ଦେଶରେ ଜିଏସଟି ଲାଗୁ ପରେ କଣ ହେବ ବାଇକ୍ ଦର ? ଜାଣନ୍ତୁ କାହା ଦର ବଢିବ, କେଉଁ ବାଇକ୍ ହେବ ଶସ୍ତା

137

ନୂଆ କର ବ୍ୟବସ୍ଥା ଦ୍ରବ୍ୟ ଓ ସେବା କର ଜୁଲାଇ ୧ରେ ସାରା ଦେଶରେ ଲାଗୁ ହେବା ସହ ବଦଳିବ ବହୁ ଜିନିଷର ଦର । ଏହା ପ୍ରଭାବ ବାଇକ୍ ବଜାର ଉପରେ ମଧ୍ୟ ପଡିବ । ନୂଆ ବ୍ୟବସ୍ଥାରେ ବାଇକର ଟିକସ ବ୍ୟବସ୍ଥା ୨ ଭାଗ କରାଯାଇଛି । ୩୫୦ ସିସିରୁ କମ୍ ଇଂଜିନ ବାଇକ୍ ଉପରେ ୨୮ ପ୍ରତିଶତ ଲାଗୁ ହେଉଥିବା ବେଳେ ୩୫୦ ସିସିରୁ ଅଧିକ କ୍ଷମତା ସଂପନ୍ନ ବାଇକରେ ଅତିରିକ୍ତ ୩ ପ୍ରତିଶତ ଟିକସ ଲାଗୁ ହେବ । ଫଳରେ ଏହି ସବୁ ବାଇକ୍ ଉପରେ ମୋଟ ୩୧ ପ୍ରତିଶତ ଟିକସ ଲାଗୁ ହେବ ।

୩୫୦ ସିସି କମ ଇଂଜିନ କ୍ଷମତା ବିଶିଷ୍ଟ ବାଇକ୍ ଉପରେ ନଜର ପକାଇବା । ଜିଏସଟି ଲାଗୁ ପରେ ହୋଣ୍ଡା କମ୍ପାନୀର ବିଭିନ୍ନ ବାଇକ୍ ଶସ୍ତା ହେବ । ଜୁଲାଇ ପହିଲାରୁ ଏହି ରେଂଜର ବାଇକର ଦାମ ବର୍ତ୍ତମାନଠାରୁ ଦାମ କମିବ । ବାଇକ୍ ପିଛା ପ୍ରାୟ ୩ରୁ ୫ ପ୍ରତିଶତ କମିବ ବୋଲି କୁହାଯାଉଛି । ସିବି ହର୍ନେଷ୍ଟ ୧୬୦-ଆର ବାଇକ୍ ପ୍ରାୟ ୪ ହଜାର ଟଙ୍କା ଶସ୍ତା ହୋଇପାରେ । ହୋଣ୍ଡାର ସ୍କୁଟର ରେଂଜ ଅର୍ଥାତ୍ ଆକ୍ଟିଭା, ଡିଓ, କ୍ଲିଗ୍ ୧୧୦ ସିସି ଇଂଜିନ ହୋଇଥିବାରୁ ଏଗୁଡିକର ଦର ମଧ୍ୟ କମିବା ସମ୍ଭାବନା ରହିଛି ।

ସେହିପରି ଟିଭିଏସ ବ୍ରାଣ୍ଡର ଜୁପିଟର, ସ୍କୁଟି ଜେଷ୍ଟ, ଉଇଗୋ ପରି ୧୧୦ ସିସି ଇଂଜିନ ସ୍କୁଟର ଦର କମିବା ସମ୍ଭାବନା ରହିଛି । ଏହା ସହ ଆପାଚେର ବିଭିନ୍ନ ମଡେଲ ବାଇକ୍ ମଧ୍ୟ ୨୦୦ ସିସି ମଧ୍ୟରେ ହୋଇଥିବାରୁ ଏହି ରେଂଜର ବାଇକ୍ ମଧ୍ୟ ଶସ୍ତା ହୋଇପାରେ ।

ଜୁଲାଇ ୧ ପରେ ହିରୋ ମୋଟରର ବାଇକ୍ ଓ ସ୍କୁଟରରେ ମଧ୍ୟ ଦର କମିବ । ୧୧୦ ସିସିର ଡୁଏଟ, ପ୍ଲେଜର, ମାଇଷ୍ଟ୍ରୋ ପରି ସ୍କୁଟର ରହିିଥିବା ବେଳେ ସ୍ପେ୍ଲ୍ଣ୍ଡର, ପାସନ, ଗ୍ଲାମର, ଆଚିଭର୍ ଆଦି ବାଇକ୍ ୧୫୦ ସିସି ଇଂଜିନ ମଧ୍ୟରେ ରହିଛି । ତେଣୁ ଏଗୁଡିକ ମଧ୍ୟ ଶସ୍ତା ହେବ ।

ରୟାଲ ଏନଫିଲ୍ଡ ୩୫୦ର ବିଭିନ୍ନ ମଡେଲର ଦାମ କମିବ । କମ୍ପାନୀର ବୁଲେଟ୍ ୩୫୦, କ୍ଲାସିକ୍ ୩୫୦, ଇସ୍ ଆକା ଇଲେକ୍ଟ୍ରା, ରେଡିଚ୍, ଥଣ୍ଡରବାର୍ଡ ଆଦି ବାଇକ୍ର ଦାମ କମିବ । ଏଥିରେ ୩ ହଜାରରୁ ୬ ହଜାର ଟଙ୍କା ଯାଏଁ ଦର କମିବାର ସମ୍ଭାବନା ରହିଛି ।

ଆରପଟେ ୩୫୦ ସିସିରୁ ଅଧିକ କ୍ଷମତା ବିଶିଷ୍ଟ ବାଇକ୍ ଉପରେ ଲାଗିବ ଅତିରିକ୍ତ ୩ ପ୍ରତିଶତ ଟିକସ । ତେଣୁ ଏଗୁଡିକର ଦାମ ବଢିବ । ଏହି ତାଲିକାରେ ହୋଣ୍ଡାର ସିବିଆର୬୫୦ ଏଫ, ସିବି୧୦୦୦ଆର ପରି ବାଇକ୍ ରହିଛି । ରୟାଲ ଫିଲ୍ଡର ୫୦୦ ସିସି ଓ ତାଠୁ ଅଧିକ କ୍ଷମତା ସଂପନ୍ନ ବାଇକ୍ ହିମାଲୟନ, କଂଟିନେଂଟାଲ ଜିଟି, ବୁଲେଟ୍ ୫୦୦, କ୍ଲାସିକ୍ ୫୦୦ ଆଦିର ଦାମ ବଢିବ ।

ବର୍ତ୍ତମାନର ଟିକସ ବ୍ୟବସ୍ଥାରେ ମୋଟର ସାଇକେଲ ଉପରେ ୩୦ ପ୍ରତିଶତ ଟିକସ ଲାଗୁଛି । କିନ୍ତୁ ଜିଏସଟି ପରେ ଏହା ଉପରେ ୨ ପ୍ରତିଶତ କମ ଟିକସ ଲାଗୁ ହେବ । ତେଣୁ ହାଇ ରେଂଜ ବାଇକ୍ ବ୍ୟତୀତ ଅନ୍ୟ ସବୁ ଶସ୍ତା ହେବ ।