଥିଲେ ।
ଜଷ୍ଟିସ୍ ଏସ୍ ଅବଦୁଲ ନଜିର-
ଜଷ୍ଟିସ ନଜିର ଆଧାର ସମ୍ପର୍କିତ ଏହି ଶୁଣାଣିର ସବୁଠାରୁ କନିଷ୍ଠ ବିଚାରପତି । ୧୭ ଫେବୃୟାରୀ ୨୧୦୭ରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଥିଲେ । ସେ କର୍ଣ୍ଣାଟକ ହାଇକୋର୍ଟରେ ୨୦୦୩ ପର୍ୟ୍ୟନ୍ତ କାମ କରିବା ପରେ ପଦନ୍ନୋତି ପାଇ ସୁପ୍ରିକୋର୍ଟକୁ ଯାଇଥିଲେ । ଜଷ୍ଟିସ ନଜିର, ତିନି ତଲାକ ମାମଲାର ସାମ୍ବିଧାନିକ ପୀଠର ସଦସ୍ୟ ଥିଲେ ।
ଜଷ୍ଟିସ୍ ରୋହିନଟନ୍ ଫାଲଇ ନରିମାନ୍ –
ଜଷ୍ଟିସ୍ ନରିମାନଙ୍କ ବାପା ଥିଲେ ଜଣେ ବରିଷ୍ଠ ଓକିଲ । ଜଷ୍ଟିସ୍ ନରିମାନ, ଜୁଲାଇ ୨୧୦୪ରେ ସୁପ୍ରିମକୋର୍ଟରେ ନିଯୁକ୍ତି ପାଇଥିଲେ । ମାତ୍ର ୩୭ ବର୍ଷ ବୟସରେ ତାଙ୍କୁ ବରିଷ୍ଠ ଓକିଲ ମାନ୍ୟତା ମିଳିଥିଲା । ଜଷ୍ଟିସ ଚେଲାମେଶ୍ୱରଙ୍କ ସହ ଜଷ୍ଟିସ ନରିମନ ଇନଫରମେସନ ଟେକ୍ନୋଲୋଜି ଆକ୍ଟର ସେକ୍ସନ ୬୬-ଏ ରଦ୍ଦ କରିବା ଖଣ୍ଡପୀଠର ଅଂଶ ଥିଲେ । ଜଷ୍ଟିସ୍ ନରିମନ ତିନି ତଲାକ କେସର ଶୁଣାଣି କରୁଥିବା ଖଣ୍ଡପୀଠର ମଧ୍ୟ ସଦସ୍ୟ ଅଛନ୍ତି ।
ଜଷ୍ଟିସ୍ ଆର.କେ. ଅଗ୍ରୱାଲ-
ଜଣେ ଆଇନଜୀବି ଭାବେ ଜଷ୍ଟିସ୍ ଆର.କେ. ଅଗ୍ରୱାଲ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ । ୧୯୯୯ରେ ସେ ଆହ୍ଲାବାଦ ହାଇକୋର୍ଟରେ ଜଣେ ବିଚାରପତି ଭାବେ ସାମିଲ ହୋଇଥିଲେ । ଏହାସହ ସେ ମାଡ଼୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ରୂପେ କାମ କରିଛନ୍ତି । ପରେ ସେ ୨୧୦୪ରେ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଥିଲେ ।
ଜଷ୍ଟିସ୍ ସଂଜୟ କିଷାନ କୌଲ-
୨୧୦୭ରେ ଜଷ୍ଟିସ୍ ସଂଜୟ କୌଲ ସୁପ୍ରିକୋର୍ଟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ଏହା ପୂର୍ବରୁ ଜଷ୍ଟିସ କୌଲ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ରୂପେ କାମ କରିସାରିଛନ୍ତି । ସେ ୨୦୦୩ରେ ଜଣେ ସ୍ଥାୟୀ ହାଇକୋର୍ଟ ବିଚାରପତି ରୂପେ ନିଯୁକ୍ତିି ପାଇଥିଲେ । ଏହା ପୂର୍ବରୁ ଜଷ୍ଟିସ କୌଲ ସୁପ୍ରିମକୋର୍ଟରେ ଜଣେ ଆଇନଜୀବି ରୁପରେ ୧୯୮୭ରୁ ୧୯୯୯ ମଧ୍ୟରେ କାର୍ଯ୍ୟ ନିର୍ବାହ କରି ସାରଥିିଲେ । ଏହାସହ ଜଷ୍ଟିସ କୌଲ ପଞ୍ଜାବ ଓ ହରିୟାଣାର ମୁଖ୍ୟ ବିଚାରପତି ରୂପେ କାର୍ଯ୍ୟ କରିଛନ୍ତି । ଜଷ୍ଟିସ୍ କୌଲ ଭାଷଣ ଓ ଅଭିବ୍ୟକ୍ତିର ସ୍ୱତନ୍ତ୍ରତା ବଜାୟ ରଖିବା ନେଇ ନିଷ୍ପତି ଶୁଣାଇଛନ୍ତି । ସେ ୨୦୦୮ରେ ପ୍ରସିଦ୍ଧ ଚିତ୍ରକାର ଏମ.ଏଫ. ହୁସେନଙ୍କ ବିରୋଧରେ ଥିବା ଅଶ୍ଳୀଳତା ଓ ପ୍ରସିଦ୍ଧ ଲେଖକ ପେରୁମାଲ ମୁରଗନ ମାମଲାକୁ ରଦ୍ଦ କରିଥିଲେ ।
ଜଷ୍ଟିସ ଏ.ବି. ସାପ୍ରେ –
ଜଷ୍ଟିସ ଏ.ବି. ସାପ୍ରେ ୧୩ ଅଗଷ୍ଟ ୨୧୦୪ରେ ସୁପ୍ରିମକୋର୍ଟର ବିଚାରପତି ରୂପରେ ଦାୟିତ୍ୱ ଗ୍ରହଣ କରିଥିଲେ । ସେ ୧୯୯୯ ମଧ୍ୟପ୍ରଦେଶ ହାଇକୋର୍ଟର ଜଣେ ଅତିରିକ୍ତ ବିଚାରପତି ଭାବେ କାର୍ଯ୍ୟ ନିର୍ବାହ କରିସାରିଛନ୍ତି । ଏହାସହ ମଣିପୁର ହାଇକୋର୍ଟର ପ୍ରଥମ ମୁଖ୍ୟ ବିଚାରପତି ରୂପେ ସେ କାର୍ଯ୍ୟ ନିର୍ବାହ କରିସାରିଛନ୍ତି । ତା’ପରେ ଗୁଆହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ରୂପେ କାର୍ଯ୍ୟ କରିଛନ୍ତି । ଏହାପରେ ସେ ସୁପ୍ରିମକୋର୍ଟକୁ ପଦୋନ୍ନତି ପାଇ ଆସିଥିଲେ ।