ଖରା ଆରମ୍ଭରୁ ଜଳକଷ୍ଟ । ଅଚଳ ପଡ଼ିଛି ନଳକୂପ, କାମରେ ଅସୁନି ଓଭର ହେଡ ଟାଙ୍କି

69

କନକ ବ୍ୟୁରୋ: ଖରା ଆରମ୍ଭରୁ ଜଳକଷ୍ଟ । ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ନଳକୂପ ଅଚଳ ହୋଇପଡ଼ିବାରୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଫଳରେ ପରିତ୍ୟକ୍ତ କୂଅରୁ ପାଣି ପଇବାକୁ ବାଧ୍ୟ ହେଉଛନ୍ତି । ଏଭଳି ସମସ୍ୟା ଦେଖିବାକୁ ମିଳିଛି ବସ୍ତା ବ୍ଳକ ବାଉଁଶମୁଖା ହରିଜନସାହିରେ । ଗାଁରେ ପାଖାପାଖି ୬୦ରୁ ଉଦ୍ଧ୍ୱର୍ ପରିବାର ରହୁଥିବା ବେଳେ ଲୋକ ସଂଖ୍ୟା ପାଖାପାଖି ୪ଶହ । ଆଉ ୪ଶହ ଲୋକଙ୍କ ପାଇଁ ଗାଁରେ ରହିଛି ଗୋଟିଏ ନଳକୂପ, ଗୋଟିଏ ସୌର ଚାଳିତ ନଳକୂପ, ଆଉ ଗୋଟିଏ ଢ଼ାଙ୍କୁଣି ନଥିବା ପରିତ୍ୟକ୍ତ କୂଅ ।

ଖରାଦିନ ଆରମ୍ଭରୁ ନଳକୂପ ଅଚଳ ହୋଇପଡ଼ିଥିବା ବେଳେ ୮ମାସ ହେଲା ବନ୍ଦ ପଡ଼ିଛି ସୌରଚାଳିତ ନଳକୂପ । ତେଣୁ ବାଧ୍ୟ ହୋଇ ଲୋକମାନେ ପରିତ୍ୟକ୍ତ କୂଅ ଉପରେ ନିର୍ଭର କରୁଛନ୍ତି । ସକାଳୁ ସଂଧ୍ୟା ଯାଏଁ ଏହି କୂଅ ନିକଟରେ ଭିଡ଼ ଜୁମୁଛି । ଲୋକଙ୍କ ଦାବି ଯୋଗୁଁ ଗାଁରେ ପାଖାପାଖି ୨କୋଟି ଟଙ୍କା ବିନିମୟରେ ଗୋଟିଏ ଓଭରହେଡ଼ ପାଣିଟାଙ୍କି ନିର୍ମାଣ କରାଯାଇଥିଲେ ମଧ୍ୟ ଠିକାଦାରଙ୍କ ଅବହେଳା ଓ ମନମୁଖୀ କାର୍ଯ୍ୟ ପାଇଁ ଏହା ଦୁଇ ବର୍ଷ ହେଲା ଅଧପନ୍ତରିଆ ହୋଇ ପଡ଼ିରହିଛି ।

ସେପଟେ ମାଲକାନଗିରି ଜିଲ୍ଲାରେ ମଧ୍ୟ ସାମ୍ନାକୁ ଆସିଛି ପାଣି ସମସ୍ୟାର ଚିତ୍ର । ଗରା ମାଠିଆ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ମହିଳା ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ତମସା ଗ୍ରାମ ପଞ୍ଚାୟତର ୬୦ ପ୍ରତିଶତ ନଳକୂପ ଅଚଳ ଥିବା ନେଇ ମହିଳାମାନେ ବହୁବାର ସରପଞ୍ଚ ସ୍ଥାନୀୟ ବିଡିଓଙ୍କୁ ଲିଖିତ ଭାବେ ଜଣାଇଥିଲେ । ତେବେ କୌଣସି ସୁଫଳ ନମିଳିବାରୁ ଏହାର ପ୍ରତିବାଦରେ ୨୧ଟି ୱାର୍ଡର ମହିଳା ମାନେ ନଳକୂପ ମରାମତି ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚିଛନ୍ତି । ତେବେ ଦାବି ପୁରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।