ଅରୂପଙ୍କ ଧମକକୁ ଚ୍ୟାଲେଞ୍ଜ କଲେ ବିରୋଧୀ ଦଳ ନେତା । କହିଲେ, ତାଙ୍କୁ ମାରିବାକୁ ଯେଉଁ ଜାଗାକୁ ଡାକିବେ ସେ ଯିବାକୁ ପ୍ରସ୍ତୁତ

ଏପଟେ ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେପି । ଜୟନାରାୟଣଙ୍କ ବହିଷ୍କାର ଦାବି ଦୋହରାଇଲା ବିଜେଡି

131

କନକ ବ୍ୟୁରୋ: ରାଜନୀତିରେ ‘ଧମକ’ ଉପାଖ୍ୟାନ । ବିଜେଡି ଓ ବିଜେପି ନେତାଙ୍କ ମଧ୍ୟରେ କଥା କଟାକଟି । ମହିଳା ପୁଲିସ ଅଧିକାରୀ-ବିରୋଧୀ ଦଳ ନେତାଙ୍କ ଧକ୍କା ମରାମରି ଘଟଣାରେ ଦୁଇ ଦିନ ହେଲା ରାଜ୍ୟ ରାଜନୀତି ସରଗରମ ହୋଇଯାଇଛି । ଏହି ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି । ତେବେ ଏହାକୁ ଆହୁରି ସରଗରମ କରିଛି ଆଇପିଏସ ଅଧିକାରୀରୁ ନେତା ବନିଥିବା ଅରୂପ ପଟ୍ଟନାୟକଙ୍କ ବୟାନ । ଭରା ସଭାରେ ଅରୂପଙ୍କ ଧମକ ପରେ ଏହାର ଜବାବ ରଖିଛନ୍ତି ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର । କହିଛନ୍ତି, ତାଙ୍କୁ ମାରିବାକୁ ଯେଉଁ ଜାଗାକୁ ଡାକିବେ ସେ ଯିବାକୁ ପ୍ରସ୍ତୁତ ।

  • ଅରୂପଙ୍କ ଧମକ ପରେ ଜୟନାରାୟଣଙ୍କ ଚ୍ୟାଲେଞ୍ଜ
  • ‘ଯେଉଁ ଜାଗାକୁ ଡାକିବେ ଯିବାକୁ ପ୍ରସ୍ତୁତ’

ଏପଟେ ବିଜେଡି ନେତା ଅରୂପ ପଟ୍ଟନାୟକଙ୍କ ବୟାନକୁ ବିରୋଧ କରି ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ଶାସକ ଦଳ ଚକ୍ରାନ୍ତ କରି ଜୟନାରାୟଣ ମିଶ୍ରଙ୍କୁ ବିଧାନସଭା ପୂରାଇ ନଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛି ବିଜେପି । ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ, ଜୟନାରାୟଣ ମିଶ୍ର ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରୁଥିବାରୁ ଯୋଜନାବଦ୍ଧ ଭାବେ ତାଙ୍କୁ ଟାର୍ଗେଟ୍ କରାଯାଉଛି ବୋଲି ଦଳ ଅଭିଯୋଗ କରିଛି । ଏ ନେଇ ଭୁବନେଶ୍ୱରର କ୍ୟାପିଟାଲ ଥାନାରେ ଏତଲା ଦେଇଛି ବିଜେପି । ସେପଟେ ଜୟନାରାୟଣଙ୍କ ବହିଷ୍କାର ଦାବିକୁ ଦୋହରାଇଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ ।

ବିରୋଧୀ ଦଳ ନେତା ପଦରୁ ଜୟନାରାୟଣଙ୍କ ବହିଷ୍କାର ଦାବି କରି ଗତକାଲି ବିଜେଡି ହଲ୍ଲାବୋଲ କରିଥିଲା । ଆଜି ଅରୂପଙ୍କ ବିବାଦୀୟ ବୟାନକୁ ନେଇ ଶାସକ ଦଳକୁ ଘେରିଛି ବିଜେପି । ଏହି ପ୍ରସଙ୍ଗକୁ ନେଇ ଯୁବମୋର୍ଚ୍ଚା ତୃଣମୂଳ ସ୍ତରରୁ ଆନ୍ଦୋଳନ କରିବ । ଆଗାମୀ ୩ ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ଆନ୍ଦୋଳନ ହେବ ବୋଲି କହିଛନ୍ତି ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ । ଅନ୍ୟପଟେ ଇରାଶିଷଙ୍କ ଉପରେ ବର୍ଷିଛନ୍ତି ବିଜେଡି ମୁଖପାତ୍ର ଚିନ୍ମୟ ସାହୁ ।

ଜୟନାରାୟଣଙ୍କୁ ବିରୋଧୀ ଦଳ ନେତା ପଦରୁ ହଟାଇବା ଦାବି ପରିପ୍ରେକ୍ଷୀରେ ଗତକାଲି ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ଦୟାରେ ସେ ବିରୋଧୀ ଦଳ ନେତା ହୋଇନାହାନ୍ତି । ଯାହାର ଜବାବ ଦେଇ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ବିଜେଡିର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । ସେ ଲେଖିଛନ୍ତି, ଜଣେ କର୍ତ୍ତବ୍ୟରତ ମହିଳା ଅଧିକାରୀଙ୍କୁ ଜୟନାରାୟଣ ମିଶ୍ର ଶାରୀରିକ ଆକ୍ରମଣ କରିଛନ୍ତି, ତାଙ୍କୁ କେବେ ନ୍ୟାୟ ଦେବ ବିଜେପି, ତାହା ଓଡ଼ିଶାବାସୀ ଜାଣିବାକୁ ଚାହୁଁଛନ୍ତି । ତେବେ ଧକ୍କା ମରାମରି ଘଟଣାରେ ରାଜନୀତି ତେଜିବାରେ ଲାଗିଛି, କିନ୍ତୁ ଦୁଇ ଦିନ ବିତିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ପୁଲିସ ।