ପଞ୍ଜାବର ଗୁଞ୍ଜରବାଲାରୁ ଲଣ୍ଡନର ୧୦ ଡ୍ରାଉନିଂ ଷ୍ଟ୍ରିଟ୍ । ଜାଣନ୍ତୁ କେମିତି ଥିଲା ଋଷି ସୁନକଙ୍କ ପରିବାରର ଏହି ଯାତ୍ରା ?

310

କନକ ବ୍ୟୁରୋ : ଭାରତୀୟ ବଂଶୋଦ୍ଭବ ଋଷି ସୁନକ ଏବେ ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରେ ଅବସ୍ଥାପିତ ହୋଇଛନ୍ତି । ହେଲେ ତାଙ୍କ ପରିବାର ଗତ ୯୦ ବର୍ଷ ମଧ୍ୟରେ ୩ ଟି ମହାଦେଶ ଯାତ୍ରା କରି ଶେଷରେ ବ୍ରିଟେନରେ ବାସ କରୁଛନ୍ତି । ଅବିଭକ୍ତ ଭାରତର ପଞ୍ଜାବ ପ୍ରଦେଶର ମୂଳ ବାସିନ୍ଦା ଥିଲେ ଋଷି ସୁନକଙ୍କ ପରିବାର । ହେଲେ ଏବେ ତାଙ୍କ ପରିବାର ବ୍ରିଟେନର ନାଗରିକ । ପୁଣି ଅନେକ ଦେଶକୁ ଦିନେ ନିଜ ଶାସନ କ୍ଷମତାରେ ବାନ୍ଧିରଖିଥିବା ବ୍ରିଟେନ ଭଳି ଏକ ରାଷ୍ଟ୍ରର ମୁଖ୍ୟ ହୋଇପାରିଛନ୍ତି ଋଷି ସୁନକ ।

ପଞ୍ଜାବର ଏକ ପରିବାର ଅନେକ ଦଶକ ତଳେ ଏକ ସୁଖମୟ ଜୀବନ ଖୋଜି ଖୋଜି ଏସିଆ ମହାଦେଶରୁ ଆଫ୍ରିକା ମହାଦେଶରେ ପହଂଚିଥିଲେ । ହେଲେ ସେଠାରେ କିଛିଦିନ ବାସ କରିବା ପରେ ପୁଣି ୟୁରୋପ ମହାଦେଶ ପଳାଇଥିଲେ । ଏହି ୩ ମହାଦେଶକୁ ଯାତ୍ରା କରିବା ବେଳେ ସୁନକ ପରିବାରର ୩ ପୀଢିଙ୍କ ସମୟ ବିତି ଯାଇଥିଲା ।

୯୦ ବର୍ଷ ପୂର୍ବେ ଅବିଭକ୍ତ ଭାରତର ପଞ୍ଜାବ ପ୍ରଦେଶରେ ଗୁଞ୍ଜରବାଲାର ଜଣେ ଯୁବକ ନିଜର ସୁନ୍ଦର ଭବିଷ୍ୟତ ପାଇଁ ସାତ ସମୁଦ୍ର ପାରି ହେବାକୁ ନିଜର ସମସ୍ତ ଆୟୋଜନ କରିଥିଲେ । କ୍ଷେତ୍ରୀୟ ସମୁଦାୟର ଏହି ଯୁବକ ଜଣେ ବ୍ୟବସାୟୀ ଥିଲେ । ୧୯୩୫ ମସିହାରେ ଋଷି ସୁନକଙ୍କ ଦାଦା ରାମଦାସ ସୁନକ ଗୁଞ୍ଜରବାଲାରୁ ୫ ହଜାର କିଲୋମିଟର ଦୂର ଯାତ୍ରାରେ ବାହାରିଗଲେ । ତାଙ୍କର ଲକ୍ଷ୍ୟଥିଲା ଆଫ୍ରିକା ମହାଦେଶର ଏକ ଛୋଟ ଦେଶ କେନିଆରେ ବାସ କରିବେ । ସେତେବେଳେ କେନିଆରେ ଇଂଗ୍ରେଜମାନଙ୍କର ଶାସନ ଥିଲା । ରାମଦାସ ସେଠାରେ ପହଂଚିବା ପରେ ଅନେକ ଚେଷ୍ଟା କରି ଏକ କିରାଣୀ ଚାକିରି ଯୋଗାଡ କରିଥିଲେ ।

