କନକ ବ୍ୟୁରୋ : ରାଜ୍ୟରେ ଗୁଣାତ୍ମକ ବୈଷୟିକ ଶିକ୍ଷା ବିକାଶର ଦ୍ୱାହି ଦେଉଛନ୍ତି ସରକାର। କିନ୍ତୁ ବାସ୍ତବରେ ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ପରିସ୍ଥିତି ଏମିତି ହୋଇଛି ଯେ ପ୍ରତି ଜିଲ୍ଲାରେ ରହିଥିବା ସରକାରୀ ପଲିଟେକନିକ୍‌ରେ ଶିକ୍ଷାଦାନ କରିବାକୁ ନିୟମିତ ଅଧ୍ୟାପକ ବି ନାହାନ୍ତି।

ରାଜ୍ୟର ପ୍ରଥମ ତଥା ସବୁଠାରୁ ପୁରୁଣା ଇଂଜିନିୟରିଂ ସ୍କୁଲ(ଡିପ୍ଲୋମା ପାଠ୍ୟକ୍ରମ) ହେଉଛି କଟକର ଭୁବନାନନ୍ଦ ସ୍କୁଲ ଅଫ ଇଂଜିନିୟରିଂ (ବୋସ୍‌)। ବ୍ରହ୍ମପୁରର ଉମାଚରଣ ପଟ୍ଟନାୟକ ଇଂଜିନିୟରିଂ ସ୍କୁଲ, ଝାରସୁଗୁଡା ଇଂଜିନିୟରିଂ ସ୍କୁଲ, ରାଉରକେଲାର ୟୁଜିଆଇଟି ଭଳି ଅନୁଷ୍ଠାନ ସହ ରାୟଗଡା, କେନ୍ଦୁଝର, ରାଉରକେଲା(ଏସକେଡିଏଭି), ଢେଙ୍କାନାଳ(ମହିଳା ପଲିଟେକନିକ), ଭୁବନେଶ୍ୱର(ମହିଳା ପଲିଟେକନିକ), ବ୍ରହ୍ମପୁରରେ ମହିଳା ପଲିଟେକନିକ ଅନୁଷ୍ଠାନ ଖୋଲା ଯାଇଥିଲା। ତେବେ ୨୦୧୨ରେ ସରକାର ସବୁ ଜିଲ୍ଲାରେ ସରକାରୀ ପଲିଟେକନିକ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ୨୦୧୩ରେ ୯ଟି, ୨୦୧୪ରେ ୮ଟି, ୨୦୧୫ରେ ୨ଟି ଏବଂ ୨୦୧୭ରେ ୩ଟି ଜିଲ୍ଲାରେ ସରକାରୀ ପଲିଟେକନିକ ଖୋଲିଥିଲା। ଅଲ ଇଣ୍ଡିଆ କାଉନସିଲ ଅଫ ଟେକନିକାଲ ଇଂଜିନିୟରିଂ(ଏଆଇସିଟିଇ) ନିୟମ ଅନୁଯାୟୀ ଯେତିକି ଅଧ୍ୟାପକ ରହିବା କଥା, ସେତକ ବି ନଥିବା ବେଳେ କୌଣସି ପଲିଟେକନିକରେ ଅଧ୍ୟକ୍ଷ (ପ୍ରିନ୍‌ସିପାଲ) ପଦବି ଖାଲି ପଡ଼ିଛି।

