ମୋଦି ସରକାରଙ୍କ ବଡ ନିଷ୍ପତି ! ଜନଗଣନା ପାଇଁ ଆରମ୍ଭ ହେଲା ପ୍ରସ୍ତୁତି, ପ୍ରଥମଥର ପାଇଁ ସରକାର ରଖିବେ OBC ବର୍ଗର ଲୋକଙ୍କ ତଥ୍ୟ

25

୨୦୨୧ ଜନଗଣନା ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଜନଗଣନା ପ୍ରକିୟା ଆରମ୍ଭ ହେବା ପୂର୍ବରୁ ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ୱରେ ଏକ ସମୀକ୍ଷା ବୈଠକ କରାଯାଇ ଏହାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଛି । ତେବେ ୨୦୨୧ରେ ହେବାକୁ ଥିବା ଜନଗଣନାରେ ପ୍ରଥମ ଥର ପାଇଁ ଅନ୍ୟାନ୍ୟ ପଛୁଆ ବର୍ଗର ମୋଟ ଜନସଂଖ୍ୟା କେତେ ତାହାର ତଥ୍ୟ ସଂଗ୍ରହ କରିବେ ସରକାର ।

ଦୀର୍ଘ ଦିନ ଧରି ଦେଶରେ ଅନ୍ୟାନ୍ୟ ପଛୁଆ ବର୍ଗର ଜନସଂଖ୍ୟା କେତେ ତାହାର ତଥ୍ୟ ଜାରି କରିବାକୁ ପଛୁଆ ବର୍ଗର ନେତା ମାନେ ଦାବି କରୁଥିଲେ । ଆଉ ଏଭଳି ସମୟରେ ମୋଦି ସରକାରଙ୍କ ଏଭଳି ନିଷ୍ପତି, ପଛୁଆବର୍ଗର ଜନସଂଖ୍ୟା କେତେ ତାହା ଉପରୁ ପରଦା ଉଠାଇବାରେ ସହାୟକ ହେବ । ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଗୃହ ମନ୍ତ୍ରାଳୟର ଅଧିକାରୀଙ୍କ କହିବା ଅନୁଯାୟୀ, ୨୦୨୧ ଜନଗଣନା ପାଇଁ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି । ପୂର୍ବରୁ ଜନଗଣନା ପ୍ରକିୟା ପୂରା କରିବା ପାଇଁ ୭ରୁ ୮ ବର୍ଷ ସମୟ ଲାଗୁଥିଲା । କିନ୍ତୁ ୨୦୨୧ରେ ହେବାକୁ ଥିବା ଜନଗଣନାର ପ୍ରକିୟା ତିନି ବର୍ଷ ମଧ୍ୟରେ ପୂରା କରାଯିବ । ଆଉ ପ୍ରଥମ ଥର ପାଇଁ ଅନ୍ୟାନ୍ୟ ପଛୁଆବର୍ଗଙ୍କର ତଥ୍ୟ ମଧ୍ୟ ଏକାଠି କରାଯିବ । କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ଜନଗଣନାରେ ସାଟେଲାଇଟ ବ୍ୟବହାର କରି ବିଭିନ୍ନ ତଥ୍ୟ ଏକାଠି କରିବାକୁ ଯୋଜନା କରୁଛନ୍ତି । ଜନଗଣନା ପାଇଁ ପ୍ରାୟ ୨୫ ଲକ୍ଷ ଲୋକଙ୍କୁ ପ୍ରଶିକ୍ଷିତ କରାଯାଉଛି ।