କୋରାପୁଟ ଜିଲ୍ଲାରେ ଅପରେସନ୍ ଗ୍ରୀନ୍ କ୍ଲିନ୍! ଗଞ୍ଜେଇ ଚୋରାଚାଲାଣ ରୋକିବାକୁ ଅଂଟା ଭିଡିଛି ପୋଲିସ

35

କନକ ବ୍ୟୁରୋ: ଗଞେଇ ଚୋରା ଚାଲାଣକାରୀ ସାବଧାନ । କୋରାପୁଟ ଜିଲ୍ଳାରେ ଚାଲିଛି ଗ୍ରୀନ୍ କ୍ଳିନ୍ ଅଭିଯାନ । ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ କୋରାପୁଟ ପୋଲିସର ଏହି ଅଭିଯାନ ଅନେକାଂଶରେ ସଫଳ ବି ହୋଇଛି । ୨ ଶହ କ୍ୱିଂଟାଲରୁ ଅଧିକ ଗଞେଇ ଜବତ ସହ ଶତାଧିକ ଅଭିଯୁକ୍ତ ଗିରଫ ବି ହୋଇସାରିଲେଣି । ଯେଉଁଥି ପାଇଁ ଗଞ୍ଜେଇ ମାଫିଆଙ୍କ ସୁରକ୍ଷିତ କରିଡର ଭାବେ ଦିନେ ରାଜ୍ୟ ତଥା ରାଜ୍ୟ ବାହାରେ ବଦନାମ ହୋଇଥିବା କୋରାପୁଟ ଜିଲ୍ଲାର ପରିଚୟ ଏବେ ଧିରେ ଧିରେ ବଦଳୁଛି ।

ଗଞ୍ଜେଇ ଚୋରା ଚାଲାଣକାରୀଙ୍କ ପାଇଁ ଆଉ ଏବେ ସୁରକ୍ଷିତ ନୁହେଁ କୋରାପୁଟ ଜିଲ୍ଲା । କାରଣ କୋରାପୁଟ ପୋଲିସ ଆରମ୍ଭ କରିଛି ଗ୍ରୀନ୍ କ୍ଳିନ ଅଭିଯାନ । ବିଭିନ୍ନ ସ୍ଥାନରେ ପିକେଟିଂ ସହ ରାତି ଅଧିଆ ଚାଲିଛି ପେଟ୍ରୋଲିଂ । ସ୍ପେସିଆଲ ଟାସ୍କ ଫୋର୍ସ ଗଠନ କରି ଜିଲ୍ଳାର କୋଣ ଅନୁକୋଣରେ ପହରା ଦେଉଛି କୋରାପୁଟ ପୋଲିସ । ପ୍ରତ୍ୟେକ ଗାଡ଼ିକୁ କଡାକଡି ଯାଂଚ ସହ ଗଞେଇ ମାଫିଆ ମାନଙ୍କୁ ଧରିବାରେ ହେଉଛି ସଫଳ । ଗତ କିଛି ମାସ ଭିତରେ ଜିଲ୍ଲାର ବିଭିନ୍ନ ଥାନାରେ ରୁଜୁ ହୋଇଛି ୫୩ଟି ମାମଲା । ୨ ଶହ କ୍ୱିଂଟାଲରୁ ଅଧିକ ଗଞେଇ ଜବତ ସହ ଶତାଧିକ ଅଭିଯୁକ୍ତ ଗିରଫ ବି ହୋଇସାରିଛନ୍ତି । ଆଉ କୋରାପୁଟ ଏସ.ପି. ନିଜେ ନେଇଛନ୍ତି ଅପରେସନ୍ର ନେତୃତ୍ୱ ।

 

ଦୀର୍ଘଦିନ ହେବ ଗଞ୍ଜେଇ ମାଫିଆଙ୍କ ପାଇଁ ସୁରକ୍ଷିତ କରିଡର ପାଲଟିଥିଲା କୋରାପୁଟ ଜିଲ୍ଲା । ଯେଉଁଠୁ ରାଜଧାନୀ ଦିଲ୍ଲୀ ସହ ବିହାର, ମଧ୍ୟପ୍ରଦେଶ, ଉତରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ହରିଆଣା, ଆନ୍ଧ୍ରପ୍ରଦେଶ, ଓ ରାଜସ୍ଥାନ ଭଳି ୯ଟି ରାଜ୍ୟକୁ ଚାଲାଣ ହେଉଥିଲା କ୍ୱିଂଟାଲ କ୍ୱିଂଟାଲ ଗଞ୍ଜେଇ । ଆଉ ଏହି ଚୋରାଚାଲାଣର ଜାଲ ବିଛାଇ ମାଲାମାଲ ହେଉଥିଲେ ମାଓବାଦୀ । ଏପରିକି ରାତାରାତି ଧନୀ ହେବାର ଲୋଭ ଦେଖାଇ କଲେଜ୍ ପଢୁଆ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସାମିଲ କରୁଥିଲେ ଏହି କାରବାରରେ । ହେଲେ ଶିକ୍ଷିତ ଯୁବକ ଯୁବତୀଙ୍କୁ ପୋଲିସ ସଚେତନ କରାଇବା ସହ ଏହାର ମଧ୍ୟ ପଡିଛି ସକାରାତ୍ମକ ପ୍ରଭାବ ।

ଗଞ୍ଜେଇ ମାଫିଆଙ୍କ ଚରାଭୂଇଁ ପାଲଟିଥିବା କୋରାପୁଟର ବଦନାମିକୁ ରୋକିବାକୁ ବିଳମ୍ବରେ ହେଉ ପଛେ ଅଂଟା ଭିଡ଼ିଛି ପୋଲିସ । ଆଉ ଅପରେସନ୍ ଗ୍ରୀନ୍ କ୍ଲିନ୍କୁ ସ୍ୱାଗତ କରିବା ସହ ଗଞ୍ଜେଇ ଚୋରାଚାଲାଣ ସମ୍ପୂର୍ଣ୍ଣ ବନ୍ଦ ହେବା ଯାଏଁ ପୋଲିସ ଅଭିଯାନ ଜାରି ରଖୁ ବୋଲି ମତ ଦେଇଛନ୍ତି ବୁଦ୍ଧିଜୀବୀ ।