ଋଷି ସୁନକଙ୍କ ଜେଜେ ରାମଦେବ ସୁନକ ଓ ଜେଜେମା ସୁହାଗ ରାଣୀଙ୍କର ମୋଟ ୬ ଜଣ ସନ୍ତାନ ଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ପୁଅ ଓ ୩ ଜଣ ଝିଅ ଥିଲେ । ହେଲେ ଋଷି ସୁନକଙ୍କ ବପା ୟଶବୀର ସୁନକଙ୍କୁ ଯେତେବେଳେ ୧୭ ବର୍ଷ ବୟସ ହୋଇଥିଲା ସୁନକ ପରିବାର କେନିଆ ଛାଡି ବ୍ରିଟେନ ଚାଲିଆସିଥିଲେ । ସେତେବେଳେ ୟଶବୀର ସୁନକଙ୍କୁ ଲିଭରପୁଲ ବିଶ୍ୱବିଦ୍ୟାଳୟରେ ତାଙ୍କୁ ଡାକ୍ତରୀ ପଢିବାର ସୁଯୋଗ ମିଳିଯାଇଥିଲା ।

ସେପଟେ ଋଷି ସୁନକଙ୍କ ପରିବାର ଭାରତୀୟ ସଂସ୍କୃତି ସହ ଭଲଭାବେ ଜଡିତ ଥିଲେ । ତାଙ୍କ ଜେଜେବାପା ରାମଦାଶ ସୁନକ ୧୯୭୧ ମସିହାରେ ସାଉଥମ୍ପଟନର ଏକ ବୈଦିକ ହିନ୍ଦୁ ମନ୍ଦିର ସ୍ଥାପନା କରିଥିଲେ । ୧୯୮୦ ମସିହାରେ ଋଷି ସୁନକଙ୍କ ପିତା ୟଶବୀର ସୁନକ ଏହି ମନ୍ଦିରର ଟ୍ରଷ୍ଟି ଭାବେ ଯୋଡି ହୋଇଥିଲେ ।

ଅନ୍ୟପଟେ ଋଷି ସୁନକଙ୍କ ମା’ଙ୍କ କଥା ଯଦି ଆଲୋଚନା କରାଯାଏ ତେବେ ଋଷି ସୁନକଙ୍କ ଅଜା ବି ପଞ୍ଜାବ ପ୍ରଦେଶର ବାସିନ୍ଦା । ହେଲେ ଋଷିଙ୍କ ଅଜା ବି ବ୍ରିଟେନ ସରକାରରେ ଜଣେ ବରିଷ୍ଠ ଅଧିକାରୀ ଥିଲେ । ଏହି ସମୟରେ ଋଷିଙ୍କ ମା ଓଷା ଓ ଋଷିଙ୍କ ବାପାଙ୍କ ମଧ୍ୟରେ ବ୍ରିଟେନରେ ଭେଟ ହୋଇଥିଲା । ୧୯୭୭ ମସିହାରେ ୟଶବୀର ଓ ଓଷାଙ୍କ ମଧ୍ୟରେ ବିବାହ ହୋଇଥିଲା ଓ ୧୯୮୦ ମସିହାରେ ଋଷି ସୁନକଙ୍କର ଜନ୍ମ ହୋଇଥିଲା ।

ଋଷି ସୁନକ ତାଙ୍କ ଅତୀତକୁ ଇମାନଦାରୀ ସହକାରେ ସ୍ୱିକାର କରନ୍ତି ଋଷି ସୁନକ । ଏହାସହ ତାଙ୍କ ପରିବାରକୁ ନେଇ ମଧ୍ୟ ସେ ଗର୍ବ କରନ୍ତି । ସେ କହନ୍ତି କି ମୁଁ ଯେଉଁଠୁ ଆସିଛି ତାହାକୁ ନେଇ ମୋ ଭିତରେ ଗର୍ବ ରହିଛି । ମୁଁ କିଏ ଏହା ମୋର ଅସ୍ତିତ୍ୱରେ ଯୋଡି ହୋଇ ରହିବ । ମୋର କାମ ଏହା ସୁନିଶ୍ଚିନ୍ତ କରିବା କି ବ୍ରିଟିସ ଓ ଭାରତୀୟ କାହାଣୀର ଶେଷ ନୁହେଁ ବରଂ ପ୍ରାରମ୍ଭ କରିବା ।