ବାର୍ଡ ଫ୍ଲୁ ଭୂତାଣୁ ଆତଙ୍କ : ଓୟୁଏଟିରେ ୧୦୦୦ କୁକୁଡାକୁ ମାରିଲା ରାପିଡ ରେସପନ୍ସ ଟିମ୍, ୧୦ କିଲୋମିଟର ପରିଧି ଉପରେ ରହିଛି ସତର୍କ ଦୃଷ୍ଟି ।
କନକ ବ୍ୟୁରୋ : ବାର୍ଡ ଫ୍ଲୁ ଭୂତାଣୁର ଆତଙ୍କ ଭିତରେ ଆଜି ଭୁବନେଶ୍ୱର ଓୟୁଏଟି ଭିତରେ ଥିବା ହଜାରେରୁ ଅଧିକ କୁକୁଡାକୁ ମାରିଦିଆଯାଇଛି । କୁକୁଡା ଗୁଡିକୁ ମରାଯାଇ ବଡ ବଡ ଗାତ ଭିତରେ ପୋତିଦିଆଯାଇଛି । ୧୨ଟି ରାପିଡ୍ ରେସପନ୍ସ ଟିମ୍ ମଧ୍ୟରୁ ୭ଟି ଟିମ୍ କୁକୁଡା ମରା ଅଭିଯାନରେ ଲାଗିଛନ୍ତି । ବଳକା ୫ଟି ଟିମ୍ ଓୟୁଏଟିର ୧୦ କିଲୋମିଟର ନୀରିକ୍ଷଣ ଅଂଚଳରେ ଭୂତାଣୁ ନିୟନ୍ତ୍ରଣ ପାଇଁ ମୁତୟନ ହୋଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରାଜଧାନୀରେ କେବଳ ଓୟୁଏଟିରେ ଥିବା କୁକୁଡା, ବାର୍ଡ ଫ୍ଲୁରେ ସଂକ୍ରମିତ ହୋଇଛନ୍ତି । ଏବଂ ପ୍ରଥମ ଦିନରେ ସମସ୍ତ ସଂକ୍ରମିତ କୁକୁଡାକୁ ମାରି ପୋତି ଦିଆଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଲଗାତର ଦୁଇ ଦିନ ଧରି ଶହ ଶହ କୁକୁଡା ମରିବା ଏବଂ ବାର୍ଡ ଫ୍ଲୁର ଆତଙ୍କ ଭିତରେ ଭୁବନେଶ୍ୱରର ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ଚାଲିଲା କୁକୁଡାମରା ଅଭିଯାନ । ସ୍ୱତନ୍ତ୍ର ପୋଷାକ ସହ ମୁହଁରେ ମାସ୍କ ଲଗାଇ ରାପିଡ୍ ରେସପନ୍ସ ଟିମ୍ ଓୟୁଏଟି ପରିସରରେ ଥିବା କୁକୁଡା ଗବେଷଣା କେନ୍ଦ୍ରରେ ପହଁଚିଥିଲେ । ଓୟୁଏଟି ପରିସରରେ ପ୍ରବେଶ କଟକଣା ଲଗାଇ ସତର୍କତା ସହ ଆରମ୍ଭ ହୋଇଥିଲା କୁକୁଡାମରା ଅଭିଯାନ ।
ସଂକ୍ରମିତ ଅଂଚଳ ଚିହ୍ନଟ କରାଯାଇଥିବା ଓୟୁଏଟି ପରିସରର ୧ କିଲୋମିଟର ଅଂଚଳରେ ଅପରେସନ ପାଇଁ ନିୟୋଜିତ ହୋଇଥିଲେ ୭ଟି ଟିମ୍ । ଓୟୁଏଟି ପରିସରରେ ପ୍ରଥମେ ବଡ ବଡ ଗାତ ଖୋଳାଯାଇଥିଲା । ଏହାପରେ କୁକୁଡା ଗୁଡିକୁ ସେହି ଗଭୀର ଗାତରେ ପୋତାଯାଇଥିଲା । ଓୟୁଏଟିରେ ଦେଢ ହଜାର କୁକୁଡା ରହିଥିବା ବେଳେ ସେଥିମଧ୍ୟରୁ ଅନେକ ବାର୍ଡ ଫ୍ଲୁ ଭୂତାଣୁରେ ମରିଯାଇଥିଲେ । ବଳକା କୁକୁଡା ଗୁଡିକୁ ମାରି ମାଟିରେ ପୋତି ଦିଆଯାଇଛି ।
ଓୟୁଏଟି ପରିସରରୁ ୧୦ କିଲୋମିଟର ଅଂଚଳକୁ ନିରୀକ୍ଷଣ ଅଂଚଳ ଭାବେ ଘୋଷଣା କରାଯାଇଥିବା ବେଳେ ୫ଟି ରାପିଡ୍ ରେସପନ୍ସ ଟିମ୍ ରୋଗ ନିୟନ୍ତ୍ରଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଘରକୁ ଘର ବୁଲି ଯେଉଁମାନେ କୁକୁଡା ରଖିଥିଲେ ସେଗୁଡିକ ମାରିବାର ବ୍ୟବସ୍ଥା କରିଛନ୍ତି । ଏଥିସହ ନିୟମିତ ବ୍ୟବଧାନରେ କୁକୁଡାଙ୍କ ରକ୍ତ, ଲାଳ ଓ ମଳ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି । ପ୍ରଥମ ଦିନରେ ଓୟୁଏଟିରେ ଥିବା ହଜାରରୁ ଅଧିକ କୁକୁଡାଙ୍କୁ ମାରି ପୋତିଦିଆଯାଇଛି । ଏବେ ନଜର ରହିଛି ଆଖପାଖରେ ଥିବା ଅଂଚଳ ଉପରେ ।