ବଦଳିଲେ ପୁଲିସ୍ ଡିଜି ! ଆର.ପି ଶର୍ମା ହେଲେ ନୂଆ ଡିଜି

71

କନକ ବ୍ୟୁରୋ : ବଦଳିଲେ ରାଜ୍ୟ ପୁଲିସ୍ ଡିଜି । ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ହେଲେ ନୂଆ ପୁଲିସ୍ ଡିଜି । ବର୍ତମାନ ସେ ଭିଜିଲାନ୍ସ ନିର୍ଦ୍ଦେଶକ ଦାୟିତ୍ୱରେ ଅଛନ୍ତି । କେବି ସିଂଙ୍କୁ ଓଏସ୍ଆରଟିସି ସିଏମ୍ଡି ଭାବେ ଦାୟିତ୍ୱ ଦିଆଯାଇଛି । ନୂଆ ପୁଲିସ୍ ଡିଜି ଭାବେ ଦାୟିତ୍ୱ ମିଳିବା ପରେ ପ୍ରତିକ୍ରିୟା ରଖି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି, ଏହା ତାଙ୍କ ପାଇଁ ଏକ ବଡ ଚ୍ୟାଲେଂଜ । ସେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିବେ । ଏଥିସହ ପୁଲିସିଂ ବିଭାଗକୁ ସୁଦୃଢ କରିବାକୁ ଉଦ୍ୟମ କରିବେ । ପୂର୍ବରୁ ଭୁବନେଶ୍ୱର-କଟକ ପୁଲିସ୍ କମିଶନର ଦାୟିତ୍ୱ ତୁଲାଇସାରିଛନ୍ତି ଆରପି ଶର୍ମା । ରାଜସ୍ଥାନରେ ଜନ୍ମିତ ଏହି ପୁଲିସ୍ ଅଧିକାରୀ ପୂର୍ବରୁ ଏନଏସଜିର ଆଇଜି ପଦ ବି ସମ୍ଭାଳିଛନ୍ତି । ଏପରିକି ସେହି ସମୟରେ ତାଙ୍କୁ ରାଷ୍ଟ୍ରପତି ପୁଲିସ୍ ମେଡାଲ ବି ମିଳିଥିଲା ।

ବୈଠକ ଭିତରେ ବଦଳି । ସମ୍ବଲପୁରରେ ମାଓ ଦମନ ନେଇ ଗୁରୁତ୍ୱପୂଣ୍ଣ ବୈଠକ ଚାଲିଥିବା ବେଳେ ଅଚାନକ ବଦଳିଛନ୍ତି ପୁଲିସ୍ ଡିଜି । ରାଜ୍ୟ ପୁଲିସ୍ ଡିଜି ପଦରୁ ହଟାଇ, ଦିଆଯାଇଛି ଓଏସଆରିଟିସି ସିଏମଡି ଦାୟିତ୍ୱ । ତେବେ ପ୍ରଶ୍ନ ଉଠୁଛି କାହିଁକି ବଦଳିଲେ କେବି ସିଂ । କଣ ପାଇଁ ତାଙ୍କୁ ଡିଜିପି ପଦରୁ ହଟାଇଦେଲେ ସରକାର । କେବି ସିଂଙ୍କ ଉପରେ ଭରସା ରଖିପାରିଲେନି କି ସରକାର । କେବି ସିଂଙ୍କ କାମରେ ଅସନ୍ତୁଷ୍ଟ ଥିଲେ କି ସରକାର । ତାଙ୍କ ବାବଦରେ ସରକାରଙ୍କୁ କିଛି ଗୁପ୍ତ ତଥ୍ୟ ମିଳିଥିଲା କି । ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ କାହିଁକି ତାଙ୍କୁ ବଦଳାଗଲା ।

କ୍ରାଇମବ୍ରାଂଚ ସ୍ପେଶାଲ ଡିଜି ଥିବା ବିଜୟ କୁମାର ଶର୍ମାଙ୍କୁ ଜେଲ୍ ବିଭାଗ ଡିଜି ଭାବେ ନିଯୁକ୍ତି ମିଳିଛି । ସେହିପରି ଅରୁଣ ରାୟ ହେଲେ ଏଡିଜି ପୁଲିସ୍ ହେଡକ୍ୱାର୍ଟର୍ସ ।

ଡିଜିପିଙ୍କୁ ଏଭଳି ବଦଳି ରାଜ୍ୟ ପାଇଁ କିଛି ନୂଆ ନୁହେଁ , ପୂର୍ବରୁ ମଧ୍ୟ ଠିକ୍ ଏଭଳି ଭାବେ ପ୍ରକାଶ ମିଶ୍ରଙ୍କୁ ବଦଳାଇଥିଲେ ସରକାର । ରାଜ୍ୟ ପୁଲିସ୍ ଡିଜି ପଦରୁ ହଟାଇ ତାଙ୍କୁ ୨୦୧୪ରେ ଓଏସଆରଟିସିର ଦାୟିତ୍ୱ ଦେଇଥିଲେ । ନିର୍ବାଚନ ବେଳେ ବିଜେଡି ପ୍ରଚାର ଗାଡିରୁ ଟଙ୍କା ଜବତ କରିଥିବାରୁ ତାଙ୍କ ବିରୋଧରେ ଏପରି ପଦକ୍ଷେପ ସରକାର ନେଇଥିବା ନେଇ ଚର୍ଚ୍ଚା ହୋଇଥିଲା ।

ସେହିପରି ୨୦୧୫ ମସିହାରେ ତକ୍ରାଳୀନ ପୁଲିସ୍ ମହାନିର୍ଦ୍ଦେଶକ ଥିବା ସଂଜୀବ ମାରିକଙ୍କୁ ଲମ୍ବା ଛୁଟିରେ ପଠାଇ ଦିଆଯାଇ ତାଙ୍କ ସ୍ଥାନରେ କେବି ସିଂଙ୍କୁ ଅବସ୍ଥାପିତ କରାଯାଇଥିଲା । ମାରିକଙ୍କ ବିରୋଧରେ ଡିଏସପି ଓ ଏସିପି ବଦଳିରେ ଅନିୟମିତତା ହୋଇଥିବା ଦର୍ଶାଇ ତାଙ୍କ ବିରୋଧରେ କଡା ଆଭିମୁଖ୍ୟ ଦେଖାଇଥିଲେ ମୁଖ୍ୟମନ୍ତ୍ରୀ ବୋଲି କୁହାଯାଏ । ସେହିପରି ପୂର୍ବରୁ ପ୍ରାୟ ୪ ବର୍ଷ ଧରି ଡିଜିପି ଦାୟିତ୍ୱରେ ଥିବା ମନମୋହନ ପ୍ରହରାଜଙ୍କୁ ହଠାତ୍ ହୋମଗାର୍ଡ ଓ ଅଗ୍ନିଶମ ବିଭାଗ ଡିଜି ଭାବେ ବଦଳି କରାଯାଇଥିଲା । ତାଙ୍କ ବିରୋଧରେ ୨୦୧୨ରେ ବିଜେଡିରେ ହୋଇଥିବା ମିଡ୍ନାଇଟ୍ ଅପରେସନ ପାଇଁ ଗୁଇନ୍ଦା ବିଫଳତା ଦର୍ଶାଇ ତାଙ୍କୁ ବଦଳାଯାଇଥିବା କୁହାଯାଏ ।