କର୍ଣ୍ଣାଟକରେ ବିଜେପିର ପରାଜୟ : ଚିନ୍ତାରେ କେନ୍ଦ୍ରୀୟ ନେତୃତ୍ୱ, ବଦଳିବ ରଣନୀତି

340

କନକ ବ୍ୟୁରୋ : କର୍ଣ୍ଣାଟକରେ ବିଜେପିର ପରାଜୟ ପରେ ଚିନ୍ତାରେ କେନ୍ଦ୍ରୀୟ ନେତୃତ୍ୱ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଚଳିତ ବର୍ଷ ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼ ବିଧାନସଭା ନିର୍ବାଚନ ହେବାର ଅଛି । ଏହି ୪ ରାଜ୍ୟରୁ କେବଳ ମଧ୍ୟପ୍ରଦେଶରେ ବିଜେପି ସରକାରରେ ଅଛି । ତେବେ କର୍ଣ୍ଣାଟକରେ ହାଇଭୋଲଟେଜ ପ୍ରଚାର ସତ୍ୱେ ବିଜେପି ପଦର୍ଶନ ଖରାପ ରହିଥିଲା । ଯାହା ଦଳୀୟ ନେତାମାନଙ୍କୁ ଚିନ୍ତାରେ ପକାଇଦେଇଛି ।

ବିଜେପିର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁସାରେ, ଆଗାମୀ ନିର୍ବାଚନରେ ପ୍ରାର୍ଥୀ ଚୟନ ବେଳେ ବିଜେପି ଜାତିଗତ ଭୋଟକୁ ଦୃଷ୍ଟିରେ ରଖି ପ୍ରାର୍ଥୀ ଚୟନ କରିବ । କାରଣ କର୍ଣ୍ଣାଟକ ନିର୍ବାଚନରୁ ବିଜେପିକୁ ଶିକ୍ଷା ମିଳିଛି । ବିଏସ ୟେଦୁରୂପାଙ୍କୁ ଦଳ ମୁଖ୍ୟ ପଦବୀରୁ ହଟାଇବା ଏବଂ ଜଗଦୀଶ ସେଟ୍ଟର, ଲକ୍ଷ୍ମଣ ସଦାଭୀ ଭଳି ନେତାଙ୍କୁ ଟିକେଟ ନଦେବା ବିଜେପି ପାଇଁ ମହଙ୍ଗା ସାବ୍ୟସ୍ଥ ହୋଇଛି । କୁହାଯାଉଛି ଲିଙ୍ଗାୟତ ଭୋଟ ପାଇଁ ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡିଛି । ତେବେ ଆଗାମୀ ନିର୍ବାଚନରେ ବିଜେପି ଛୋଟ ଛୋଟ ଦଳର ମେଂଟ କରି ନିର୍ବାଚନ ଲଢିବାକୁ ଯୋଜନା କରିଛି ।

କର୍ଣ୍ଣାଟକରେ ଏଥର କେନ୍ଦ୍ରୀୟ ନେତା ଏବଂ ବିଜେପି ଶାସିତ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀମାନେ ପ୍ରଚାରର ମଙ୍ଗ ଧରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ଉତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସମେତ ବିଜେପିର କେନ୍ଦ୍ରୀୟ ନେତା ଏବଂ କେନ୍ଦ୍ରମନ୍ତ୍ରୀ ମାନେ କର୍ଣ୍ଣାଟକରେ ପ୍ରଚାର କରିଥିଲେ । ହେଲେ ରାଜ୍ୟ ଏବଂ ସ୍ଥାନୀୟ ନେତୃତ୍ୱର ଅଭାବ ରହିଥିବାରୁ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ତେଣୁ ଆଗାମୀ ନିର୍ବାଚନରେ ସ୍ଥାନୀୟ ଏବଂ ରାଜ୍ୟ ନେତୃତ୍ୱଙ୍କୁ ଗୁରୁତ୍ୱ ଦେବାକୁ ବିଜେପି ରଣନୀତି ପ୍ରସ୍ତୁତ କରୁଛି ।