ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଉପରେ ପୂର୍ଣ୍ଣଚ୍ଛେଦ ଟାଣିଲେ କେନ୍ଦ୍ର ଅର୍ଥମନ୍ତ୍ରୀ । କହିଲେ, ଆଗାମୀ ଦିନରେ କୌଣସି ରାଜ୍ୟକୁ ମିଳିବନି ସ୍ପେଶାଲ୍ ଷ୍ଟାଟସ୍

122

କନକ ବ୍ୟୁରୋ: ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଓଡ଼ିଶା କରି ଆସୁଥିବା ବେଳେ ଏହା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି, ଆଗାମୀ ଦିନରେ ଆଉ କୌଣସି ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦିଆଯିବ ନାହିଁ । ଅର୍ଥ କମିସନ ତାଙ୍କ ରିପୋର୍ଟରେ ଏଥିପାଇଁ ସୁପାରିଶ କରିଛନ୍ତି ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ।

ଭୁବନେଶ୍ୱରରେ ବଜେଟ୍ ପରବର୍ତୀ ଆଲୋଚନା ଚକ୍ରରେ ଯୋଗ ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ କହିଛନ୍ତି ୨୦୨୩-୨୪ ବଜେଟ ଅମୃତ କାଳର ପ୍ରଥମ ବଜେଟ୍ । ଏଥିରେ କ୍ୟାପିଟାଲ ଇନଭେଷ୍ଟମେଣ୍ଟ ପାଇଁ ୧୦ ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ରାଜ୍ୟଗୁଡ଼ିକ ଲାଗି ୫୦ ବର୍ଷ ବିନା ସୁଧରେ ଋଣ ବ୍ୟବସ୍ଥା କରାଯାଇଛି । ଅନୁସୂଚିତ ଜାତି ଓ ଜନଜାତି ତଥା ଆଦିବାସୀଙ୍କ ବିକାଶ ଲାଗି ବଜେଟରେ ଗୁରୁତ୍ୱ ଦିଆଯାଇଛି ।

ଆବାସ ଯୋଜନା, ହର ଘର ନଲ ଆଦି ଯୋଜନାରୁ ସେମାନଙ୍କୁ ବହୁ ଫାଇଦା ମିଳିବ । ଦେଶର ସବୁ ଅଞ୍ଚଳର ବିକାଶକୁ ଗୁରୁତ୍ୱ ଦେଇ ପୂର୍ବରୁ ଆକାଂକ୍ଷୀ ଜିଲ୍ଲା ଆରମ୍ଭ କରାଯାଇଥିଲା । ଚଳିତ ବଜେଟରୁ ଏହାକୁ ପୁନଶ୍ଚ ତୃଣମୂଳ ସ୍ତରକୁ ନେବାକୁ ୫ଶହ ଆକାଂକ୍ଷୀ ବ୍ଲକ ଚିହ୍ନଟ କରାଯାଇଛି । ପେଟ୍ରୋଲିୟମ ଉତ୍ପାଦକୁ ଜିଏସଟିରେ ସାମିଲ କରିବା ପ୍ରସଙ୍ଗରେ ନିର୍ମଳା କହିଛନ୍ତି, ଆରମ୍ଭରୁ ଏହି ପ୍ରସ୍ତାବ ରହିଛି, କେବଳ କେଉଁ ହାରରେ ଜିଏସଟି ଲାଗିବ ତାହା ଧାର୍ଯ୍ୟ ହୋଇନାହିଁ ।