ଲଗାଣ ବର୍ଷା ଯୋଗୁଁ ୮ଟି ଜିଲ୍ଲାରେ ସ୍କୁଲ ବନ୍ଦ । ୨୦ଟି ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ । ଏସଆରସିଙ୍କ ସୂଚନା, ରାଜ୍ୟକୁ ନାହିଁ ବନ୍ୟା ଭୟ

2,970

କନକ ବ୍ୟୁରୋ: ରାଜ୍ୟରେ ବନ୍ୟା ଭୟ ନାହିଁ ।  ଦୁଇ ଦିନର ଲଗାଣ ବର୍ଷାରେ ୫ଟି ଜିଲ୍ଲାରେ  ଶହେ ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ବେଳେ  ୪୮ଟି ବ୍ଲକ ପ୍ରଭାବିତ ହୋଇଛି । ପୁରୀର କୃଷ୍ଣପ୍ରସାଦ ବ୍ଲକରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଥିବା ବେଳେ ଏବେବି ଅନେକ ସ୍ଥାନରେ ବର୍ଷା ଲାଗି ରହିଛି । ତେବେ ଏଭଳି  ପରିସ୍ଥିତିରେ ରାଜ୍ୟରେ ବନ୍ୟା ପରିସ୍ଥିତିର କୌଣସି ସମ୍ଭାବନା ନାହିଁ ବୋଲି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ କୁମାର ଜେନା ।

ଏସଆରସିଙ୍କ ସୂଚନା ମୁତାବକ, ବର୍ଷା ଯୋଗୁଁ କିଛିଟା ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ଜିଲ୍ଲାପାଳଙ୍କୁ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଯେହେତୁ ଗତ ୨୪ ଘଂଟା ଧରି ରାଜ୍ୟରେ ବର୍ଷା ଲାଗି ରହିଛି ତେଣୁ ଏହାକୁ ଦୃଷ୍ଟିରେ ରଖି ହୀରାକୁଦରେ ୮ଟି ଗେଟ୍ ଖୋଲା ଯାଇଛି । କିନ୍ତୁ ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା କେଉଁଠାରେ ବି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ନାହିଁ । ପରିସ୍ଥିତି ବର୍ତ୍ତମାନ ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ବୋଲି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ କୁମାର ଜେନା ।

ଉପକୂଳ ଓ ଦକ୍ଷିଣ ଓଡିଶାରେ ଲଗାଣ ବର୍ଷା । ଗତକାଲି ଠାରୁ ଆରମ୍ଭ ହୋଇଥିବା ଏବେ ବି ଜାରି ରହିଛି । ଫଳରେ ରାଜ୍ୟର ଅନେକ ଜିଲ୍ଲା ଏଥିରେ ପ୍ରଭାବିତ ହୋଇଛି । ସବୁଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି ପୁରୀ ଜିଲ୍ଲାରେ । ଏହା ପରେ ଗଂଜାନ ଓ ତୃତୀୟ ସ୍ଥାନରେ ଖୋର୍ଧା ଜିଲ୍ଲାରେ ଅଧିକ ବର୍ଷା ରେକର୍ଡ ହୋଇଛି । ସୂଚନା ଅନୁସାରେ ପୁରୀ ଜିଲ୍ଲାରେ ୧୩୮.୩, ଗଂଜାମରେ ୧୨୫.୨ ଓ ଖୋର୍ଧା ଜିଲ୍ଲାରେ ୧୦୫.୭ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେପଟେ ବର୍ଷାକୁ ଦେଖି ସ୍କୁଲ ଛୁଟି ଘୋଷଣା କରିଛନ୍ତି ସରକାର । ସମସ୍ତ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ଆଜି ବର୍ଷା ପାଇଁ ଛୁଟି ଘୋଷଣା ହୋଇଛି ।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଗତକାଲି ଠାରୁ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବହୁ ଜିଲ୍ଲାରେ ବର୍ଷା ହେଉଛି । ଘଡଘଡି ସହ ପ୍ରବଳ ବର୍ଷା ନେଇ ୨୦ଟି ଜିଲ୍ଲାକୁ ସତର୍କ କରାଇ ଦେଇଛି ଭାରତୀୟ ପାଣିପାଗ ବିଭାଗ । ଗଜପତି, ଗଞ୍ଜାମ, ରାୟଗଡା,କନ୍ଧମାଳ, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ପୁରୀ, ଖୋର୍ଦ୍ଦା, କଟକ, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡା, ନୟାଗଡ, ମୟୂରଭଂଜ, କେନ୍ଦୁଝର ବର୍ଷା ଅଧିକ ବର୍ଷାର ସମ୍ଭାବନା ରହିଛି । ବିଶେଷକରି ପଶ୍ଚିମ, ଦକ୍ଷିଣ ଓ ଉପକୂଳରେ ବର୍ଷା ହେବାର ସମ୍ଭାବନା ରହିଛି । ଆହୁରି ୨ ଦିନ ଲଘୁଚାପ ଲଗାଣ ବର୍ଷା ଲାଗି ରହିବ । ଅର୍ଥାତ୍ ୨୬ ତାରିଖ ପରେ ବର୍ଷାର ପରିମାଣ କିଛି ମାତ୍ରାରେ ହ୍ରାସ ପାଇବ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବା ପରେ ବର୍ଷା ଜାରି ରହିଛି ।