ଜାଣନ୍ତୁ କିଏ ସେ ୫ ଜଣ ବିଚାରପତି ! ଯାହାଙ୍କ ପାଇଁ ଚାଲିଗଲା ନୱାଜ ସରିଫଙ୍କ ଚୌକି

68

ଆର୍ଥିକ ଅନିୟମିତତା, ଦୁର୍ନୀତି ଓ ବିଦେଶରେ ସମ୍ପତ୍ତି ରଖିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ । ବିଦେଶରେ ସମ୍ପତ୍ତି ରଖିବା ଅଭିଯୋଗ ନେଇ ପାନାମା ପେପରରେ ସରିଫଙ୍କ ନାଁ ପ୍ରକାଶ ପାଇବା ପରେ ସୁପ୍ରିମକୋର୍ଟରେ ତାଙ୍କ ନାଁରେ ମାମଲା ଦାଖଲ କରାଯାଇଥିଲା । ଶେଷରେ ସରିଫଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟର ୫ଜଣ ବିଚାରପତି ।

ସେପଟେ କୋର୍ଟଙ୍କ ନିଷ୍ପତ୍ତି ପରେ ସରିଫଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡିଛି । ସୁପ୍ରିମକୋର୍ଟର ୫ ଜଣ ବିଚାରପତି, ସରିଫଙ୍କ ବିରୋଧରେ ରାୟ ପ୍ରକାଶ କରିଥିଲେ । ଏହି ନିଷ୍ପତ୍ତି ପରେ ନୱାଜ ସରିଫ ଏବେ ଆଜୀବନ ନିର୍ବାଚନ ଲଢିବାରୁ ବଂଚିତ ହୋଇଛନ୍ତି । ତେବେ ଆସନ୍ତୁ ଜାଣିବା ସରିଫଙ୍କ ବିରୋଧରେ ରାୟ ପ୍ରକାଶ କରିଥିବା ୫ ଜଣ ବିଚାରପତିଙ୍କ ବାବଦରେ ।

ଜଷ୍ଟିସ୍ ଆସିଫ୍ ସଇଦ୍ ଖାନ୍ ଖୋସା
୨୦୧୦ରେ ଆସିଫ୍ ସଇଦ୍ ସୁପ୍ରିମକୋର୍ଟର ବିଚାରପତି ହୋଇଥିଲେ । ସେ ପାନାମା ଲିଙ୍କ୍ ମାମଲାର ତଦନ୍ତ କରୁଥିବା ବ୍ୟାଚର ଅଧ୍ୟକ୍ଷ ଥିଲେ । ନିଜ ୧୮ ବର୍ଷର ଚାକିରୀ କାଳ ଭିତରେ ଆସିଫ୍ ପାଖାପାଖି ୫୦,୦୦୦ଟି ମାମଲାର ଶୁଣାଣି କରିସାରିଛନ୍ତି ।

ଜଷ୍ଟିସ୍ ଗୁଲଜାର ଅହମ୍ମଦ
ଗୁଲଜାର ଅହମ୍ମଦ ନିଜ କ୍ୟାରିୟରର ଆରମ୍ଭ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟର ଆଇନଜୀବୀ ଭାବେ କରିଥିଲେ । ୨୦୦୨ରେ ଗୁଲଜାର ଅହମ୍ମଦ ହାଇକୋର୍ଟର ବିଚାରପତି ହୋଇଥିଲେ, ସେହିପରି ୨୦୧୧ରେ ତାଙ୍କୁ ସୁପ୍ରିମକୋର୍ଟର ବିଚାରପତି କରାଯାଇଥିଲା ।

ଜଷ୍ଟିସ୍ ଏଜାଜ୍ ଅଫଜଲ୍ ଖାନ
୧୯୭୭ରେ ଲ’ କଲେଜରୁ ଉଚ୍ଚଶିକ୍ଷା ତଥା ଗ୍ରାଜୁଏସନ ପାସ୍ କରିଥିଲେ । ସେ ୧୯୯୧ରେ ସୁପ୍ରିମକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ୯ ବର୍ଷ ଯାଏଁ ହାଇକୋର୍ଟରେ ବିଚାରପତି ରହିସାରିଛନ୍ତି । ୨୦୧୧ରେ ସୁପ୍ରିମକୋର୍ଟର ବିଚାରପତି ହୋଇଥିଲେ । ପାନାମା ମାମଲାରେ ନୱାଜ ସରିଫଙ୍କ ବିରୋଧରେ ନିଷ୍ପତ୍ତିରେ ତାଙ୍କର ରହିଛି ପ୍ରମୁଖ ଭୂମିକା ।

ଜଷ୍ଟିସ୍ ଏଜାଜ୍ ଉଲ୍ ଏହସାନ
ପଂଜାବ ୟୁନିଭର୍ସିଟିରୁ ଲ’ କରିଥିବା ଏହସାନ ନିଜର ପୋଷ୍ଟ ଗ୍ରାଜୁଏଟର ପାଠପଢା ନ୍ୟୁୟର୍କରେ କରିଥିଲେ । ସେ ୨୦୧୧ରେ ଲାହୋର ହାଇକୋର୍ଟର ବିଚାରପତି ଭାବେ କାମ କରିସାରିଛନ୍ତି । ସେହିପରି ୨୦୧୬ରେ ସୁପ୍ରିମକୋର୍ଟର ବିଚାରପତି ଦାୟିତ୍ୱ ଭାର ତୁଲାଇ ଥିଲେ ।

