ହିନ୍ଦି ଚିଠିର ଓଡିଆ ଉତ୍ତର ! କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ତଥାଗତ କହିଲେ ‘ମୁଁ ହିନ୍ଦି ବୁଝିପାରୁନାହିଁ’
କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ହିନ୍ଦି ଚିଠିର ଓଡ଼ିଆରେ ଉତ୍ତର ରଖିଛନ୍ତି ବିଜେଡି ସାଂସଦ ତଥାଗତ ଶତପଥୀ । କହିଛନ୍ତି-ସେ, ହିନ୍ଦୀ ବୁଝିପାରନ୍ତି ନାହିଁ । ହିନ୍ଦି ଭାଷା ପଢ଼ିବାରେ ସମର୍ଥ ନଥିବାରୁ ସେ ଓଡ଼ିଆ କିମ୍ବା ଇଂରାଜୀରେ ଚିଠି ଲେଖିବାକୁ କେନ୍ଦ୍ର ଗ୍ରାମୀଣ ଓ ପଂଚାୟତି ରାଜମନ୍ତ୍ରୀଙ୍କୁ ଜଣାଇଥିବା କହିଛନ୍ତି । ପୂର୍ବରୁ ୟୁପିଏ ସରକାର ଥିବା ସମୟରେ ଯାହା ଚିଠି ଆସୁଥିଲା ତାହା ଉଭୟ ହିନ୍ଦୀ ଏବଂ ଇଂରାଜୀରେ ଥିଲା । ଦେଶର ବିଭିନ୍ନତାକୁ ଦୃଷ୍ଟିରେ ରଖି ସରକାର ଏଭଳି କରୁଥିଲେ । କିନ୍ତୁ ଏବେକାର ସରକାର ନିଜ ଇଚ୍ଛାକୁ ଅନ୍ୟ ଉପରେ ଲଦିବାକୁ ଚେଷ୍ଟା କରୁଛନ୍ତି । ସମ୍ବିଧାନରେ ଥିବା ୨୨ଟି ଭାଷାକୁ ଭାଙ୍ଗିଦେବା ପାଇଁ ଚେଷ୍ଟା କରୁଥିବା କହିଛନ୍ତି ବିଜେଡି ସାଂସଦ । ଯାହା ଦେଶକୁ ନଷ୍ଟ କରିଦେବ ବୋଲି ତଥାଗତ ଶତପଥୀ କହିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଗତ ୧୧ ତାରିଖରେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ପ୍ରଧାନମନ୍ତ୍ରୀ ମୋଦିଙ୍କ ନ୍ୟୁ ଇଣ୍ଡିଆ ଅଭିଯାନ ସଂପର୍କରେ ଏକ ଚିଠି ଲେଖିଥିଲେ । ଯେଉଁଥିରେ ଜିଲ୍ଲା, ପଂଚାୟତ ଏବଂ ବ୍ଲକ୍ ସ୍ତରରେ ଗ୍ରାମସଭା ଆଦି କରିବାକୁ ଏଥିରେ ଲେଖାଯାଇଥିଲା । ତେବେ ଚିଠିଟି ହିନ୍ଦିରେ ଥିବାରୁ ସାଂସଦ ପଢ଼ିବାରେ ଅସମର୍ଥ ଥିବା ଦର୍ଶାଇ ପ୍ରତିଉତରରେ କେନ୍ଦ୍ରମନ୍ତ୍ରୀଙ୍କୁ ଓଡ଼ିଆ ଚିଠି ଲେଖି କହିଥିଲେ- ଚିଠିରେ ଯାହା ଲେଖାଯାଇଛି ବୁଝିପାରୁନାହିଁ । ଏବଂ ଓଡ଼ିଆ ନଚେତ୍ ଇଂରାଜୀରେ ଲେଖିବାକୁ ଅନୁରୋଧ କରିଥିଲେ ।
ସାଂସଦ ତଥାଗତ ଶତପଥୀ ଏହି ଚିଠିଟିକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ପରେ ଏହାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଅନ୍ୟପଟେ ଏହି ଘଟଣାରେ ବିଜେପି ସାଂସଦଙ୍କୁ ପରାମର୍ଶ ଦେଇ କହିଛି- ସେ ନିଜେ ସାଂସଦ ଥିବାରୁ କେମିତି ଓଡ଼ିଆ ତଥା ଅନ୍ୟ ଭାଷାକୁ ପ୍ରାଧାନ୍ୟ ମିଳିବ ସେନେଇ ଉଦ୍ୟମ କରନ୍ତୁ ।