କଟକ କର୍ପୋରେଟର ରଂଜିତା ବିଶ୍ୱାଳଙ୍କ ବଢୁଛି ଅଡୁଆ । ରିମାଣ୍ଡ ଆବେଦନ କଲା ପୋଲିସ, ଆଜି ଚୌଦ୍ୱାରରେ ମିକୁର ହେବ ଚିହ୍ନଟ ପରେଡ

32

କନକ ବ୍ୟୁରୋ: ବଢୁଛି କଟକ କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କ ଅଡୁଆ । ଧଳସାମନ୍ତ ବ୍ରଦର୍ସଙ୍କ ଷଡଯନ୍ତ୍ରରେ ସାମିଲ ରଂଜିତା ବିଶ୍ୱାଳଙ୍କୁ ରିମାଣ୍ଡରେ ନେବ ପୁଲିସ । ଜାମିନ ନାମଞ୍ଜୁର ହେବା ପରେ ଜେଲରେ ଥିବା ରଂଜିତାଙ୍କୁ ୩ ଦିନିଆ ରିମାଣ୍ଡ ପାଇଁ ଆବେଦନ କରାଯାଇଛି । ରଂଜିତାଙ୍କୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି ପୋଲିସ । ଆଉ ରଂଜିତା ବିଶ୍ୱାଳ ଗିରଫ ହେବା ପରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଚାଂଚଲ୍ୟକର ତଥ୍ୟ । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଖୋଳତାଡ ଆରମ୍ଭ ହୋଇଛି ।

ସେପଟେ ବିଜୟ ପାଲ ହତ୍ୟା ଉଦ୍ୟମ ଘଟଣାରେ ଏଯାଏ ଗୋଟିଏ ତଥ୍ୟ ସ୍ପଷ୍ଟ ହୋଇପାରି ନାହିଁ। ବିଜୟ ପାଲ, ବିଧାୟକ ଦେବାଶିଷ ସାମନ୍ତରାୟ, ଦୁଇ ପୁଲିସ ଅଧିକାରୀ ଏବଂ ଜଣେ ସାକ୍ଷୀଙ୍କୁ ହତ୍ୟା କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ରଂଜିତା ୩ଟି ପିସ୍ତଲ ଏବଂ ୬୦ ରାଉଣ୍ଡ ଗୁଳି ମିକୁ ଓରଫ ମୃତ୍ୟୁଞ୍ଜୟ ନାୟକକୁ ସଦା ନାୟକ ଜରିଆରେ ଦେଇଥିଲେ। କିନ୍ତୁ ମାଉଜର ଓ ଗୁଳି ରଂଜିତା ପାଖକୁ କିଭଳି ଆସିଲା, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ । ତେଣୁ ଡି-ବ୍ରଦର୍ସଙ୍କ ନିର୍ଦ୍ଦେଶରେ ବ୍ୟବସାୟୀ ବିଜୟ ପାଲଙ୍କ ଉପରକୁ ଗୁଳିମାଡ କରିଥିବା ମିକୁର ଆଜି ଚୌଦ୍ୱାର ଜେଲରେ ଟିଆଇ ପରେଡ କରାଯିବ । ବିଜୟ ପାଲଙ୍କ ଉପରକୁ କିଏ ଗୁଳିମାଡ କରିଥିଲା ତାହା ସ୍ପଷ୍ଟ କରିବାକୁ ଏହି ଟିଆଇ ପରେଡ କରାଯିବ ।

ରଂଜିତାଙ୍କୁ ନେଇ ଅନ୍ୟ ଏକ ଘଟଣା ମଧ୍ୟ ଏବେ ବେଶ୍ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି । ସୂଚନା ଅନୁଯାୟୀ ସୁଶୀଲ ଧଳସାମନ୍ତ ବାଲେଶ୍ୱର ଜେଲରେ ଥିବା ବେଳେ ରଂଜିତା ତାକୁ ଭେଟିବାକୁ ଏକାଧିକ ଥର ଭିତରକୁ ଯାଇଛନ୍ତି। ଜେଲର ଭିଜିଟର୍ସ ରେଜିଷ୍ଟରରେ ରଂଜିତା ସ୍ୱାକ୍ଷର କରିବା ସହ ସୁଶୀଲଙ୍କୁ ନିଜର ଘନିଷ୍ଠ ସଂପର୍କୀୟ (ନିର୍ଦ୍ଦିଷ୍ଟ ସଂପର୍କ ଉଲ୍ଲେଖ କରି) ଭାବେ ଦର୍ଶାଇଛନ୍ତି। ସେହି ସଂପର୍କର ତଥ୍ୟ, ପ୍ରମାଣକୁ ନେଇ ମଧ୍ୟ ପୁଲିସ୍ ଖୋଳତାଡ ଆରମ୍ଭ କରିଛି ।