ବର୍ଷାରେ ବେହାଲ ଅର୍କକ୍ଷେତ୍ର : ହାତରେ ଛତା ଧରି ବିଶ୍ୱ ଐତିହ୍ୟକୁ ଦେଖୁଛନ୍ତି ପର୍ଯ୍ୟଟକ

608

କନକ ବ୍ୟୁରୋ : ବର୍ଷାରେ ବେହାଲ ବିଶ୍ୱ ଐତିହ୍ୟ କୋଣାର୍କ ମନ୍ଦିର । ଲଗାଣ ବର୍ଷାରେ ସୂର୍ଯ୍ୟ ମନ୍ଦିର ପରିସରରେ ପାଣି ଜମି ରହିଛି । ବର୍ଷା ଲାଗି ରହିଥିବାରୁ କୋଣାର୍କ ମନ୍ଦିର ଚାରି ପାଖରେ ଜମି ରହିଛି ପାଣି । ଆଉ ଏହି ବର୍ଷା ପାଣି ଭିତରେ ପଶି କୋଣାର୍କ ମନ୍ଦିର ବୁଲି ଦେଖୁଛନ୍ତି ପର୍ଯ୍ୟଟକ । ଏମିତି କି ବର୍ଷା ଯୋଗୁଁ କୋଣାର୍କ ବୁଲିବାକୁ ଆସିଥିବା ପର୍ଯଟକ ଛତା ଧରି ଗୋଟିଏ ସ୍ଥାନରେ ଠିଆ ହୋଇ ରହିଥିବା ବି ଦେଖିବାକୁ ମିଳିଛି ।  ଅନ୍ୟ ଦିନ ଭଳି ପର୍ଯ୍ୟଟକଙ୍କ ଭିଡ ଜମି ନଥିଲେ ମଧ୍ୟ ସକାଳୁ ସକାଳୁ କିଛି ପର୍ଯ୍ୟଟକ କୋଣାର୍କ ମନ୍ଦିର ପରିସରରେ ବୁଲିବା ସହ  ବର୍ଷାର ମଜା ଉଠାଇଛନ୍ତି । ତେବେ ତୁହାକୁ ତୁହା ବର୍ଷା ଯୋଗୁ କିଛି ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି । କୋଣାର୍କ ମନ୍ଦିର ଠାରୁ ଅତି କମରେ ୧୦୦ ମିଟର ଅଂଚଳରେ ପାଣି ଜମି ରହିଥିବା ଦେଖିବାକୁ ମିଳିଛି ।

ଏହାସହ ପୁରୀ ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଅସ୍ତରଙ୍ଗରେ ଦେଖିବାକୁ ମିଳିଛି ଏହାର ବଡ ପ୍ରଭାବ । ଅସ୍ତରଙ୍ଗ ବ୍ଲକରେ ୨୪ ଘଂଟା ଧରି ଲଗାତର ବର୍ଷା ଲାଗି ରହିବା ପରେ ଏବେ ଚାରି ଆଡେ ପାଣି ପାଣି ସ୍ଥିତି । ରାସ୍ତାରେ ପାଣି । ଧାନ ଜମିରେ ପାଣି । ସବୁଠାରୁ ଅଧିକ କ୍ଷତି ଗ୍ରସ୍ତ ହୋଇପାରନ୍ତି ଧାନ ଚାଷୀ । କାରଣ ଧାନ ଜମିରେ ଜମି ରହିଛି ପାଣି । ଏହାରି ଭିତରେ ହେକ୍ଟର ହେକ୍ଟର ଜମିର ଧାନ ଫସଲ ପାଣିରେ ଶୋଇ ରହିଛି । ଧୋଡ ଧରି ସାରିଥିବା ଧାନ ଗଛ ପାଣିରେ ଶୋଇଥିବା ଦେଖିବା ପରେ ଚାଷୀକୁ ଲାଗିଛି ଶକ୍ତ ଝଟକା ।