ଚରମ ସୀମାରେ ପହଞ୍ଚିଲା ରୁଷିଆ-ୟୁକ୍ରେନ ବିବାଦ : ପୁଟିନ୍ କହିଲେ, ୟୁକ୍ରେନର ଦୁଇଟି ଅଂଚଳକୁ ସ୍ୱାଧୀନ ଘୋଷଣା ପାଇଁ ଶୀଘ୍ର ନିଆଯିବ ନିଷ୍ପତ୍ତି

ସୀମାରେ ପ୍ରବେଶ କରୁଥିବା ୟୁକ୍ରେନର ୫ ସୈନ୍ୟ ନିହତ, ଦୁଇ ଯୁଦ୍ଧଯାନକୁ ଧ୍ୱଂସ କରିଥିବା ଦାବି କଲା ରୁଷ 

290

କନକ ବ୍ୟୁରୋ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ବିବାଦ ଚରମସୀମାରେ ପହଞ୍ଚିଛି । ସେନା ଓ ବୈଦେଶିକ ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା ପରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ କହିଛନ୍ତି, ୨୪ ଘଂଟା ଭିତରେ ୟୁକ୍ରେନର ଦୁଇଟି ଅଂଚଳକୁ ସ୍ୱାଧୀନ ଘୋଷଣା କରିବା ନେଇ ନିଷ୍ପତ୍ତି ନିଆଯିବ । ଏପଟେ ଦୁଇ ଦେଶର ସୀମାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ।

ଏହାରି ଭିତରେ ସୀମା ପାର କରି ରୁଷିଆ ସୀମାରେ ପ୍ରବେଶ କରିଥିବା ୫ ୟୁକ୍ରେନ ସେନାଙ୍କୁ ମାରି ଦେଇଥିବା ରୁଷିଆ ଦାବି କରିଛି । ଏହା ଛଡ଼ା ରୁଷିଆ ସୀମାରେ ପ୍ରବେଶ କରୁଥିବା ୟୁକ୍ରେନର ଦୁଇ ଯୁଦ୍ଧଯାନକୁ ଧ୍ୱଂସ କରିଥିବା ଦାବି କରିଛି । ଏମାନେ ସୀମାରେ ଭଙ୍ଗାରୁଜା କରୁଥିଲେ ବୋଲି ରୁଷିଆ କହିଛି । ଏହି ଘଟଣା ରୋସ୍ତୋଭ ଅଂଚଳର ମିତ୍ୟାକିନସକ୍ୟା ଗାଁରେ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ୟୁକ୍ରେନ ସୀମାରେ ଏବେ ରୁଷିଆ ଦେଢ ଲକ୍ଷ ସେନା ମୁତୟନ କରିଛି । ଏହାଛଡ଼ା ବେଲାରୁଷରେ ୩୦ହଜାର ସେନା ମୁତୟନ ହୋଇଛନ୍ତି ।

ତେବେ ରୁଷର ଦାବିକୁ ଖାରଜ କରିଛି ୟୁକ୍ରେନ । ଯେଉଁ ଅଂଚଳରେ ଏହି ଘଟଣା ଘଟିଛି, ସେହି ସ୍ଥାନରେ ୟୁକ୍ରେନର ସେନା ମୁତୟନ ହୋଇନଥିଲେ ବୋଲି ୟୁକ୍ରେନ ବିବୃତି ଦେଇଛି । ତେବେ ରୁଷ କହିଛି, ୟୁକ୍ରେନ ପ୍ରଥମେ ଆକ୍ରମଣ କରିବାରୁ ତା’ର ଜବାବ ଦିଆଯାଇଛି । ସେପଟେ ରୁଷିଆ ଉପରେ କୌଣସି ପ୍ରକାର ଆକ୍ରମଣ କରିନଥିବା ସ୍ପଷ୍ଟ କରିଛି ୟୁକ୍ରେନ ।