ସେନା ମୁଖ୍ୟ ପଦରୁ ଅବସର ନେଲେ ଜେନେରାଲ ବିପିନ ରାୱତ : ଆସନ୍ତାକାଲି ଦେଶର ପ୍ରଥମ ଚିଫ ଡିଫେନ୍ସ ଅଫ ଷ୍ଟାଫ ମୁଖ୍ୟ ଭାବେ ନେବେ ଦାୟିତ୍ୱ

138

କନକ ବ୍ୟୁରୋ : ୩ ବର୍ଷର କାର୍ଯ୍ୟକାଳ ପୂରା କରିବ ସହିତ ଆଜି ସେନା ମୁଖ୍ୟ ପଦରୁ ଅବସର ନେଇଛନ୍ତି ଜେନେରାଲ ବିପିନ ରାୱତ । ଦେଶର ପ୍ରଥମ ଚିଫ ଅଫ ଡିଫେନ୍ସ ଷ୍ଟାଫ ଭାବେ ଆସନ୍ତାକାଲି ଦାୟିତ୍ୱ ନେବେ ବିପିନ ରାୱତ । କାର୍ଯ୍ୟକାଳର ଶେଷ ଦିନରେ ନୁଆ ଦିଲ୍ଲୀ ସ୍ଥିତ ଯୁଦ୍ଧ ସ୍ମାରକୀରେ  ପହଚିଂ ସହିଦଙ୍କୁ ଶ୍ରଦ୍ଧାଂଜଳୀ ଦେଇଛନ୍ତି । ଏହା ସହ ସାଉଥ ବ୍ଲକରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ଚିଫ ଅଫ ଡିଫେନ୍ସ ଷ୍ଟାଫ ଭାବେ ଦାୟିତ୍ୱ ନେବା ପୂର୍ବରୁ ବିପିନ ରାୱତ ସମସ୍ତ ଯବାନଙ୍କୁ ଶୁଭକାମନା ଦେବା ସହ ନୂଆବର୍ଷର ଶୁଭେଚ୍ଚା ଦେଇଛନ୍ତି ।

ସେନାମୁଖ୍ୟ ଜେନେରାଲ ବିପିନ୍ ରାଓ୍ଵତ୍‌ ଆଜି (‌ମଙ୍ଗଳବାର) ନିଜ ପଦରୁ ଅବସର ଗ୍ରହଣ କରିବା ଅବସରରେ ଭାରତୀୟ ସେନାର ସମର୍ଥନ ଓ ସହଯୋଗ ପାଇଁ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି। ୩ ବର୍ଷର କାର୍ଯ୍ୟକାଳ ସାରି ପଦରୁ ଅବସର ନେଉଥିବା ଜେନେରାଲ୍‌ ରାୱତ କହିଛନ୍ତି, ‘ଆଜି ମୁଁ ସେନାଧ୍ୟକ୍ଷ ପଦରୁ ବିଦାୟ ନେଉଛି। ଆହ୍ବାନମୂଳକ ସମୟମାନଙ୍କରେ ମୋ ସହ ରହିଥିବାରୁ ଭାରତୀୟ ସେନାର ସୈନିକ ଓ ଅଧିକାରୀମାନଙ୍କୁ ମୁଁ ମୋର କୃତଜ୍ଞତା ଜଣାଉଛି। ସେନାମୁଖ୍ୟ କେବଳ ଏକ ରାଙ୍କ୍‌ ମାତ୍ର। ସମସ୍ତଙ୍କ ସହାୟତା ନଥିଲେ ମୁଁ କ‌େବେ ବି ଏକା କାମ କରିପାରିନଥାନ୍ତି। ଥ୍ୟାଙ୍କ୍‌ ୟୁ, ଧନ୍ୟବାଦ, ଜୟ ହିନ୍ଦ୍‌।’

ଅନ୍ୟପଟେ ରାୱତଙ୍କ ସ୍ଥାନରେ ପରବର୍ତ୍ତୀ ସେନାମୁଖ୍ୟ ଭାବେ ନିଯୁକ୍ତ ହୋଇଥିବା ମନୋଜ ମୁକୁନ୍ଦ ନରୱାଣେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ।  ବିପିନ ରାୱତ କହିଛନ୍ତି ସିଡିଏସ କେବଳ ଏକ ପଦବୀ । ଜଣେ ସେନାଧ୍ୟକ୍ଷ ହିସାବରେ ମୁଁ ମୋର ବର୍ତ୍ତମାନର ଦାୟିତ୍ବ ଉପରେ ଧ୍ୟାନ ଦେଉଛି।  ଅନ୍ୟ କିଛି ବିଷୟରେ ମୁଁ ଭାବିନାହିଁ। ଏବେ ଏକ ନୂଆ କାର୍ଯ୍ୟ ମୋତେ ଦିଆଯାଇଛି, ମୁଁ ଏ ବିଷୟରେ ଚିନ୍ତା କରିବି ଯେ ଜଣେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ଭାବେ କ’ଣ ଓ କେମିତି କରିବା ଉଚିତ।’ ସେନାର ସମସ୍ତ ଯବାନ ଏହି ପଦବୀରେ ଅବସ୍ଥାପିତ ବ୍ୟକ୍ତିଙ୍କୁ ସହଯୋଗ କରିଥାନ୍ତି । ସେହି ସହଯୋଗ ବଳରେ ଦେଶର ସେନା ଆଗକୁ ବଢେ । ସମସ୍ତ ଯବାନଙ୍କୁ ସାଥୀରେ ନେଇ କାମ କଲେ ସଫଳତା ମିଳେ ବୋଲି ବିପିନ ରାୱତ୍ କହିଛନ୍ତି ।