୨୪ ତାରିଖରେ ରଥଯାତ୍ରା ପାଳିବାକୁ ଗ୍ୱାଲିୟର ଇସ୍କନ ପକ୍ଷରୁ ପ୍ରସ୍ତୁତି । ତୀବ୍ର ବିରୋଧ କଲେ ସେବାୟତ । ଇସ୍କନ ଅନୁଗାମୀଙ୍କୁ ପୁରୀରେ ପୂରାଇ ନ ଦେବାକୁ ଚେତାବନୀ

1,051

କନକ ବ୍ୟୁରୋ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ତିଥି ଅନୁସାରେ ୨୦ତାରିଖରେ ପାଳନ ହେବ । କିନ୍ତୁ ମଧ୍ୟପ୍ରଦେଶ ଗ୍ୱାଲିୟର ଇସ୍କନ ପକ୍ଷରୁ ଆସନ୍ତା ୨୪ତାରିଖରେ ରଥଯାତ୍ରା ପାଳିବାକୁ ପ୍ରସ୍ତୁତି ଚାଲିଛି । ସୋସିଆଲ ମିଡିଆରେ ଏହାର ପ୍ରଚାର ପ୍ରସାର ମଧ୍ୟ କରାଯାଉଛି । ତେବେ ଅଦିନିଆ ରଥଯାତ୍ରା ଜଗନ୍ନାଥ ସଂସ୍କୃତି ପ୍ରତି ଘୋର ଅପମାନ ବୋଲି କହିବା ସହ ଏହାକୁ ପ୍ରବଳ ବିରୋଧ କରିଛନ୍ତି ଶ୍ରୀମନ୍ଦିର ସେବାୟତ ।

୨୦ ତାରିଖରେ ରଥଯାତ୍ରା ହେଉଥିବା ବେଳେ ଇସ୍କନ ପକ୍ଷରୁ ମଧ୍ୟପ୍ରଦେଶର ଗ୍ୱାଲିୟରରେ ଆସନ୍ତା ୨୪ତାରିଖରେ ରଥଯାତ୍ରା କରିବା ପାଇଁ ପ୍ରସ୍ତୁତି ଚାଲିଛି । ଇସ୍କନ ପକ୍ଷରୁ ଏହି ରଥଯାତ୍ରା ପାଳନ ନେଇ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି । ପୂର୍ବରୁ ୧୮ ତାରିଖ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା, କୌଣସି କାରଣ ବଶତଃ ଏହାକୁ ୨୪ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।

  • ଜୁନ ୨୪ରେ ଗ୍ୱାଲିୟରରେ ଇସ୍କନ କରିବ ରଥଯାତ୍ରା
  • ଅଦିନିଆ ରଥଯାତ୍ରାକୁ ତୀବ୍ର ବିରୋଧ କଲେ ସେବାୟତ
  • ଇସ୍କନ ଅନୁଗାମୀଙ୍କୁ ପୁରୀରେ ନପୂରାଇ ଦେବାକୁ ଚେତାବନୀ

ଅଦିନିଆ ରଥଯାତ୍ରାକୁ ପୂର୍ବରୁ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା । ଆଲୋଚନା ପରେ ଭାରତରେ ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ରଥଯାତ୍ରା ହେବ ବୋଲି ନିଷ୍ପତି ହୋଇଥିଲା । କିନ୍ତୁ ବିଦେଶରେ ଏଥିପାଇଁ ସମୟ ଲାଗିବ ବୋଲି କହିଥିଲେ ଇସ୍କନ କର୍ତୃପକ୍ଷ । ସେମାନଙ୍କ ଯୁକ୍ତି ଥିଲା, ଶନିବାର, ରବିବାର ଛୁଟିଦିନ ହୋଇଥିବାରୁ ବିଦେଶରେ ହେଉଥିବା ରଥଯାତ୍ରାରେ ଅଧିକ ଜନ ସମାଗମ ହୋଇଥାଏ ।

୨୪ ତାରିଖରେ ଗ୍ୱାଲିୟରରେ ଇସ୍କନ ପକ୍ଷରୁ ରଥଯାତ୍ରା ଆୟୋଜନ ନେଇ ପୋଷ୍ଟର ସୋସିଆଲ୍ ମିଡିଆରେ ପ୍ରକାଶ ପାଇବାରେ ଚିହିଁକି ଉଠିଛନ୍ତି ଶ୍ରୀମନ୍ଦିର ସେବାୟତ । କହିଛନ୍ତି, ଅଦିନିଆ ରଥଯାତ୍ରା ଜଗନ୍ନାଥ ସଂସ୍କୃତି ପ୍ରତି ଘୋର ଅପମାନ । ରଥଯାତ୍ରା କେବେ ହେବ ସ୍କନ୍ଦ ପୁରାଣରେ ଉଲ୍ଲେଖ ରହିଛି । ଯଦି ଏହାକୁ ନମାନି ଇସ୍କନ ଏପରି ଆୟୋଜନ କରିବ, ତେବେ ଇସ୍କନ ଅନୁଗାମୀଙ୍କୁ ପୁରୀରେ ପୂରାଇ ଦିଆଯିବନାହିଁ ବୋଲି ଚେତାବନୀ ଦେଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର । ଅଦିନିଆ ରଥଯାତ୍ରାକୁ ନେଇ ଦୃଢ଼ ଆଇନ ଆଣିବାକୁ ସେ ଦାବି କରିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଏ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ।

ଅଦିନିଆ ରଥଯାତ୍ରାକୁ ନେଇ ବିବାଦ ତେଜୁଥିବା ବେଳେ ଏ ନେଇ ପ୍ରତିକ୍ରିୟା ଦେଇନାହାନ୍ତି ଭୁବନେଶ୍ୱର ଇସ୍କନ କର୍ତୃପକ୍ଷ । ତେବେ କିଛି ଇସ୍କନ ଭକ୍ତଙ୍କ ଯୁକ୍ତି ହେଉଛି, ଦେଶ ବିଦେଶରେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ହେଉଛି ମୁଖ୍ୟ ଉଦ୍ଦେଶ୍ୟ, ୯ ଦିନିଆ ରଥଯାତ୍ରା ସମୟରେ ଶ୍ରୀଜିଉଙ୍କ ରଥଯାତ୍ରା କରାଯାଉଛି ।