ଦୁର୍ବୃତ୍ତଙ୍କ ଟାର୍ଗେରେ ନୀଳକଣ୍ଠେଶ୍ୱର ମନ୍ଦିର । ମୁଗୁନି ଗଣେଷ ମୂର୍ତ୍ତି ଚୋରି ପାଇଁ ଉଦ୍ୟମ । ବାଲିପାଟଣାରେ ଉତ୍ତେଜନା

36

କନକ ବ୍ୟୁରୋ: ଠାକୁରଙ୍କୁ ବି ବି ଛାଡିଲେନି ଦୁର୍ବୃତ୍ତା ମନ୍ଦିରକୁ କଲେ ଟାର୍ଗେଟ । ବାଲିପାଟଣା ସରାଟ ମୌଜାର ଆରାଧ୍ୟ ପ୍ରଭୁ ନୀଳକଣ୍ଠେଶ୍ୱର ମନ୍ଦିରକୁ ମୂର୍ତ୍ତିଚୋର ଗ୍ୟାଙ୍ଗ ପୁନର୍ବାର ଟାର୍ଗେଟ କରିଛନ୍ତି। ମନ୍ଦିରର ପାର୍ଶ୍ୱଦେବତା ରୂପେ ବିରାଜିତ ଅଷ୍ଟଭୁଜ ମୁଗୁନି ଗଣେଶଙ୍କ ମୂଲ୍ୟବାନ ମୂର୍ତ୍ତିଟିକୁ ଗତକାଲି ରାତିରେ ଚୋରି କରିବାକୁ ଉଦ୍ୟମ କରିଥିଲେ ହେଁ ଏଥିରେ ବିଫଳ ହୋଇଛନ୍ତି।

ମନ୍ଦିର ବେଢ଼ାରେ ହଜାର ହଜାର ଟଙ୍କା ମୂଲ୍ୟର ମାଇକ ସେଟ, ଘଣ୍ଟଘଣ୍ଟି ସହ ବହୁ ଦାମୀ ସରଞ୍ଜାମ ଥିଲେ ବି ଗ୍ୟାଙ୍ଗର ସଦସ୍ୟମାନେ କେବଳ ମୂର୍ତ୍ତିଟିକୁ ଟାର୍ଗେଟ କରିଥିଲେ। ଏକ ୪ଚକିଆ ଗାଡ଼ିରେ ଆସି ଶାବଳରେ ମୂର୍ତ୍ତିଟିକୁ ତାଡ଼ିବାକୁ ଚେଷ୍ଟା କରି ବିଫଳ ହେବା ପରେ ଅଧା ଛାଡ଼ି ଚାଲିଯାଇଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଘଟଣାଟି ଆଜି ସକାଳୁ ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।ଖବର ପାଇ ବାଲିପାଟଣା ପୁଲିସର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।ଏନେଇ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରାଯାଇଛି।
ମନ୍ଦିର ପୂଜକ ଶରତ ଚନ୍ଦ୍ର ପଣ୍ଡାଙ୍କ କହିବା ମୁତାବକ ଅଷ୍ଟଭୁଜ ମୁଗୁନି ପଥରର ଏତେ ପୁରୁଣା ମୂର୍ତ୍ତି ପ୍ରାୟତଃ କେଉଁଠି ଦେଖାଯାଏ ନାହିଁ।ଏହି ମୂର୍ତ୍ତିଟିର ଛତ୍ରିକୁ କଳାପାହାଡ଼ ଭାଙ୍ଗିଦେଇଥିବା କଥିତ ଅଛି। ମୂର୍ତ୍ତିଟିର ଦାମ ବି କଳନା କରିହେବ ନାହିଁ।

ତେଣୁ ଏଭଳି ଏକ ବିରଳ ମୂର୍ତ୍ତିକୁ ଦେଶ ବାହାରେ ନେଇ ବିକ୍ରି ଉଦ୍ଦେଶ୍ୟରେ ଟାର୍ଗେଟ କରାଯାଇଥିବା ଅନୁମାନ କରାଯାଉଛି। ମନ୍ଦିରଟି ବାଲିପାଟଣା ବ୍ଲକର ଏକ ବହୁ ପୁରାତନ ଶୈବପୀଠ। କିଛି ବର୍ଷ ତଳେ ମନ୍ଦିରରୁ ବହୁ ମୂଲ୍ୟବାନ ମୂର୍ତ୍ତି ଚୋରି ହୋଇଥିଲା। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ପୁଲିସ ପାଇଁ ଘଟଣାଟି ସେତେବେଳେ ଚ୍ୟାଲେଞ୍ଚ ସୃଷ୍ଟି କରିଥିଲା।ଏହି ପୁରାତନ ମନ୍ଦିରର ମୂଲ୍ୟବାନ ମୂର୍ତ୍ତିକୁ ଚୋରମାନେ ବାରମ୍ବାର ଟାର୍ଗେଟ କରୁଛନ୍ତି। ତେଣୁ ପୁରାତନ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ପାଇଁ ପୁଲିସ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଦାବି କରିଛନ୍ତି।