ଏଲିଜାବେଥ ଦ୍ୱିତୀୟଙ୍କ ଶେଷ ଦର୍ଶନ ପାଇଁ ଲୋକଙ୍କ ଭିଡ଼ : ରାଣୀଙ୍କୁ ଦେଖିବା ପାଇଁ ୪୮ ଘଣ୍ଟାରୁ ଅଧିକ ସମୟ ଧରି ଧାଡ଼ିରେ ଛିଡ଼ା ହେଲେ ଲକ୍ଷାଧିକ ଲୋକେ

78

କନକ ବ୍ୟୁରୋ : ଗ୍ରେଟ ବ୍ରିଟେନର ରାଜ ପ୍ରାସାଦ ବଙ୍କିଙ୍ଗହାମ ପ୍ୟାଲେସରୁ ମହାରାଣୀ ଏଲିଜାବେଥ-ଦ୍ୱିତୀୟଙ୍କ ଅନ୍ତିମ ଯାତ୍ରା । ବଙ୍କିଙ୍ଗହାମ ପ୍ୟାଲେସରୁ ଏଲିଜାବେଥ ଦ୍ୱିତୀୟଙ୍କ ପାର୍ଥିବ ଶରୀରକୁ ବ୍ରିଟେନ ସଂସଦର ୱେଷ୍ଟ-ମିନିଷ୍ଟରିଆଲ ହଲକୁ ନିଆଯାଇଛି । ମହାରାଣୀଙ୍କ ଶେଷ ଦର୍ଶନ ପାଇଁ ହଜାର ହଜାର ସଂଖ୍ୟାରେ ଲୋକେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ରହିଥିଲେ । ବୁଧବାର ବ୍ରିଟେନ ସଂସଦର ୱେଷ୍ଟ-ମିନିଷ୍ଟରିଆଲ ହଲର କବାଟ ଖୋଲିବାର ୨୪ ଘଣ୍ଟା ପୂର୍ବରୁ ହିଁ ମହାରାଣୀଙ୍କୁ ଦେଖିବା ପାଇଁ ଲୋକଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା ।

ଏପରିକି କିଛି ଲୋକଙ୍କୁ ୪୮ ଘଣ୍ଟାରୁ ଅଧିକ ସମୟ ଧରି ଅପେକ୍ଷା କରିବାକୁ ପଡ଼ିଥିଲା । କିନ୍ତୁ ଲମ୍ବା ପ୍ରତୀକ୍ଷା ପାଇଁ ଲୋକଙ୍କୁ ସବୁ ସୁବିଧା ମଧ୍ୟ ଯୋଗାଇ ଦିଆଯାଇଥିଲା । କୋକ୍ ବୋତଲ ଠାରୁ ଆରମ୍ଭ କରି ଏନର୍ଜି ବାର ଓ ଘରେ ପ୍ରସ୍ତୁତ ସ୍ୟାଣ୍ଡୱିଚ ଲୋକେ ନିଜ ବ୍ୟାଗରେ ରଖି ପହଞ୍ଚିଥିଲେ । ବ୍ରିଟିଶ ଅଧିକାରୀଙ୍କ କହିବା ଅନୁସାରେ ମହାରାଣୀଙ୍କ ଅନ୍ତିମ ବିଦାୟରେ ପାଖାପାଖି ୪ଲକ୍ଷ ଲୋକେ ସାମିଲ୍ ହୋଇପାରନ୍ତି, ଯାହା ଦଶନ୍ଧି ମଧ୍ୟରେ ଐତିହାସିକ । ସେହିପରି ୭ରୁ ୧୦ ଲକ୍ଷ ଲୋକେ ମହାରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ଦେବାକୁ ପହଞ୍ଚିବେ ବୋଲି କୁହାଯାଉଛି । ୱେଷ୍ଟ-ମିନିଷ୍ଟରିଆଲ ହଲରେ ଏବେ ୪ ଦିନ ଯାଏଁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ପାର୍ଥିବ ଶରୀରକୁ ରଖାଯିବ ।

ଏହାପରେ ଆସନ୍ତା ସୋମବାର ମହାରାଣୀ ଏଲିଜାବେଥ-ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର ସଂପନ୍ନ ହେବ । ବୁଧବାର ବଙ୍କିଙ୍ଗହାମ ପ୍ୟାଲେସରୁ ମହାରାଣୀ ଏଲିଜା ବେଥ-ଦ୍ୱିତୀୟଙ୍କ ଅନ୍ତିମ ଯାତ୍ରା ବାହାରିଥିଲା । ରାଜକୀୟ ସମ୍ମାନର ସହ ମହାରାଣୀଙ୍କ ପାର୍ଥିବ ଶରୀରକୁ ଶୋଭାଯାତ୍ରାରେ ସଂସଦ ନିଆଯାଇଥିଲା । କଫିନ ଉପରେ ମହାରାଣୀଙ୍କ ମୁକୁଟ ରଖାଯାଇଥିଲା । ମହାରାଣୀଙ୍କ କଫିନ ପଛେ ପଛେ ଚାଲୁଥିଲେ କିଙ୍ଗ ଚାର୍ଲସ ତୃତୀୟ ଓ ତାଙ୍କ ଦୁଇ ପୁଅ ପ୍ରିନସ ୱିଲିୟମ ଓ ହ୍ୟାରି ସହ ରାଜପ୍ରାସାଦର କର୍ମଚାରୀ । ବଙ୍କିଙ୍ଗହାମ ପ୍ୟାଲସେରୁ ବ୍ରିଟେନ ସଂସଦର ୱେଷ୍ଟ-ମିନିଷ୍ଟରିଆଲ ହଲ ଯାଏଁ ଶବ ଶୋଭାଯାତ୍ରା ପହଞ୍ଚିବାକୁ ୩୮ ମିନିଟ ଲାଗିଥିଲା ।