ଜଷ୍ଟିସ୍ ସେଖ୍ ଅଜମଦ ସଇଦ
ଜଷ୍ଟିସ୍ ସଇଦ ୧୯୮୦ରେ ଲାହୋର ହାଇକୋର୍ଟରୁ ଓକିଲାତି କରିଥିଲେ । ୨୦୦୪ରେ ସେ ହାଇକୋର୍ଟର ଅତିରିକ୍ତ ବିଚାରପତି ହୋଇଥିଲେ ଏବଂ ୨୦୧୨ରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟ ଭାର ତୁଲାଇଛନ୍ତି ।

ସୂଚନା ମୁତାବକ, ପାକିସ୍ତାନର ସୁପ୍ରିମକୋର୍ଟ ଏନଏବିକୁ ଆଦେଶ ଦେଇଛନ୍ତି କି ସେ ଦୁଇ ସପ୍ତାହ ମଧ୍ୟରେ ନୱାଜ ସରିଫଙ୍କ ବିରୋଧରେ ମାମଲା ଦାଖଲ କରନ୍ତୁ । ସୁପ୍ରିମକୋର୍ଟ ସରିଫଙ୍କୁ ନିଜ ପଦବୀରୁ ତୁରନ୍ତ ଇସ୍ତଫା ଦେବାକୁ ନିର୍ଦ୍ଦେ ଶ ଦେଇଥିଲେ । ଏହାପରେ ସରିଫ୍ ନିଜ ପଦବୀ ତଥା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସରିଫ୍ ଆଜୀବନ କୌଣସି ନିର୍ବାଚନରେ ସାମିଲ ହୋଇପାରିବେ ନାହିଁ କିମ୍ବା କୌଣସି ସାର୍ବଜନୀକ ପଦରେ ବସିପାରିବେ ନାହିଁ । ସେହିପରି ତାଙ୍କ ଝିଅ ମରିୟମ ସରିଫ୍ ମଧ୍ୟ ଏବେ ନିର୍ବାଚନ ଲଢି ପାରିବେ ନାହିଁ । ସେହିପରି ମନ୍ତ୍ରୀ ନିସାର ଅଲ୍ଲୀ ଖାନ୍ ବି କୋର୍ଟର ନିଷ୍ପତ୍ତି ପରେ ନିଜ ପଦରୁ ଓ ସଂସଦର ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଛନ୍ତି ।

ଏଠାରେ ଆମେ କହିରଖୁଛୁ କି, ୧୯୯୦ରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଥିବାବେଳେ ନୱାଜ ସରିଫଙ୍କ ବିଦେଶରେ ଗଲ୍ଫ ଷ୍ଟିଲ ମିଲ୍, ବିଶେଷ କରି ଲଣ୍ଡନରେ ଗୁପ୍ତ ଭାବରେ ସଂପତ୍ତି ରଖିଥିବା ନେଇ ପାନାମା ପେପରରେ ପ୍ରକାଶ ପାଇଥିଲା । ଗତବର୍ଷ ବ୍ରିଟେନରେ ପାନାମା ପେପରରେ, ବିଶ୍ୱର ୧୪୦ରୁ ଅଧିକ ନେତା ଓ ବହୁ ପ୍ରତିଷ୍ଠିତ ବ୍ୟକ୍ତିମାନେ ନିଜର ସଂପତ୍ତି, ଗୋପନଭାବେ ବିଭିନ୍ନ ଦେଶରେ ଲୁଚାଇ ରଖିଥିବା ନେଇ ଲକ୍ଷ ଲକ୍ଷ ପୃଷ୍ଠାର ତଥ୍ୟ ପ୍ରକାଶ ପାଇଥିଲା । ଯେଉଁଥିରେ ସରିଫଙ୍କ ନାମ ପ୍ରକାଶ ପାଇଥିଲା ।

ଖାଲି ସେତିକି ନୁହେଁ ସରିଫଙ୍କର ଲଣ୍ଡନରେ ୪ଟି ଦାମି ଘର ସହ ଆଠଟି ସଂପତ୍ତି ଥିବା ଅଭିଯୋଗ ଆସିଥିଲା । ଯାହାକୁ ନେଇ ଗତ ୨୦ ଏପ୍ରିଲରେ ଲଣ୍ଡନ ଘର କିଣା ଦୁର୍ନୀତିକୁ ନେଇ ଜେଆଇଟି ସ୍ୱତନ୍ତ୍ର ଭାବେ ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ । ୧୯୯୯ରେ ମଧ୍ୟ ଏଭଳି ଅଭିଯୋଗ ଆସିଥିବାରୁ ସେ ସମୟରେ ନ୍ୟାସନାଲ ଆକାଂଉଟ୍ ବ୍ୟୁରୋ ଏହାର ଯାଂଚ ଆରମ୍ଭ କରିଥିଲା । ସରିଫ ପାନାମା ପେପର ଲିଙ୍କକୁ ପ୍ରଥମେ ମାନୁନଥିବା ବେଳେ ଏବେ ସୁପ୍ରିମକୋର୍ଟରେ ବିଚାର ପରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।
ସୌଜନ୍ୟ: ଆଜତକ୍