ନୂପୁର ଶର୍ମାଙ୍କୁ ହତ୍ୟା କରିବାକୁ ପାକିସ୍ତାନରୁ ଆସିଥିଲା ରିଜୱାନ ଅସରଫ୍ । ଅନୁପ୍ରବେଶ ବେଳେ ଧରିଲେ ବିଏସଏଫ ଯବାନ ।

206

କନକ ବ୍ୟୁରୋ: ବିଜେପିର ପୂର୍ବତନ ରାଷ୍ଟ୍ରୀୟ ପ୍ରବକ୍ତା ନୂପୁର ଶର୍ମାଙ୍କୁ ହତ୍ୟା କରିବାକୁ ପାକିସ୍ତାନରୁ ଆସିଥିଲା ରିଜୱାନ୍ ଅସରଫ୍ । ସେ ପାକିସ୍ତାନର ନାଗରିକ । ଭାରତ ସୀମାରେ ଅନୁପ୍ରବେଶକରିବାକୁ ଚେଷ୍ଟା କରୁଥିବା ସମୟରେ ଧରାପଡିଛି ।

ରବିବାର ସକାଳ ସମୟରେ ରାଜସ୍ଥାନର ଭାରତ- ପାକିସ୍ତାନ ସୀମାରେ ଥିବା ଶ୍ରୀଗଙ୍ଗାନଗର ଜିଲ୍ଲାର ହିନ୍ଦୁମାଲକୋଟ ସେକ୍ଟରରେ ଖଖାନ ଚେକପୋଷ୍ଟରୁ ତାଙ୍କୁ ଗିରଫ କରାଯାଇଛି । ସୁରକ୍ଷା ଏଜେନ୍ସି ଦ୍ୱାରା ପ୍ରାରମ୍ଭିକ ପଚରାଉଚୁରାରୁ ଜଣାପଡିଛି ଯେ ବିଜେପିର ପୂର୍ବତନ ରାଷ୍ଟ୍ରୀୟ ମୁଖପ୍ରାତ୍ର ନୂପୁର ଶର୍ମାଙ୍କୁ ହତ୍ୟା କରିବା ପାଇଁ ରିଜୱାନ୍ ଅସରଫ୍ ଭାରତରେ ପ୍ରବେଶ କରୁଥିଲେ ।
ଗଣମାଧ୍ୟମ ସହ କଥାବାର୍ତ୍ତା କରି ଶ୍ରୀଗଙ୍ଗାନଗର ଏସପି ଆନନ୍ଦ ଶର୍ମା ପାକ୍ ଅନୁପ୍ରବେଶକାରୀ ରିଜଓ୍ବାନ ଅସରଫକୁ ଗିରଫ କରିବା ସହ ସେ ନୂପୁର ଶର୍ମାଙ୍କୁ ହତ୍ୟା କରିବାକୁ ଆସିଥିବା କଥା ନିଶ୍ଚିତ କରିଛନ୍ତି । ପଚରାଉଚୁରା କରିବା ସମୟରେ ରିଜୱାନ ସ୍ୱୀକାର କରିଥିଲା ଯେ, ଅତୀତରେ ନୂପୁର ଶର୍ମା ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଯାହା ତାଙ୍କୁ ଆହତ କରିଥିଲା । ସୋସିଆଲ ମିଡିଆରେ ନୂପୁରଙ୍କ ଭିଡିଓ ଭାଇରାଲ ହେବା ପରେ ପାକିସ୍ତାନର ମାଣ୍ଡି ଭାଉଦ୍ଦିନ ଜିଲ୍ଲାରେ ମୁଲ୍ଲା ଧର୍ମଗୁରୁଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା , ଯେଉଁଥିରେ ନୂପୁର ଶର୍ମାଙ୍କୁ ଘୋର ନିନ୍ଦା କରାଯାଇଥିଲା ।