ପଂଚାୟତର ନିର୍ବାଚନର ଆଜି ଚତୁର୍ଥ ପର୍ଯ୍ୟାୟ ଭୋଟ୍ : ୨୭ ଜିଲ୍ଲାର ୧୬୩ ଜିଲ୍ଲା ପରିଷଦ ଜୋନ୍ ପାଇଁ ମତଦାନ କରିବେ ୫୧ ଲକ୍ଷ ୩୧ ହଜାର ଭୋଟର

63

କନକ ବ୍ୟୁରୋ : ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନର ଆଜି ଚତୁର୍ଥ ପର୍ଯ୍ୟାୟ ଭୋଟ୍ । ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ । ୧୭ ହଜାର ୮୯ଟି ବୁଥରେ ମତଦାନ କରିବେ ୫୧ ଲକ୍ଷ ୩୧ ହଜାର ୭୨୭ ଭୋଟର । ସେଥିରୁ ୨ହଜାର ୫୬୩ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି ।

ଏହି ବୁଥ ଉପରେ କଡା ନଜର ରଖିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟଠୁ ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ଅଧିକ ହିଂସା ହୋଇଛି । ତେଣୁ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ କିପରି ଶାନ୍ତି ଶୃଙ୍ଖଳାରେ ହେବ ସେ ନେଇ ରାଜ୍ୟ ନିର୍ବାଚନ କମିଶନ, ପୋଲିସ ଓ ପ୍ରଶାସନ ସହ ଆଲୋଚନା କରିଛନ୍ତି । ଏଥିପାଇଁ ୨୫୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ ବୋଲି କୁହାଯାଇଛି ।

ନିର୍ବାଚନୀ ହିଂସା ଏବଂ ଭୋଟ୍‌ ବାକ୍ସ ଲୁଟ୍‌ ଅଭିଯୋଗ ବଢ଼ୁଥିବାରୁ ପୁଲିସ ବିଭାଗ ପକ୍ଷରୁ କୁହାଯାଇଛି ଯେ ନିର୍ବାଚନ କମିସନଙ୍କ ଗାଇଡଲାଇନ୍ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ପାଇଁ ମୋଟ୍ ୮୨ଜଣଙ୍କୁ ଗିରଫ କରାଯାଇଛି । ଯାଜପୁର ଜିଲ୍ଲାରୁ ସର୍ବାଧିକ ୪୩ଜଣ, ଢେଙ୍କାନାଳରୁ ୯ଜଣ, ଜଗତସିଂହପୁରରୁ ୬ଜଣ, ପୁରୀ ଜିଲ୍ଲାରୁ ୨୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।