ଶିବସେନାରେ ଛକାପଞ୍ଝା : ଆଜି ଜାତୀୟ କାର୍ଯ୍ୟକାରିଣୀ ବୈଠକ; ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ହୋଇପାରେ ବିଚାର ବିମର୍ଷ

119

କନକ ବ୍ୟୁରୋ : ଶିବସେନା ଓ ମହାରାଷ୍ଟ୍ର ସରକାରରେ ଚାଲିଥିବା ସଂକଟ ମଧ୍ୟରେ ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ଆଜି ଦଳର ଜାତୀୟ କାର୍ଯ୍ୟକାରିଣୀ ଡକାଇଛନ୍ତି । ଅପରାହ୍ନରେ ଏହି ବୈଠକ ଡକାଯାଇଛି । ଏହି ବୈଠକରେ ବିଦ୍ରୋହୀ ବିଧାୟକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ବିଚାର ବିମର୍ଷ ହୋଇପାରେ । ସେହିପରି ଆହିତ୍ୟ ଠାକରେ ଆଜି ସଂଧ୍ୟାରେ ବିରଲା ମାତୋଶ୍ରୀ ସଭାଗୃହଠାରେ ଏକ ଜନସଭା କରିବେ ।

ଶିବସେନା ଭବନରେ ଏକାଠି ହୋଇଥିବା ଦଳର ଜିଲ୍ଲା ବିଭାଗ ମୁଖ୍ୟ ଏବଂ ଅନ୍ୟ କାର୍ଯ୍ୟକର୍ତ୍ତାଙ୍କୁ ଭର୍ଚୁଆଲ୍‌ ଭାବେ ଉଦ୍‌ବୋଧନ ଦେଇ ଠାକରେ କହିଛନ୍ତି, ବିଦ୍ରୋହ ସତ୍ତ୍ବେ ଦଳ ପୂର୍ବରୁ ୨ ଥର କ୍ଷମତାକୁ ଆସିଛି । ମୁଁ ସରକାରୀ ବାସଭବନ ଛାଡ଼ି ଥାଇପାରେ କିନ୍ତୁ ମୋ ଲଢ଼ିବା ଶକ୍ତିକୁ ଛାଡ଼ିନି । ଠାକ୍‌ରେ କହିଛନ୍ତି, ତାଙ୍କ ଖରାପ୍‌ ସ୍ବାସ୍ଥ୍ୟ ସତ୍ତ୍ବେ ଗତ ଅଢ଼େଇ ବର୍ଷ ହେବ ସେ କରୋନା ମହାମାରୀ ସହ ଲଢ଼ିଛନ୍ତି । କିନ୍ତୁ ବିରୋଧୀମାନେ ଏହି ସ୍ଥିତିର ଫାଇଦା ଉଠାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ ସମୟ‌ରେ ଶିବସେନା ନେତା ଏବଂ ମନ୍ତ୍ରୀ ଆଦିତ୍ୟ ଠାକରେ ମଧ୍ୟ ଶିବସେନା ଭବନରେ ଉପସ୍ଥିତ ଥିଲେ ।

ଠାକରେ କହିଛନ୍ତି, ଏକନାଥ ସିନ୍ଦେଙ୍କ ପାଇଁ ମୁଁ ସବୁକିଛି କରିଛି । ଏକନାଥ ସିନ୍ଦେଙ୍କ ପୁଅ ଜଣେ ଶିବସେନା ସାଂସଦ । ସିନ୍ଦେଙ୍କୁ ଗୁରୁତ୍ବପୂର୍ଣ୍ଣ ବିଭାଗ ଦେଇଛି । କିନ୍ତୁ ସେ‌ ମୋ ବିରୋଧରେ ବିଭିନ୍ନ ଅଭିଯୋଗ ଆଣୁଛନ୍ତି । ମୁଁ କ୍ଷମତା ଲୋଭି ନୁହେଁ । ଯେଉଁ ଲୋକମାନେ କହୁଥିଲେ ଶିବସେନା ପାଇଁ ଜୀବନ ଦେଇଦେବୁ ଆଜି ସେମାନେ ଅନ୍ୟତ୍ର ଚାଲି ଯାଇଛନ୍ତି । ବିଦ୍ରୋହୀ ବିଧାୟକମାନେ ଶିବସେନାକୁ ଭାଙ୍ଗିଦେବାପାଇଁ ଚେଷ୍ଟା‌ ଚଳାଇଛନ୍ତି ।