ନବ ଦାସଙ୍କ ମୃତ୍ୟୁ ପରେ ଚର୍ଚ୍ଚାରେ ଜାତକ ଓ ଶନିଦଶା । ମଧ୍ୟପ୍ରଦେଶ ଜ୍ୟୋତିଷ କରିଥିଲେ ଭବିଷ୍ୟବାଣୀ । ଜାନୁଆରୀ ୧୭ରେ ଶନି ଚଳନ ପରେ ଜୀବନ ପ୍ରତି ଥିଲା ବିପଦ
କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି କାହିଁକି ହତ୍ୟା କଲା ଗୋପାଳ ଦାସ? ଏହି ପ୍ରଶ୍ନର ଉତ୍ତର ଖୋଜୁଛି କ୍ରାଇମବ୍ରାଞ୍ଚ । ସେପଟେ ଶନି ଦଶା ଯୋଗୁଁ ମନ୍ତ୍ରୀଙ୍କ ହତ୍ୟା ହୋଇଥିବା ଚର୍ଚ୍ଚା ଚାଲିଛି । ଆଉ ସେହି ଚର୍ଚ୍ଚାକୁ ବଳ ଯୋଗାଉଛି ମୃତ୍ୟର ସପ୍ତାହେ ପୂର୍ବରୁ ମହାରାଷ୍ଟ୍ରର ଶନି ମନ୍ଦିରରେ ଯାଇ ମନ୍ତ୍ରୀ ପୂଜାର୍ଚ୍ଚନା କରି ସୁନା କଳସ ଦାନ କରିବା ଘଟଣା । କୁହାଯାଉଛି କିଛି ଅଶୁଭ ସଙ୍କେତ ପାଇବା ପରେ ମନ୍ତ୍ରୀ ମଧ୍ୟପ୍ରଦେଶର ଜଣେ ଜ୍ୟୋତିଷଙ୍କ ପରାମର୍ଶ ନେଇଥିଲେ । ଆଉ ତାଙ୍କରି ପରାମର୍ଶରେ ଶନିଦଶାକୁ ଟାଳିବାକୁ ଉଦ୍ୟମ ମଧ୍ୟ କରିଥିଲେ ।
![](https://cdn-icons-png.flaticon.com/512/2504/2504957.png)
Kanak News is now on WhatsApp
Join and get latest news updates delivered to you via WhatsApp
- ନବଙ୍କ ଜାତକରେ ଥିଲା ଶନିଦଶା!
- କନକ ନ୍ୟୁଜ୍ ହାତରେ ନବଙ୍କ ଜାତକ
କୁହାଯାଉଛି ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ଜାତକର ଗଣନା କରି ଭବିଷ୍ୟବାଣୀ କରିଥିଲେ ମଧ୍ୟପ୍ରଦେଶ ଅମରକଣ୍ଟକର ବାବା କଲ୍ୟାଣ ଦାସ ମହାରାଜ । ଏଥିରେ ମନ୍ତ୍ରୀ ନବ ଦାସଙ୍କ ଜାତକ ନାଁ ଶ୍ରୀମାନ ନାରାୟଣ କିଶୋର ଦାସ ବୋଲି ଲେଖାଅଛି । ତେବେ ତାଙ୍କ ଜନ୍ମ ସ୍ଥାନ ସମ୍ବଲପୁର ଓ ଜନ୍ମ ତାରିଖ ୧୫ ମେ ୧୯୬୧ ବୋଲି ଉଲ୍ଲେଖ ରହିଛି । ଏଥିସହ ମନ୍ତ୍ରୀ ନବ ଦାସଙ୍କ ବୃଷ ରାଶି ଓ କୃତିକା ନକ୍ଷତ୍ର ବୋଲି ଲେଖାଯାଇଛି । ଏହି ଜାତକ କପି କନକ ନ୍ୟୁଜ ହାତରେ ଲାଗିବା ପରେ, ବାବା କଲ୍ୟାଣ ଦାସ ମହାରାଜ କରିଥିବା ଗଣନାକୁ ନେଇ ଆମେ ରାଜ୍ୟର ପ୍ରତିଷ୍ଠିତ ଜ୍ୟୋତିଷଙ୍କ ମତାମତ ନେଇଥିଲୁ ।
