ବ୍ଲାକବକ୍ସ ଖୋଲିବ ରହସ୍ୟ ! ଚିଲିକା ଉପରେ ବେଆଇନ୍ ହେଲିକପ୍ଟର ଉଡାଣ ନେଇ ବୈଜୟନ୍ତଙ୍କୁ ନୋଟିସ୍ , ଆଜି ୧୨ ଟା ସୁଦ୍ଧା ପୁରୀ ସଦର ଥାନାରେ ହୋଇପାରନ୍ତି ହାଜର

39

କନକ ବ୍ୟୁରୋ: ଆଜି ପୁରୀ ପୋଲିସ ସମ୍ମୁଖରେ ହାଜର ହୋଇପାରନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଚିଲିକା ଉପରେ ବେଆଇନ ଭାବେ ହେଲିକପ୍ଟର ଉଡାଇବା ମାମଲାରେ ତାଙ୍କୁ ପଚାରଉଚରା କରିବା ପାଇଁ ଡାକିଥିଲା ପୁରୀ ପୋଲିସ୍ । ଏହା ସହିତ ବୈଜୟନ୍ତଙ୍କ ୨ଜଣ ସହଯାତ୍ରୀଙ୍କୁ ମଧ୍ୟ ନୋଟିସ କରିଛି ପୋଲିସ ।

ସିଡିଏ ଅଭିଯୋଗ ଆଧାରରେ ପୋଲିସ ଡିଜିସିଏ ଠାରୁ ତଥ୍ୟ ମାଗିଥିଲା ଏବଂ ୧୫ତାରିଖ ସକାଳ ସାଢେ ୮ଟାରୁ ସାଢେ ଗୋଟାଏ ମଧ୍ୟରେ କେବଳ ବୈଜୟନ୍ତଙ୍କ ହେଲିକପ୍ଟରକୁ ଅନୁମତି ମିଳିଥିବା ଜଣାପଡିଥିଲା । ସେହି ଆଧାରରେ ଇମ୍ଫାର ହେଙ୍ଗର ବା ବିମାନ ପାର୍କିଂ ଏରିଆକୁ ସିଲ୍ କରାଯାଇଛି । ଚିଲିକାର କେତେ ଉଚ୍ଚରେ ହେଲିକପ୍ଟରଟି ଉଡୁଥିଲା ତାହା ବିମାନର ବ୍ଲାକ୍ ବକ୍ସରୁ ଜଣାପଡିବ । ତେଣୁ ଏନେଇ ଡିଜିସିଏ ଠାରୁ ତଥ୍ୟ ମଗାଯାଇଛି ।


ସେପଟେ ଉଡାଣକୁ ନେଇ ବଢୁଥିବା ବିବାଦ ଭିତରେ ବୈଜୟନ୍ତ ପଣ୍ଡା ଟ୍ୱିଟ କରି ନିଜର ମତ ରଖିଛନ୍ତି । ପୂର୍ବତନ ସାଂସଦ ଟ୍ୱିଟ କରିଛନ୍ତି ପ୍ରଥମେ ସିପ୍ଲେନ ଉଡାଣର ଅଭିଯୋଗ ହେଲା । ପରେ ଏହା ହେଲିକପ୍ଟର ହୋଇଗଲା । ଗୋଟାଏ ୩୦ରେ ଉଡାଣର ଅଭିଯୋଗ ହୋଇଥିବା ବେଳେ ତାଙ୍କ ବିମାନ ଭୁବନେଶ୍ୱର ବିମାନ ବନ୍ଦରର ପାର୍କିଂରେ ଥିବା ନେଇ ସଫେଇ ରଖିଛନ୍ତି ବୈଜୟନ୍ତ । ଏମିତିକି ନିଜ ପକ୍ଷ ରଖିବାକୁ ଯାଇ ସେ କହିଛନ୍ତି ଯେ ହ୍ରଦ ନୋ ଫ୍ଲାଇଂ ଜୋନ ନୁହେଁ ।


କେବଳ ଏତିକି ନୁହେଁ ଆଉ ଏକ ଟ୍ୱିଟ କରି ସେ କୋଣାର୍କ ଓ ଅଭିଜିତ ଆୟାରଙ୍କୁ ନେଇ ଉଠିଥିବା ବିବାଦ ଉପରେ ବି ମତ ରଖିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ମନ୍ଦିର ଠାରୁ ୩ କିଲୋମିଟର ଦୂର ଉଡାଣ ଭରିଥିଲା ହେଲିକପ୍ଟର । ସେପଟେ ବିମାନ ଉଡିବା ଘଟଣାର ଡିଜିସିଏ ତଦନ୍ତ କରିବ ବୋଲି କହିଛନ୍ତି ଭୁବନେଶ୍ୱର ବିମାନ ବନ୍ଦର କତୃପକ୍ଷ । ଚିଲିକାରେ ବୈଜୟନ୍ତ ହେଲିକପ୍ଟର ଉଡିଥିଲା କି ନାହିଁ ବ୍ଲାକବକ୍ସ ତଦନ୍ତରୁ ଜଣାପଡିବ ।