ରାମ ମନ୍ଦିର ନିର୍ମାଣ ନେଇ ବଡ ବୟାନ ଦେଲେ ମନ୍ଦିରର ମଡେଲ ପ୍ରସ୍ତୁତ କରିଥିବା ଡିଜାଇନର । କହିଲେ, ୫୦ ପ୍ରତିଶତ ପଥର ଆସିସାରିଛି, ୩ ବର୍ଷ ମଧ୍ୟରେ ଶେଷ ହେବ ମନ୍ଦିରର ନିର୍ମାଣ

897

ଖୁବଶୀଘ୍ର ଅଯୋଧ୍ୟା ମାମଲାରେ ଆସିବ ରାୟ । ଦଶନ୍ଧି ଦଶନ୍ଧି ଧରି ଲାଗି ରହିଥିବା ଅଯୋଧ୍ୟା ବିବାଦରେ ପଡିବାକୁ ଯାଉଛି ପୂର୍ଣ୍ଣଚ୍ଛେଦ । ଦୀର୍ଘ ୪୦ ଦିନ ଧରି ଚାଲିଥିବା ଏହି ମାମଲାର ଶୁଣାଣି ଶେଷ ହେବା ପରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟକୁ ପୂରା କୋଟି କୋଟି ଦେଶବାସୀ ଅପେକ୍ଷା କରି ରହିଛନ୍ତି । ଆଉ ଏମାନଙ୍କ ଭିତରେ ରହିଛନ୍ତି ଅହମ୍ମଦାବାଦର ଚନ୍ଦ୍ରକାନ୍ତ ଭାଇ ସୋମପୁରା ।

ଚନ୍ଦ୍ରକାନ୍ତ ସେହି ବ୍ୟକ୍ତି ଯିଏ, ରାମ ମନ୍ଦିରର ଡିଜାଇନ୍ କରିଥିଲେ । ତାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ମନ୍ଦିରର ମଡେଲ ଅଯୋଧ୍ୟାର କାରସେବକପୁରମରେ ରଖାଯାଇଛି । ଆଉ ଏସବୁ ଭିତରେ ଚନ୍ଦ୍ରକାନ୍ତ ରାମ ମନ୍ଦିରକୁ ନେଇ ବଡ ବୟାନ ରଖିଛନ୍ତି । ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଚନ୍ଦ୍ରକାନ୍ତ କହିଛନ୍ତି ଯେ, ରାମ ମନ୍ଦିର ନିର୍ମାଣ ଶେଷ ପାଇଁ ପାଖାପାଖି ୩ ବର୍ଷ ସମୟ ଲାଗିବ ।

ଏହାଛଡା ରାମ ମନ୍ଦିର ନିର୍ମାଣ ପାଇଁ ପ୍ରାୟ ୫୦ ପ୍ରତିଶତ ପଥରର ଯାଞ୍ଚ ଏକପ୍ରକାର ଶେଷ ହୋଇଛି । ମନ୍ଦିର ନିର୍ମାଣ ପାଇଁ ଯେତିକି ପଥର ଏବେ ରହିଛି ସେଥିରେ ମନ୍ଦିର ନିର୍ମାଣ କାର୍ଯ୍ୟ ବେଶ ଆରାମରେ କରାଯାଇପାରିବ । ତେବେ ଯେଉଁ ପଥର ନିର୍ମାଣ ପାଇଁ ବ୍ୟବହାର କରାଯିବ ତାହା ଏବେ ମିଳିବା ଏକପ୍ରକାର ମୁସ୍କିଲ ହୋଇପଡିଛି । କାରଣ ମନ୍ଦିରରେ ଲମ୍ବା ଓ ଚଉଡା ପଥର ବ୍ୟବହାର କରାଯିବ । ସମସ୍ତ ପଥର ରାଜସ୍ଥାନର ଭରତପୁର ଅଞ୍ଚଳରୁ ଅଣାଯାଇଛି ବୋଲି କହିଛନ୍ତି ଚନ୍ଦ୍ରକାନ୍ତ ।