ପୁଣି ଆକାଶରେ ହେବ ଛାଇ ଆଲୁଅର ଖେଳ ! ଜାଣନ୍ତୁ କେବେ କେବେ ଆକାଶରେ ଦେଖାଯିବ ବଳୟ ସୂର୍ଯ୍ୟୋପରାଗ ।

1,519

କନକ ବ୍ୟୁରୋ : ଆକାଶରୁ ଛାଡିଯାଇଛି ସୂର୍ଯ୍ୟୋପରାଗ । ଏହି ବିରଳ ମହାଜାଗତିକ ଦୃଶ୍ୟକୁ ଦେଖିଛି ସାରା ଦେଶ । ଆଉ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ପୁଣି କେବେ ଆକାଶରେ ଦେଖିବାକୁ ମିଳିବ ଛାଇ ଆଲୁଅର ଖେଳ ? ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ସୂର୍ଯ୍ୟୋପରାଗର ଏହି ସ୍ୱରୂପ ପାଖାପାଖି ପ୍ରତିବର୍ଷ ଦେଖିବାକୁ ମିଳିବ । ଆସନ୍ତୁ ଜାଣିବା କେବେ କେବେ ହେବ ବଳୟ ସୂର୍ଯ୍ୟୋପରାଗ ।

ଆଜିଠୁ ଠିକ୍ ୬ ମାସ ପରେ ଅର୍ଥାତ ୨୦୨୦ ଜୁନ୍ ୨୧ ତାରିଖ ଦିନ ବଳୟ ସୂର୍ଯ୍ୟୋପରାଗ ଆଫ୍ରିକା, ଭାରତ ସମେତ ଏସିଆର ସବୁ ଦେଶରେ ଦୃଶ୍ୟମାନ ହେବ । ଏହା ସହ ଅଷ୍ଟ୍ରେଲିଆର କିଛି ସ୍ଥାନରେ ମଧ୍ୟ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିବ ।

୨୦୨୦ର ଠିକ୍ ଗୋଟିଏ ବର୍ଷ ପରେ ଅର୍ଥାତ ୨୦୨୧ ଜୁନ୍ ୧୦ ତାରିଖ ଦିନ ବଳୟ ଆକାଶରେ ପୁଣି ହେବ ଛାଇ ଆଲୁଅର ଖେଳ । କିନ୍ତୁ ଏଥର ଏହି ସୂର୍ଯ୍ୟୋପରାଗ ଋଷିଆ, ଆମେରିକା ସମେତ ପୃଥିବୀର ଉତ୍ତର ଭାଗରେ ଦେଖିବାକୁ ମିଳିବ । ଭାରତରେ ଏହା ଦୃଶ୍ୟମାନ ହେବାର ସମ୍ଭାବନା କମ୍ ।

୨୦୨୧ ପରେ ୨୦୨୩ ଅକ୍ଟୋବର ୧୪ ତାରିଖରେ ପୁଣିଥରେ ଦେଖିବାକୁ ମିଳିବ ବଳୟ ସୂର୍ଯ୍ୟୋପରାଗ । ଏହା କେବଳ ଆମେରିକା ଏବଂ ଲାଟିନ୍ ଆମେରିକାରେ ଦୃଶ୍ୟମାନ ହେବ ।

୨୦୨୩ ପରେ ୨୦୨୪ ଅକ୍ଟୋବର ମାସ ୨ ତାରିଖ ଅର୍ଥାତ ମହାତ୍ମା ଗାନ୍ଧିଙ୍କ ଜନ୍ମଜୟନ୍ତୀ ଦିନ ପୁଣି ଥରେ ବଳୟ ସୂର୍ଯ୍ୟୋପରାଗ ଦେଖିବାକୁ ମିଳିବ । ଏହା କେବଳ ପୃଥିବୀର ଦକ୍ଷିଣ ଭାଗରେ ଦୃଶ୍ୟମାନ ହେବ । ତେଣୁ ଭାରତରେ ଏହି ପରାଗ ଦେଖାଯିବାର ସମ୍ଭାବନା କମ୍ ଅଟେ ।