ଇମ୍ରାନଙ୍କୁ କାହିଁକି ହତ୍ୟା କରିବାକୁ ଚାହୁଁଥିଲା ଯୁବକ? ସାମ୍ନାକୁ ଆସିଲା ଆକ୍ରମଣକାରୀର ଚାଞ୍ଚଲ୍ୟକର ବୟାନ

629

କନକ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଆକ୍ରମଣ କାହିଁକି ହେଲା । ଗିରଫ ପରେ ସାମ୍ନାକୁ ଆସିଛି ଆକ୍ରମଣକାରୀ ଯୁବକର ଚାଞ୍ଚଲ୍ୟକର ବୟାନ ।

ଇମ୍ରାନ୍ ଖାନଙ୍କ ଉପରେ ଆକ୍ରମଣ କରିଥିବା ଫୈଜଲ ଭଟ୍ଟ ଗିରଫ ହେବା ପରେ ଆକ୍ରମଣ କରିବାର କାରଣ ବୟାନ କରିିଛି । ଜଣେ ସାଧାସିଧା ଯୁବକ ଭଳି ଦେଖାଯାଉଥିବା ଫୈଜଲ କହିଛି ଯେ, ‘ପିଟିଆଇର ଆଜାଦି ମାର୍ଚ୍ଚ ସମୟରେ ଲାଉଡ୍ ସ୍ପିକର ଓ ମାଇକ୍ ଲଗାଇ ପ୍ରଚାର କରୁଥିଲେ । ସେ ସମୟରେ ଗୁଜରାୱାଲା ର ଆଲ୍ଲାହୱାଲା ଚୌକରେ ଅଜାନ୍ ଚାଲୁଥିଲା । ହେଲେ ଇମ୍ରାନଙ୍କ ଆଜାଦି ମାର୍ଚ୍ଚ ଓ ଜୋରରେ ଗୀତ ବାଜୁଥିବାରୁ ଅଜାନରେ ବ୍ୟାଘାତ ସୃଷ୍ଟି ହେଉଥିଲା । ତେଣୁ ମୁଁ ରାଗିଗଲି’

 ‘ପୂର୍ବରୁ ମଧ୍ୟ ଇମ୍ରାନଙ୍କ ଉପରେ ମୋର ରାଗ ଥିଲା । କାରଣ ଇମ୍ରାନ ସବୁବେଳେ ଲୋକଙ୍କୁ ପଥଭ୍ରଷ୍ଟ କରିଆସୁଛନ୍ତି । ପୁଣି ୩ ତାରିଖରେ ଅଜାନରେ ବ୍ୟାଘାତ ସୃଷ୍ଟି ହେବାରୁ ମୁଁ ନିଜକୁ ସମ୍ଭାଳି ପାରିନଥିଲି  । ତେଣୁ ଇମ୍ରାନଙ୍କୁ ହତ୍ୟା କରିବାକୁ ଘଟଣାସ୍ଥଳରେ ପହଞ୍ଚିଗଲି । ମୁଁ କେବଳ ଆଉ କେବଳ ଇମ୍ରାନଙ୍କୁ ହିଁ ମାରିବାକୁ ଚାହୁଥିଲି…’ ବୋଲି ବୟାନ ଦେଇଛି ଫୈଜଲ ଭଟ୍ଟ ।