୨୦୨୪ ପାଇଁ ବିଜେଡିର ସମରସଜ୍ଜା । ଦୁଇଟି ପ୍ରମୁଖ ସଂସଦୀୟ କ୍ଷେତ୍ର ଉପରେ ଦଳର ଫୋକସ । ଭୁବନେଶ୍ୱରରେ ଅପରାଜିତାଙ୍କୁ ଚେକ୍ ଦେବେ ଶ୍ରୀମୟୀ ମିଶ୍ର ।

8,027

କନକ ବ୍ୟୁରୋ: ସାଧାରଣ ନିର୍ବାଚନକୁ ଆଉ ବର୍ଷଟିଏ ବାକି ଅଛି, ଆଉ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଜେଡି । ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କ୍ରମେ ବିଭିନ୍ନ ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ଓ ସହ-ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି କରାଯାଇଛି । ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ମଣ୍ଡଳୀରେ ଦିଆଯାଇଛି ପର୍ଯ୍ୟବେକ୍ଷକ । ଚର୍ଚ୍ଚା ହେଉଛି ଭୁବନେଶ୍ୱରରେ ସାଂସଦ ଅପରାଜିତାଙ୍କୁ ଚେକ୍ ଦେଇପାରନ୍ତି ଶ୍ରୀମୟୀ । ଏହାସହିତ ବ୍ରହ୍ମପୁରରେ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ଦେଖାଦେଇଥିବା ନେତୃତ୍ୱ ସଙ୍କଟ ବିଜେଡି ପାଇଁ ଚିନ୍ତାର କାରଣ ହୋଇଛି । ସେଥିପାଇଁ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ଦିଆଯାଇଛି ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଦାୟିତ୍ୱ ।

  • ନିର୍ବାଚନ ପାଇଁ ବିଜେଡିର ସମରସଜ୍ଜା
  • ପ୍ରଥମଥର ପାଇଁ ଫୋକସ୍ରେ ସଂସଦୀୟ କ୍ଷେତ୍ର!

ପ୍ରଥମଥର ପାଇଁ ନିର୍ଦ୍ଦିଷ୍ଟ ଭାବେ ସଂସଦୀୟ କ୍ଷେତ୍ରକୁ ଟାର୍ଗେଟ୍ କରିଛି ବିଜୁ ଜନତା ଦଳ । ଏହି କ୍ରମରେ ଭୁବନେଶ୍ୱର ଓ ବ୍ରହ୍ମପୁର ଲୋକସଭା କ୍ଷେତ୍ର ପାଇଁ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି ଭୁବନେଶ୍ୱର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ରଙ୍କୁ ନେଇ । କୁହାଯାଉଛି ଜଣେ ମହିଳା ଚେହେରା ଭାବରେ ଭୁବନେଶ୍ୱରରୁ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଲୋକପ୍ରିୟତା ବିରୋଧୀ ରଣନୀତି ତିଆରି କରିବେ ଶ୍ରୀମୟୀ । ଯୁବ ଓ ମହିଳା ଚେହେରା ଭାବରେ ହୁଏତ ଦଳ ତାଙ୍କୁ ଆଗକୁ ଆଣିଥାଇପାରେ ।

ଶ୍ରୀମୟୀ ମିଶ୍ର

  • ବର୍ତ୍ତମାନ ଓଡି଼ଶା କୋଠାବାଡି଼ ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଅଛନ୍ତି
  • ପୂର୍ବରୁ ଓଡ଼ିଶା ପର୍ଯ୍ୟଟନ ବିକାଶ ପରିଷଦ (ଓଟିଡିସି) ଅଧ୍ୟକ୍ଷା ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି
  • ମହିଳା ବିକାଶ ସମବାୟ ନିଗମର ଅଧ୍ୟକ୍ଷା ରହିବା ସହ ମିଶନ ଶକ୍ତି ସହିତ ଜଡ଼ିତ ରହିଆସିଛନ୍ତି

ବିଜୁ ଜନତା ଦଳର ମୁଖପାତ୍ର ଭାବେ ଅନେକ ଥର ବିରୋଧୀଙ୍କ ସମାଲୋଚନାର ଉତ୍ତର ରଖିଛନ୍ତି ଶ୍ରୀମୟୀ । ଦଳର ପକ୍ଷ ରଖିବା ସହ ପ୍ରସଙ୍ଗ ଭିତ୍ତିରେ ବିରୋଧୀ ଦଳକୁ କାଉଣ୍ଟର କରିଛନ୍ତି । ଏଭଳି ଜଣେ ଚେହେରାଙ୍କୁ ଆଗକୁ କରି ଭୁବନେଶ୍ୱର ସାଂସଦଙ୍କୁ ଚେକ୍ ଦେବାପାଇଁ ରଣନୀତି କରିଛି ବିଜେଡି ।

ସାରାରାଜ୍ୟରେ ନବୀନ ହାୱା ସତ୍ୱେ ୨୦୧୯ରେ ଭୁବନେଶ୍ୱର ଲୋକସଭା ଆସନଟିକୁ ହାତେଇ ନେଇଥିଲା ବିଜେପି । ଦଳକୁ ଜିତାଇବାରେ ପ୍ରଶାସକରୁ ରାଜନେତା ବନିଥିବା ଅପରାଜିତାଙ୍କ ଲୋକପ୍ରିୟତା ହିଁ ପ୍ରମୁଖ ଭୂମିକା ନେଇଥିବା ଚର୍ଚ୍ଚା ହୁଏ । ପ୍ରସଙ୍ଗ ଭିତିରେ ବାରମ୍ବାର ଟାର୍ଗେଟ କରି ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇ ଆସିଛନ୍ତି ଅପରାଜିତା । ତେଣୁ ଆଗାମୀ ନିର୍ବାଚନ ପୂର୍ବରୁ ଭୁବନେଶ୍ୱରରେ ଅପରାଜିତାଙ୍କ ବାଟ ଓଗାଳିବାକୁ ରଣନୀତି କରୁଛି ବିଜେଡି । ତେଣୁ ଶ୍ରୀମୟୀଙ୍କୁ ନୂଆ ଦାୟିତ୍ୱ ମିଳିବା ପରେ ଦଳ ତାଙ୍କୁ ଅପରାଜିତାଙ୍କ ବିରୋଧରେ ପ୍ରାର୍ଥୀ କରିପାରେ ବୋଲି ମଧ୍ୟ ଚର୍ଚ୍ଚା ବଢିବାରେ ଲାଗିଛି ।

ଏପଟେ ପ୍ରଦୀପ ପାଣିଗ୍ରାହୀଙ୍କ ପରେ ବ୍ରହ୍ମପୁର ବିଜେଡି ରାଜନୀତି ଗୋଳିଆ ହୋଇପଡିଛି । ତେଣୁ ନେତୃତ୍ୱ ସଙ୍କଟ ଥିବାବେଳେ ରାଜ୍ୟସଭା ସାଂସଦ ତଥା ବିଜେଡି ସାଧାରଣ ସଂପାଦକ ମାନସ ମଙ୍ଗରାଜଙ୍କୁ ଏହି ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦେଇ ନୂତନ ରଣନୀତି କରୁଛି ବିଜେଡି । ସେହିପରି ଢେଙ୍କାନାଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବେଶ ସକ୍ରିୟ ଥିବାରୁ ଆଗାମୀ ନିର୍ବାଚନରେ ସେ ଏଠାରୁ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେଥିପାଇଁ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କୁ ଢେଙ୍କାନାଳ ଓ ହିନ୍ଦୋଳ ବିଧାନସଭା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି ।