ତାମିଲନାଡୁରେ ଚାଲିବନି ‘ଦ କେରଳ ଷ୍ଟୋରୀ’, ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜର ରଖି ମଲ୍ଟିପ୍ଲେକ୍ସ ସଂଗଠନର ନିଷ୍ପତ୍ତି

536

କନକ ବ୍ୟୁରୋ : ‘ଦ କେରଳ ଷ୍ଟୋରୀ’ କୁ ନେଇ ସାରା ଦେଶରେ ଏବେ ବିବାଦ ଦେଖିବାକୁ ମିଳିଛି । ଗୋଟିଏ ପଟେ ଶୁକ୍ରବାର ଦିନ ରିଲିଜ ହୋଇଥିବା ଏହି ଫିଲ୍ମକୁ ବକ୍ସ ଅଫିସରେ ବଡ ସଫଳତା ମିଳିଥିବା ବେଳେ ଏହାକୁ ନେଇ ବିବାଦ ଏବେ ଉଗ୍ରରୂପ ନେଉଛି । କେରଳ ସରକାର ଏହାକୁ ଉର୍ଦ୍ଦେଶ୍ୟ ପ୍ରଣୋଦିତ ଭାବେ ନିର୍ମାଣ କରାଯାଇଥିବା କଥା କହିଥିବା ବେଳେ ବିଜେପି ଏହାକୁ କେରଳର ବାସ୍ତବ ଚିତ୍ର ବୋଲି ଦାବି କରୁଛି । ଏସବୁ ଭିତରେ ମଧ୍ୟପ୍ରଦେଶ ବିଜେପି ସରକାର ଏହି ସିନେମା ଉପରେ ପ୍ରମୋଦ କର ଛାଡ କରିଥିବା ବେଳେ ତାମିଲନାଡୁ ମଲ୍ଟିପ୍ଲେକ୍ସ ଆସୋସିଏସନ କିନ୍ତୁ ତାମିଲନାଡୁରେ ଏହି ସିନେମା ଚଲାଇବ ନାହିଁ ବୋଲି ନିଷ୍ପତ୍ତି ନେଇଛି । ତାମିଲନାଡୁ ମଲ୍ଟିପ୍ଲେକ୍ସ ସଂଗଠନ କହିଛି କି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

ସେପଟେ ଶୁକ୍ରବାର ଦିନ ଏହି ସିନେମା ରିଲିଜ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏଥିରେ କେରଳର ଝିଅମାନଙ୍କୁ କିଭଳି ଭାବେ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରାଯିବା ଓ ସେମାନଙ୍କୁ ନେଇ ଆତଙ୍କୀ ସଂଗଠନ ଆଇଏସଆଇ ଏସରେ ଜଏନ କରାଇବା ଉପରେ ସିନେମା ନିର୍ମାଣ ହୋଇଛି ବୋଲି କୁହାଯାଉଛି । ଏହାକୁ ବ୍ୟାନ କରିବାକୁ କେରଳ ସରକାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କି ଅଦାଲତ ଏହା ଉପରେ ରୋକ ଲଗାଇବାକୁ ସିଧାସଳଖ ମନା କରିଦେଇଥିଲେ ।

ଅନ୍ୟପଟେ ଏହି ସିନେମା ଶୁକ୍ରବାର ଦିନ ରିଲିଜ ହେବା ପରେ ଏହା ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିବା କଥା କୁହାଯାଉଛି । ୨ଦିନ ମଧ୍ୟରେ ଏହି ସିନେମା ଭାରତରେ ୨୦ କୋଟି ଟଙ୍କା ରୋଜଗାର କରିଥିବା କଥା କୁହାଯାଉଛି ।