ପୁରୁଣା ପଲିଟେକନିକ ଗୁଡିକରେ ୮-୧୦ ବର୍ଷ ହେବ ପ୍ରିନସପାଲ ନଥିବାବେଳେ ନୂଆ ପଲିଟେକନିକଗୁଡିକ ପ୍ରତିଷ୍ଠା ହେବା ଦିନଠାରୁ ପ୍ରିନସିପାଲ ନିଯୁକ୍ତ ହୋଇ ନାହାନ୍ତି । ଏହିସବୁ ପଲିଟେକନିକ ଗୁଡିକରେ ଭାଇସ ପ୍ରିନସିପାଲ ପ୍ରିନସିପାଲ ଦାୟିତ୍ୱରେ ରହିଛନ୍ତି। ସେହିପରି ବିଭିନ୍ନ ପଲିଟେକନିକ୍‌ ପାଇଁ ୨୨୪ଟି ବରିଷ୍ଠ ଅଧ୍ୟାପକ ପଦବି ଥିବାବେଳେ ଏଥିମଧ୍ୟରୁ ୧୨୦ଟି ପଦବି ଖାଲି ପଡିଛି। ଅନ୍ୟପଟେ ୩୨ଟି ସରକାରୀ ପଲିଟେକନିକରେ ମୋଟ ୧୨୬୦ ମଞ୍ଜୁରି ପ୍ରାପ୍ତ ଅଧ୍ୟାପକ ପଦବି ଥିବାବେଳେ ୪୧୨ଟି ପଦବି ଖାଲି ପଡିଛି। ନିୟମ ଅନୁସାରେ ପ୍ରତି ୨୦ ପିଲାଙ୍କ ପାଇଁ ଜଣେ ବୈଷୟିକ ଶିକ୍ଷକ ରହିବା ଆବଶ୍ୟକ। ମାତ୍ର ଏଆଇସିଟିଇ ନିୟମକୁ ଅଣଦେଖା କରି ଅଧାରୁ ଅଧିକ ପଦବି ଖାଲି ପଡିଛି ।

କଟକର ବୋସ୍‌ରେ ପ୍ରିନସିପାଲ ପଦବି ଖାଲି ପଡିଥିବାବେଳେ ସିନିୟର ଅଧ୍ୟାପକର ୧୨ଟି ପଦବି ମଧ୍ୟରୁ ୫ଟି ଖାଲି ପଡିଛି। ସେହିପରି ୪୩ଟି ଅଧ୍ୟାପକ ପଦବି ମଧ୍ୟରୁ ଏଠାରେ ୧୭ଟି ପଦବି ଖାଲି ପଡିଛି। ଭୁବନେଶ୍ୱର, ଗଜପତିରେ ମଧ୍ୟ ଏକାଧିକ ପଦବି ଖାଲି ପଡିଛି। ପାର୍ଟ ଟାଇମ ଅଧ୍ୟାପକଙ୍କୁ ନେଇ ଏଠାରେ ଶିକ୍ଷାଦାନ କରାଯାଉଛି।

ଅନ୍ୟପଟେ ପଲିଟେକନିକଗୁଡିକରେ ଥିବା ବରିଷ୍ଠ ଅଧ୍ୟାପକମାନେ ପଦୋନ୍ନତି ପାଇ ଆଇଟିଆଇ ଗୁଡିକରେ ପ୍ରିନସିପାଲ ଭାବେ ଯୋଗ ଦେଉଛନ୍ତି । କିନ୍ତୁ ସରକାରଙ୍କ ବିଚିତ୍ରନୀତି ଯୋଗୁ ପଲିଟେକନିକଗୁଡିକରେ ପ୍ରିନସିପାଲ ପଦବି ପୂରଣ ହୋଇପାରୁନାହିଁ। ଏପ୍ରକାର ସ୍ଥିତିରେ ସରକାରୀ ପଲିଟେକନିକଗୁଡିକରେ ୮ ହଜାର ୫ଶହରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ପ୍ରତିବର୍ଷ ମାତ୍ର ୫ ପ୍ରତିଶତ ପିଲା ନିଯୁକ୍ତି ସୁଯୋଗ ପାଉଛନ୍ତି। ଏହି କାରଣରୁ ଏବେ ଲକ୍ଷାଧିକ ଡିପ୍ଲୋମା ଛାତ୍ରଛାତ୍ରୀ ବେକାର ହୋଇ ଘରେ ବସି ରହିଛନ୍ତି।