ବିଜେପୁରରେ ପୁଣି ଶୁଭିବ କି ଶଙ୍ଖନାଦ? ବଡ଼ ବିଜୟ ଅଭିମୁଖେ ବିଜେଡି; ସବୁ ରାଉଣ୍ଡରେ ବହୁ ଆଗରେ ରୀତା ସାହୁ

480

କନକ ବ୍ୟୁରୋ: ବିଜେପୁରରେ ପୁଣି ଥରେ ଶୁଭିବ କି ଶଙ୍ଖନାଦ ? ପୁଣି ଥରେ ବିଜେପୁରରେ ବିଜୟର ବାନା ଉଡାଇବ କି ବିଜୁ ଜନତା ଦଳ । ନିର୍ବାଚନ କୁରୁକ୍ଷେତ୍ରରେ ବିରୋଧୀଙ୍କୁ ମାତ୍ ଦେଇ ପୁଣି ଥରେ ଦଳର ସୁପ୍ରିମୋଙ୍କ ମାନ ରଖିବେ କି ରୀତା ସାହୁ ? ଏଭଳି ଅନେକ ପ୍ରଶ୍ନ ବର୍ତ୍ତମାନ ସାଧାରଣଙ୍କ ମନରେ ଉଙ୍କିମାରିଲାଣି । କାରଣ ଗତ ୨୧ ତାରିଖରେ ବିଜେପୁର ଉପନିର୍ବାଚନ ପାଇଁ ଅନୁଷ୍ଠିତ ହୋଇଥିବା ମତଦାନର ଆଜି ଆସିବ ଫଳାଫଳ ।ତେବେ ବର୍ତମାନ ଭୋଟ୍ ଗଣତି ସୁଦ୍ଧା ୫୬ ହଜାର ୧୨୬ ଖଣ୍ଡ ଭୋଟ୍ ପାଇ ବିରୋଧୀଙ୍କଠାରୁ ବହୁ ଆଗରେ ଅଛନ୍ତି ବିଜେଡି ପ୍ରାର୍ଥୀ ରୀତା ସାହୁ ।  ସେହିଭଳି ବିଜେପୁରରେ ବିଜେପିକୁ ୨୧ ହଜାର ୨୩୩ ଖଣ୍ଡ ଭୋଟ୍ ମିଳିଥିବା ବେଳେ କଂଗ୍ରେସ ଖାତାକୁ ଯାଇଛି ମାତ୍ର ୩ ହଜାର ୭୪ ଖଣ୍ଡ ଭୋଟ । ତେବେ ପ୍ରତି ରାଉଣ୍ଡରେ ବିରୋଧୀଙ୍କୁ ମାତ୍ ଦେଇଆସିଛନ୍ତି ବିଜେଡିର ସାରଥୀ ରୀତା ସାହୁ ।

୧୪ଟି କାଉଁଟିଙ୍ଗ୍ ଟେବୁଲରେ ହେଉଥିବା ଭୋଟ ଗଣତି ପ୍ରକ୍ରିୟାରେ ଏଯାବତ୍ ୧୧ଟି ରାଉଣ୍ଡର ଗଣତି ଶେଷ ହୋଇଛି । ଆଉ ଏହି ସମସ୍ତ ରାଉଣ୍ଡରେ ପାଖାପାଖି ୪୦ ହଜାର ଭୋଟ ବ୍ୟବଧାନରେ ବିରୋଧୀଙ୍କୁ ମାତ୍ ଦେଉଛନ୍ତି ବିଜେଡି ପ୍ରାର୍ଥୀ ରୀତା ସାହୁ । ୨୦୧୮ ଉପନିର୍ବାଚନରେ ବିଜୟୀ ହୋଇଥିବା ରୀତା ସାହୁ ପୁଣି ବିଜୟୀ ହେଉଛନ୍ତି ବୋଲି କହିବା ବୋଧ ହୁଏ କିଛି ଭୁଲ ହେବ ନାହିଁ । ସେପଟେ ପ୍ରାୟ ଦେଢ଼ବର୍ଷ ଭିତରେ ୩-୩ଟି ନିର୍ବାଚନ ଦେଖିସାରିଛି ବିଜେପୁର । ଆଉ ଏହାରି ଭିତରେ ବି ନବୀନଙ୍କ ଉପରେ ବିଜେପୁରବାସୀଙ୍କ ଆସ୍ଥା ଆଉ ବିଶ୍ୱାସ ଅତୁଟ ରହିଥିବା ପ୍ରତୀୟ ହେଉଛି । ତେବେ ଆଜି ଅପରାହ୍ଣ ସୁଦ୍ଧା ସ୍ପଷ୍ଟ ହୋଇଯିବ ବିଜେପୁର ବାଜିର ବାଦଶାହା କିଏ? ବିଜେପୁରରେ ବିଜେଡିର ଶଙ୍ଖ ବାଜିବ? ବିଜେପିର ପଦ୍ମଫୁଟିବ? ନା’ କଂଗ୍ରେସର ହାତ ଆସିବ?