ଆଫ୍ରିଦିଙ୍କୁ ହଜମ ହେଉନି ଭାରତର ବିଜୟ । ବିଷ ଓଗାଳିଲେ, ଟିମ୍ ଇଣ୍ଡିଆକୁ ଟାର୍ଗେଟ କଲେ ।

3,323

କନକ ବ୍ୟୁରୋ : ବାଂଲାଦେଶ ବିପକ୍ଷରେ ବିଜୟ ସହ ସେମିଫାଇନାଲ ନିକଟତର ହୋଇଛି ଟିମ୍ ଇଣ୍ଡିଆ । ରୋମାଞ୍ଚକର ମୁକାବିଲାରେ ଭାରତ ବିଜୟୀ ହୋଇଥିବା ବେଳେ ପାକିସ୍ତାନକୁ ହୋଇଛି ପୀଡା । କାରଣ ବାଂଲାଦେଶ ବିପକ୍ଷରେ ଭାରତର ପରାଜୟ ଚାହୁଁଥିଲା ପାକିସ୍ତାନ । କିନ୍ତୁ ଏହା ସମ୍ଭବ ହୋଇ ନପାରିବାରୁ ରକ୍ତ ଚାଉଳ ଚୋବାଉଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟର ସାହିଦ ଆଫ୍ରିଦି । ବାଂଲାଦେଶ–ଭାରତ ବର୍ଷା ବାଧାପ୍ରାପ୍ତ ମ୍ୟାଚକୁ ନେଇ ଆଇସିସିର ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇବା ସହ ଟିମ୍ ଇଣ୍ଡିଆକୁ ଟାର୍ଗେଟ କରିଛନ୍ତି ଆଫ୍ରିଦି ।

ପାକିସ୍ତାନର ପୂର୍ବତନ ବିସ୍ଫୋରକ ବ୍ୟାଟର ସାହିଦ ଆଫ୍ରିଦି ଭାରତ-ବାଂଲାଦେଶର ମ୍ୟାଚକୁ ନେଇ ଆଇସିସିକୁ ପ୍ରଶ୍ନ ବାଣ ମାରିଛନ୍ତି । ଏପରିକି ଆଇସିସି ଏଭଳି ଟୁର୍ଣ୍ଣାମେଣ୍ଟରେ ଭାରତକୁ ଅଧିକ ସମର୍ଥନ କରୁଛି ଏବଂ ଟିମ୍ ଇଣ୍ଡିଆକୁ କୌଣସି ମତେ ସେମିଫାଇନାଲରେ ପହଞ୍ଚାଇବାକୁ ପ୍ରୟାସ କରୁଥିବା ନେଇ ବିବାଦୀୟ ବୟାନ ଦେଇଛନ୍ତି ଆଫ୍ରିଦି । ପାକିସ୍ତାନର ଏକ ଗଣମାଧ୍ୟମ ସହ ସାକ୍ଷାତକାର ସମୟରେ ଆଫ୍ରିଦି କହିଛନ୍ତି, ଆଡିଲେଡ ପଡିଆ ସମ୍ପୂର୍ଣ୍ଣ ରୂପେ ଓଦା ଥିଲା ଓ ଭଲରେ ଶୁଖିନଥିଲା । କିନ୍ତୁ ଏହାସତ୍ତେ୍ୱ ମଧ୍ୟ ଓଦା ପଡିଆରେ ମ୍ୟାଚ୍ ଆରମ୍ଭ ହୋଇଥିଲା । ଯାହା ଦର୍ଶାଉଥିଲା ଆଇସିସି ଏକପାଖିଆ ଭାବେ ଟିମ୍ ଇଣ୍ଡିଆର ପକ୍ଷ ନେଉଛି ଏବଂ ଚାହୁଁଛି କିଭଳି ଭାରତ ସେମିଫାଇନାଲରେ ପହଞ୍ଚି ଯାଉ ।

