ବାଙ୍ଗାଲୋର ଓ ଲକ୍ଷ୍ନୌ ମ୍ୟାଚରେ ବର୍ଷା ସାଜିପାରେ ବାଧକ । ସୋମବାର ବି ରହିଛି ବର୍ଷା ସମ୍ଭାବନା ।

111

କନକ ବ୍ୟୁରୋ : ସୋମବାର ସନ୍ଧ୍ୟାରେ ଆଇପିଏଲରେ ଦେଖିବାକୁ ମିଳିବ ସୁପରହିଟ୍ ମୁକାବିଲା । ଲକ୍ଷ୍ନୌରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ । ଏହି ମୁକାବିଲା ବେଶ ରୋମାଞ୍ଚକର ହେବ । ସେହିଭଳି ବାଙ୍ଗାଲୋର ଅଧିନାୟକ ଦାୟିତ୍ୱ କିଏ ତୁଲାଇବ ତାହା ସବୁଠୁ ବଡ ପ୍ରଶ୍ନ । କାରଣ ଗତ ୩ଟି ମ୍ୟାଚରେ କୋହଲି ବାଙ୍ଗାଲୋରର ମଙ୍ଗ ଧରିଥିଲେ । ଯେଉଁଥିରୁ ୨ଟିରେ ବାଙ୍ଗାଲୋର ବିଜୟ ହୋଇଥିବା ବେଳେ ୨ଟି ମ୍ୟାଚରେ ପରାଜିତ ହୋଇଛି । ଲକ୍ଷ୍ନୌ ଓ ବାଙ୍ଗାଲୋର ମଧ୍ୟରେ ପୂର୍ବରୁ ଗୋଟିଏ ମ୍ୟାଚ୍ ଖେଳାଯାଇଥିବା ବେଳେ ଏଥିରେ ବାଜି ମାରିନେଇଥିଲା ଲକ୍ଷ୍ନୌ । ଶେଷ ବଲରେ ଦଳ ବିଜୟୀ ହୋଇଥିଲା । ତେଣୁ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ମୈଦାନକୁ ଓହ୍ଲାଇବ ବାଙ୍ଗାଲୋର । ପ୍ଲେ ଅଫରେ ସ୍ଥାନ ବଜାୟ ରଖିବାକୁ ହେଲେ ବାଙ୍ଗାଲୋର ପାଇଁ ଏହି ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ । ଅନ୍ୟପଟେ ଲକ୍ଷ୍ନୌ ଏହି ମ୍ୟାଚରେ ବିଜୟୀ ହୋଇ ଟେବୁଲର ଶୀର୍ଷକୁ ଉଠିବାକୁ ପ୍ରୟାସ କରିବ । ଚଳିତ ଆଇପିଏଲରେ ଲକ୍ଷ୍ନୌ ଦଳଗତ ସର୍ବାଧିକ ସ୍କୋର ହାସଲ କରିଛି । ତେଣୁ ବାଙ୍ଗାଲୋର ବିପକ୍ଷରେ ଏକ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିବ ।

ତେବେ ଏହି ରୋମାଞ୍ଚକର ମ୍ୟାଚରେ ବାଧକ ସାଜିପାରେ ବର୍ଷା । ରବିବାର ପ୍ରବଳ ବର୍ଷା କାରଣରୁ ବାଙ୍ଗାଲୋର ଦିନ ତମାମ ଅଭ୍ୟାସ କରିପାରିନଥିଲା । କିନ୍ତୁ ସନ୍ଧ୍ୟାରେ ବର୍ଷା ଛାଡିବା ପରେ ଦୀର୍ଘ ସମୟ ଧରି ପଡିଆରେ ଅଭ୍ୟାସ କରିଥିଲେ ବାଙ୍ଗାଲୋରର ଖେଳାଳୀ । ଅନ୍ୟପଟେ ପଞ୍ଜାବକୁ ବଡ ବ୍ୟବଧାନରେ ପରାଜିତ କରି ଦୃଢ ମନୋବଳ ନେଇ ହୋମଗ୍ରାଉଣ୍ଡକୁ କମବ୍ୟାକ କରିଛି ଲକ୍ଷ୍ନୌ । ରବିବାର ଲକ୍ଷ୍ ନୌରେ ବର୍ଷା ହୋଇଥିବା ବେଳେ ସୋମବାର ମଧ୍ୟ ବର୍ଷା ସମ୍ଭାବନା ରହିଛି । ଏଭଳିସ୍ଥଳେ ବର୍ଷା ଯଦି ନ ହୁଏ ତେବେ ଲକ୍ଷ୍ନୌରେ ଏକ ହାଇଭୋଲଟେଜ ମୁକାବିଲା ଦେଖିବାକୁ ମିଳିବ ।