ନବୀନ ନିବାସରେ ନିର୍ବାଚନୀ ରଣନୀତି । ପଦ୍ମପୁର ଫଳାଫଳ ପରେ ଦାୟିତ୍ୱରେ ଥିବା ନେତାଙ୍କୁ ନେଇ କବାଟିକିଳା ବୈଠକ, ୨୦୨୪ ପାଇଁ ଦଳର ଜୋରଦାର ପ୍ରସ୍ତୁତି ।

127

କନକ ବ୍ୟୁରୋ :  ୨୦୨୪ ପାଇଁ ବିଜେଡିର ପ୍ରସ୍ତୁତି । ପଦ୍ମପୁର ଉପନିର୍ବାଚନ ଫଳାଫଳ ପରେ ନବୀନ ନିବାସରେ ତୁହାକୁ ତୁହା ସମୀକ୍ଷା ବୈଠକ । ପଦ୍ମପୁର ଦାୟିତ୍ୱରେ ଥିବା ନେତାଙ୍କୁ ନେଇ ବସିଲା ଏହି ବୈଠକ । ଆୟୋଜିତ ଏହି ବୈଠକରେ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସୁଶାନ୍ତ ସିଂ ଓ ଦେବୀ ମିଶ୍ର ପ୍ରମୁଖ ତୁଙ୍ଗ ନେତା ସାମିଲ ହୋଇଛନ୍ତି । ତେବେ ପଦ୍ମପୁର ବିଜୟର ସମୀକ୍ଷା ସହ ୨୦୨୪ ପାଇଁ ମଧ୍ୟ ରଣନୀତି ପ୍ରସ୍ତୁତ କରାଯାଉଥିବା ଚର୍ଚ୍ଚା ହେଉଛି ।

ଗୋଟିଏ ପଟେ ରାଜ୍ୟରେ ଆଗୁଆ ନିର୍ବାଚନ ପାଇଁ ଚର୍ଚ୍ଚା ହେଉଥିବା ବେଳେ, ଆଉ ଗୋଟିଏ ପଟେ ବିଜୁ ଜନତା ଦଳ ଭିତରେ ଭିତରେ ଜୋରଦାର ପ୍ରସ୍ତୁତି ଚଳାଇଛି । ୧୨୫ ମିଶନ ନେଇ ଆଗଉ ଥିବା ବିଜେଡି ୧୪୭ ବିଧାନସଭା କ୍ଷେତ୍ରରେ ସର୍ଭେ କାମ ଆରମ୍ଭ କରିଛି । ବର୍ତମାନର ବିଧାୟକ ଓ ସାଂସଦଙ୍କ ଲୋକପ୍ରିୟତା, ଭାବମୂର୍ତିିର ରିପୋର୍ଟ ସଂଗ୍ରହ କରି ଦଳର ସୁପ୍ରିମୋଙ୍କୁ ପ୍ରଦାନ କରାଯିବ । କେଉଁ ନିର୍ବାଚନମଣ୍ଡଳୀରେ ସରକାରୀ ବିରୋଧୀ ହାୱା ରହିଛି, ତାର ମଧ୍ୟ ସର୍ଭେ କରୁଛି ଶାସକ ଦଳ । ଆଉ ଏହି ସର୍ଭେ ଆଧାରରେ ଦଳ ୨୦୨୪ ପାଇଁ ପ୍ରାର୍ଥୀ ଚୟନ କରିବ ବୋଲି କୁହାଯାଉଛି ।

୨୦୨୪ ପାଇଁ ବିଜେଡି ସ୍ୱତନ୍ତ୍ର ରଣନୀତି କରୁଥିବାବେଳେ ଲୋକପ୍ରିୟତା ହରାଇଥିବା ଓ ଭଲ ପ୍ରଦର୍ଶନ ନଥିବା ନେତା ଛାନିଆ ହେଲେଣି । ୨୦୧୯ରେ ବିଜେଡି ୫୦ରୁ ଅଧିକ ବିଧାୟକଙ୍କ ଟିକେଟ କଟାଯାଇଥିଲା । ଏଥିସହ ୨୦୧୯ ପରେ ରାଜ୍ୟରେ ହୋଇଥିବା ୭ଟି ଉପନିର୍ବାଚନରେ ୪ଜଣ ମହିଳା ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇ ବଡ ସଂକେତ ଦେଇଛି ବିଜେଡି । ଅନ୍ୟପଟେ ବୟସ୍କଙ୍କୁ ଆଉ ଭରସା କରି ନପାରନ୍ତି ବିଜେଡି ସୁପ୍ରିମୋ । ତେବେ ଗ୍ରାଉଣ୍ଡ ରିପୋର୍ଟକୁ ଆଧାର କରି ସୁପ୍ରିମୋ ଟିକେଟ ଦେବେ ବୋଲି ଅନୁମାନ କରୁଛନ୍ତି ବିଜେଡି ବିଧାୟକ ।