୩ ତାରିଖରେ ପୁଣି ସୃଷ୍ଟି ହୋଇପାରେ ଘୂର୍ଣ୍ଣି ବଳୟ ! ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା, ବଢିପାରେ ବର୍ଷାର ପ୍ରଭାବ

26

କନକ ବ୍ୟୁରୋ: ୩ ତାରିଖରେ ପୁଣି ସୃଷ୍ଟି ହୋଇପାରେ ଘୂର୍ଣ୍ଣି ବଳୟ । ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ମିଳିଛି । ଏହାର ପ୍ରଭାବରେ ବର୍ଷାର ପରିମାଣ ବଢିପାରେ । ତେବେ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ବର୍ଷା ପରିମାଣ ହ୍ରାସ ପାଇବ ।

ଭାରତୀୟ ପାଣିପାଗ ବିଭାଗ ଆକଳନ କହୁଛି ଯେ, ଆଜି ସକାଳ ୯ଟା ସୁଦ୍ଧା ମୌସୁମୀ ଓଡ଼ିଶାରୁ ବିଦାୟ ନେବ। ଏହି ସମୟରେ ସମ୍ବଲପୁର ସମେତ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, କେନ୍ଦୁଝର, ଦେବଗଡ଼, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ନ ହେଲେ ବାକି ଅଞ୍ଚଳଗୁଡ଼ିକରେ ବର୍ଷାର ସେଭଳି ପ୍ରଭାବ ରହିବ ନାହିଁ। ୨ ତାରିଖ ଯାଏ ମୌସୁମୀ ପ୍ରଭାବରେ ବର୍ଷାର ସମ୍ଭାବନା ନାହିଁ। କେବଳ ଯାହା କାଳବୈଶାଖୀ ପ୍ରଭାବରେ କେତେକ ସ୍ଥାନରେ ବର୍ଷା ହୋଇପାରେ।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତି ତଥା ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଉଛି ଯେ ଛତିଶଗଡ଼ ଉପରେ ଥିବା ଘୂର୍ଣ୍ଣିବଳୟ ଆଜି ମଧ୍ୟପ୍ରଦେଶ ଉପରେ ରହିବ। ଏହାଦ୍ୱାରା ଓଡ଼ିଶା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଏବେ କୌଣସି ଲଘୁଚାପ କି ଘୂର୍ଣ୍ଣିବଳୟର ସମ୍ଭାବନା ନାହିଁ। ଜୁଲାଇ ୨ ତାରିଖ ପରେ ବର୍ଷାର ପ୍ରକୋପ ବଢ଼ିପାରେ। ତେବେ ଜୁଲାଇ ୭ ପର୍ଯ୍ୟନ୍ତ ଭାରି ବର୍ଷାର ସମ୍ଭାବନା କମ୍ ରହିଛି। ଏଥର ମୌସୁମୀ ପ୍ରଭାବରେ ବିସ୍ତୃତ ଅଞ୍ଚଳରେ ବର୍ଷା ହୋଇନି। ଯେତିକି ବି ବର୍ଷା ହୋଇଛି ତାହା ଚାଷ କାର୍ଯ୍ୟ ପାଇଁ ଅନୁକୂଳ ହେବ ବୋଲି ସେ କହିଛନ୍ତି।

ଗତ ୧୨ ଘଣ୍ଟାରେ ବର୍ଷାର ପରିମାଣ କମିଛି। ପାରାଦ୍ୱୀପରେ ସର୍ବାଧିକ ୧୫ ମିମି ବର୍ଷା ହୋଇଥିବା ବେଳେ କଟକରେ ୧୪, ପୁରୀରେ ୮, ଭୁବନେଶ୍ୱରରେ ୭.୮ ମିମି ବର୍ଷା ରେକର୍ଡ କରାଯାଇଛି।