ସୂଚନା ମୁତାବକ, ଗତ ଜାନୁଆରୀ ୧୭ ତାରିଖରେ ହୋଇଥିଲା ଶନି ଚଳନ । ଜ୍ୟୋତିଷଙ୍କ ମତରେ ୨ ବର୍ଷ ୬ ମାସ ପାଇଁ ମକର ରାଶିରୁ ଶନି, କୁମ୍ଭ ରାଶିକୁ ଚଳନ କରିଛନ୍ତି । ଫଳରେ ବିଭିନ୍ନ ରାଶି ଉପରେ ଏହାର ଭଲ ଓ ଖରାପ ପ୍ରଭାବ ରହିଛି । ତେଣୁ ମନ୍ତ୍ରୀ ନବ ଦାସଙ୍କ ଜାତକର ଗଣନା କରି ବାବା କଲ୍ୟାଣ ଦାସ ମହାରାଜ ତାଙ୍କ ରାଶି ଉପରେ ଶନିଙ୍କ ପ୍ରଭାବ ନେଇ ସତର୍କ କରାଇ ଦେଇଥିଲେ । ଜାତକରେ ଉଲ୍ଲେଖ ଅଛି ୨୩ ମେ ୨୦୧୩ରୁ ୨୩ ମେ ୨୦୩୨ ଯାଏଁ ନବଙ୍କ ରାଶି ଉପରେ ଶନିଙ୍କ ପ୍ରଭାବ ରହିବ । ତେବେ ଶନି ଚଳନ ପରେ ଶନି ମହାଦଶା ଓ ରବି ଅନ୍ତର ଯୋଗୁଁ ନବ କ୍ଷମତାରୁ ଅନ୍ତର ହେବେ ଓ ଅଘଟଣ ଘଟିବ ବୋଲି ତାଙ୍କୁ ସତର୍କ କରାଇ ଦିଆଯାଇଥିଲା । ଯେଉଁଥିପାଇଁ ନବ ଦାସ ମହାରାଷ୍ଟ୍ରର ପ୍ରସିଦ୍ଧ ଶନି ସିଂଘନାପୁର ମନ୍ଦିରରେ ସୁନା କଳସ ଦାନ କରିବା ସହ ପୂଜାର୍ଚ୍ଚନା କରିଥିଲେ ।
ନବଙ୍କ ରାଶି ଉପରେ ଶନିଙ୍କ ପ୍ରଭାବ ପ୍ରାୟ ଅଢେଇ ବର୍ଷ ରହିବ । ତେଣୁ ନବ ଦାସଙ୍କ ଆକସ୍ମିକ ମୃତ୍ୟୁ ପରେ ମଧ୍ୟ ତାଙ୍କ ପରିବାର ସଦସ୍ୟଙ୍କୁ ଏହା ଭୋଗ କରିବାକୁ ପଡିପାରେ ବୋଲି ଆଶଙ୍କା କରିଛନ୍ତି ଜ୍ୟୋତିଷ ପ୍ରମୋଦ ପାତ୍ର । ଅବଶ୍ୟ ଏହା ଜ୍ୟୋତିଷ ପ୍ରମୋଦ ପାତ୍ରଙ୍କ ବ୍ୟକ୍ତିଗତ ମତ ।
କୁହାଯାଉଛି ଶନିଦେବ ଓ ହନୁମାନଙ୍କୁ ପ୍ରବଳ ଭକ୍ତି କରୁଥିଲେ ଦିବଙ୍ଗତ ମନ୍ତ୍ରୀ ନବ କିଶୋର ଦାସ । ସେଥିପାଇଁ ଶନି ଚଳନ ପରେ ତାଙ୍କ ରାଶି ଉପରେ ପ୍ରଭାବକୁ ନେଇ ଜାଣିବାକୁ ଚାହିଁଥିଲେ ଓ ମଧ୍ୟପ୍ରଦେଶର ପ୍ରସିଦ୍ଧ ବାବା କଲ୍ୟାଣ ଦାସ ମହାରାଜଙ୍କୁ ଜାତକ ଦେଖାଇ ଭବିଷ୍ୟତ ଗଣନା କରାଇ ଥାଇପାରନ୍ତି ଏବଂ ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ, ତାଙ୍କରି ପରାମର୍ଶରେ ମହାରାଷ୍ଟ୍ରର ପ୍ରସିଦ୍ଧ ଶନି ସିଂଘନାପୁର ମନ୍ଦିରରେ ପୂଜାର୍ଚ୍ଚନା କରି ଆସନ୍ନ ବିପଦକୁ ଟାଳି ଦେବା ପାଇଁ ଉଦ୍ୟମ କରି ଥାଇପାରନ୍ତି ।