ରେଳ ମନ୍ତ୍ରାଳୟର ନୂଆ ନିୟମ ! ଜିଆରପି କିମ୍ବା ଆରପିଏଫର ନାହିଁ ଯାତ୍ରୀଙ୍କ ଟିକେଟ୍ ଚେକ୍ କରିବାର ଅଧିକାର
ଆପଣ ଯଦି କେବେ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଏହି ସମୟରେ କୌଣସି ରେଳ ପୁଲିସ କର୍ମୀ ଆପଣଙ୍କୁ ଯାଂଚ ପାଇଁ ଆପଣଙ୍କର ଟିକେଟ୍ ମାଗୁଛନ୍ତି ତେବେ ଏଥିପାଇଁ ଆପଣ ତାଙ୍କୁ ନିଜର ଟିକେଟ ଦେଖାଇବାକୁ ରୋକଠୋକ୍ ମନା କରିପାରିବେ । କାରଣ ନା ଏହି ଅଧିକାର କେବଳ ଟିଟିଇ ଏବଂ କମର୍ସିଆଲ ଷ୍ଟାଫମାନଙ୍କର ହିଁ ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ରେଳ ମନ୍ତ୍ରାଳୟ ନିୟମ ଅନୁସାରେ, ଏଭଳି ପରିସ୍ଥିତିରେ ଆପଣ କମର୍ସିଆଲ ଷ୍ଟାଫ୍ ଆରପିଏଫଙ୍କ ସହାୟତା ନିଶ୍ଚୟ ଭାବେ ନେଇପାରିବେ । କିନ୍ତୁ ନିୟମ ସଂପର୍କରେ ସୂଚନା ନଥିବା କାରଣରୁ ସାଧାରଣ ଯାତ୍ରୀମାନେ ବିଭିନ୍ନ ଠକାମୀର ଶିକାର ହୋଇଥାନ୍ତି । ଆରପିଏଫ କିମ୍ବା ଜିଆରପିଏଫର କର୍ମଚାରୀମାନେ ଯାତ୍ରୀଙ୍କୁ ହଇରାଣ କରୁଥିବାର ଭିଡିଓ ଅନେକ ସମୟରେ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାର ଦେଖିବାକୁ ମିଳିଥାଏ । ଖାଲି ସେତିକି ନୁହେଁ ଅଧିକାଂଶ ସମୟରେ ତ ରେଳ ବିଭାଗର କିଛି ପୋଲିସ କର୍ମଚାରୀମାନେ ଯାତ୍ରୀମାନଙ୍କଠାରୁ ଟଙ୍କା ନେଇ ସିଟ୍ ଦେଉଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି ।
ତେବେ ରେଳ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଏହି ନିୟମ ରେଳ ବିଭାଗରେ ବହୁତ ପୂର୍ବରୁ ହିଁ ଲାଗୁ ହୋଇସାରିଛି । ଯେଉଁଥିରେ ରହିଛି କି ଜିଆରପି କିମ୍ବା ଆରପିଏଫର କାମ ଟିକେଟ ଚେକ୍ କରିବା ନୁହେଁ । ବରଂ ଟିଟିଇ, ବ୍ୟାଚ୍ ତଥା କମର୍ସିଆଲ ଷ୍ଟାଫମାନଙ୍କୁ ହିଁ ଯାତ୍ରୀଙ୍କଠାରୁ ଟିକେଟ୍ ମାଗିବାର ଅଧିକାର ନ୍ୟସ୍ତ କରାଯାଇଛି । ଆଉ ଆବଶ୍ୟକ ପଡିଲେ ରେଳ ମନ୍ତ୍ରାଳୟର କମର୍ସିଆଲ ଷ୍ଟାଫ ଆରପିଏଫର ସହାୟତା ନେଇ ପାରିବେ ।
ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ନିୟମକୁ ବର୍ତ୍ତମାନ ଗୁରୁତର ସହ ନିଆଯାଇଛି । ଯଦି କୌଣସି ବି ପୁଲିସ କର୍ମୀ ବିରୋଧରେ ଟିକେଟ୍ ଚେକ୍ କରୁଥିବା ଅଭିଯୋଗ ଆସେ ତେବେ ଉକ୍ତ ପୁଲିସ କର୍ମୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦିଆଯିବ ବୋଲି ରେଳ ମନ୍ତ୍ରାଳୟ ସ୍ପଷ୍ଟ କରିଛି ।
ସୌଜନ୍ୟ: ଗାଁଓକନେକ୍ସନ