ଧର୍ମଶାଳା ଥାନା ଆଇଆଇସିଙ୍କ ବିରୋଧରେ ଏସ୍‌ଆଇଙ୍କ ଅଭିଯୋଗ : ବ୍ୟବହାରରେ ଅତିଷ୍ଠ ହୋଇ ଚାକିରିରୁ ଇସ୍ତଫା ପାଇଁ କଲେ ଆବେଦନ; ଏସ୍‌ପିଙ୍କୁ ଲେଖିଲେ ଚିଠି

117

କନକ ବ୍ୟୁରୋ : ପୁଲିସ୍ ବିରୋଧରେ ପୁଲିସର ଅଭିଯୋଗ । ଯାଜପୁର ଜିଲ୍ଲା ଧର୍ମଶାଳା ଆଇଆଇସିଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଥାନା ଏସ୍‌ଆଇ ଚାକିରିରୁ ଅବସର ନେବା ପାଇଁ ଆବେଦନ କରିଛନ୍ତି । ସେ ଏନେଇ ଏସପିଙ୍କ ନିକଟକୁ ଏକ ଆବେଦନପତ୍ର ପଠାଇଛନ୍ତି । ଏସଆଇ ରାଧାନାଥ ଦାସ କିଛି ବର୍ଷ ହେଲା ଧର୍ମଶାଳା ଥାନାରେ କାମ କରିଆସୁଛନ୍ତି । ଆଇଆଇସି ରାଜେଶ କୁମାର ତ୍ରିପାଠୀ ତାଙ୍କୁୁ ବିଭିନ୍ନ କାମ ବାହାନାରେ ମାନସିକ ନିର୍ଯାତନା ଦେଉଥିବା ରାଧାନାଥ ଅଭିଯୋଗ କରିଛନ୍ତି । ଏହାସହ ସେ ନିଜ ଚାକିରିରୁ ଇସ୍ତଫା ପାଇଁ ଯାଜପୁର ଏସପିଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଏହି ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି ।

ବରିଷ୍ଠ ଏସ୍‌ଆଇ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଥାନାଧିକାରୀ ଆର୍‌କେ ତ୍ରିପାଠୀ ତାଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି । ତାଙ୍କର ଶରୀର ଅସୁସ୍ଥ ଥିବାବେଳେ ତାଙ୍କର ମା’ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ। ସେ ଘରକୁ ଯାଇ ମା’ଙ୍କର ସେ ସେବା କରିପାରୁ ନାହାନ୍ତି । ଅନ୍ୟ ଅଧିକାରୀମାନଙ୍କ ଅପେକ୍ଷା ତାଙ୍କୁ ଅଧିକ କେସ୍‌ ତଦନ୍ତ କରିବାକୁ ଦିଆଯାଇ ମାନସିକ ନିର୍ଯାତନା ଦିଆଯାଉଛି। ତାଙ୍କର ବରିଷ୍ଠତାକୁ ମଧ୍ୟ ସମ୍ମାନ ନଦେଇ ଅସମ୍ମାନ କରାଯାଉଛି । ଏପରିକି ତାଙ୍କ ବିରୋଧରେ ଯୋଜନାବଦ୍ଧ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଥାନାଧିକାରୀ ଶ୍ରୀ ତ୍ରିପାଠୀ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି । ତେବେ, ଏହି ଘଟଣାକୁ ଏସ୍‌ପି ଗୁରୁତ୍ବର ସହିତ ନେଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ବିଶେଷସୂତ୍ରରୁ ଜଣାପଡ଼ିଛି।