ଏହାସହ ଆଫ୍ରିଦି କହିଛନ୍ତି, ମୋତେ ଲାଗୁଛି ଟିମ୍ ଇଣ୍ଡିଆ ଆଡକୁ ଆଇସିସି ଅଧିକ ଢଳିକି ରହିଛି । ଭାରତ-ପାକିସ୍ତାନ ମ୍ୟାଚରେ ଯେଉଁ ଅମ୍ପାୟାର ଥିଲେ ସେହି ଅମ୍ପାୟାର ବାଂଲାଦେଶ ଓ ଭାରତ ମ୍ୟାଚରେ ମଧ୍ୟ ରହିଥିଲେ । ଏହି ଦୁଇ ଅମ୍ପାୟାରକୁ ଆଇସିସି ପୁରସ୍କାର ଦେବା କଥା । ଆଫ୍ରିଦି କେବଳ ଭାରତକୁ ଟାର୍ଗେଟ କରିଛନ୍ତି ତାହା ନୁହେଁ ବରଂ ବାଂଲାଦେଶ ଟିମକୁ ମଧ୍ୟ ପ୍ରଂଶସା କରିବାକୁ ପଛାଇ ନାହାନ୍ତି । ଆଫ୍ରିଦି କହିଛନ୍ତି, ଲିଟନଙ୍କ ବ୍ୟାଟିଂ ଆଶ୍ଚର୍ଯ୍ୟଜନକ ଥିଲା । ଲିଟନ ଯେଉଁଭଳି ସକରାତ୍ମକ ଢଙ୍ଗରେ ବ୍ୟାଟିଂ କଲେ, ଯଦି ଆଉ କିଛି ଓଭର କ୍ରିଜରେ ରହିଥାନ୍ତେ ତେବେ ଭାରତ ହାତରୁ ମ୍ୟାଚ୍ ଛଡାଇ ଆଣିଥାନ୍ତା ବାଂଲାଦେଶ । ମୋଟାମୋଟି ଭାବେ ଭାରତ ବିପକ୍ଷରେ ଲଢୁଆ ପ୍ରଦର୍ଶନ କରିଥିଲା ବାଂଲାଦେଶ । ଭାରତ ବିପକ୍ଷରେ ବାଂଲାଦେଶ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା । କିନ୍ତୁ ବର୍ଷା ହେବା ପରେ ଖେଳର ମୋଡ ବଦଳି ଯାଇଥିଲା । ଭାରତ ଜବରଦସ୍ତ କମବ୍ୟାକ୍ କରିବା ସହ ବାଂଲାଦେଶକୁ ମାତ୍ ଦେବାର ସକ୍ଷମ ହୋଇଥିଲା । ଆଉ ଏହି ବିଜୟ ସହ ଭାରତ ସେମିଫାଇନାଲର ଆହୁରି ନିକଟତର ହୋଇଛି । ରବିବାର ଜିମ୍ବାୱେ ବିପକ୍ଷରେ ଭାରତର ନିଜ ଶେଷ ଲିଗ୍ ମ୍ୟାଚ୍ ଖେଳିବ ।

ବାଂଲାଦେଶ ବିପକ୍ଷରେ ଭାରତର ବିଜୟକୁ ନେଇ ପାକିସ୍ତାନର ଆଫ୍ରିଦି ରକ୍ତ ଚାଉଳ ଚୋବାଇବାର ବଡ କାରଣ ହେଉଛି, ଚଳିତ ଟି-୨୦ ବିଶ୍ୱକପର ସେମିଫାଇନାଲ ରେସରୁ ପାକିସ୍ତାନ ବିଦା ହେବା ଉପରେ ରହିଛି । ନିଜର ପ୍ରଦର୍ଶନ ବଳରେ ନୁହେଁ ବରଂ ଭାରତର ପରାଜୟକୁ ଚାହିଁ ବସିଛି ପାକିସ୍ତାନ । ଯାହା ଫଳରେ ଟି-୨୦ ବିଶ୍ୱକପର ସେମିଫାଇନାଲ ରେସରେ ନିଜକୁ ସାମିଲ କରିପାରିବ । ଭାରତ ଏବେ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିବା ବେଳେ ପାକିସ୍ତାନ ତୃତୀୟ ସ୍ଥାନରେ ରହିଛି । ତେଣୁ ନିଜର ବିଜୟ ଓ ବଡ ବ୍ୟବଧାନରେ ଭାରତର ପରାଜୟ ପାଇଁ ପ୍ରାର୍ଥନା କରୁଛନ୍ତି ପାକିସ୍ତାନ କ୍ରିକେଟପ୍ରେମୀ । ଭାରତୀୟ କ୍ରିକେଟରଙ୍କ ମନୋବଳ ଭାଙ୍ଗିବାକୁ ଏଣୁତେଣୁ ବୟାନ ଦେଉଛନ୍ତି ପାକିସ୍ତାନର କ୍ରିକେଟର ।