ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଘରେ ମହାମୃତ୍ୟୁଞ୍ଜୟ ପାଠ କରିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ।

259

କନକ ବ୍ୟୁରୋ : ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟିକ ନେଇ ରାଜନୀତି ସରଗରମ ରହିଛି । ସୁପ୍ରିମକୋର୍ଟ ଏହି ମାମଲାର ଯାଞ୍ଚ ପାଇଁ ଏକ ତଦନ୍ତ କମିଟି ଗଠନ କରିଛନ୍ତି । ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଏହି ତଦନ୍ତ କମିଟିର ମୁଖ୍ୟ ରହିବେ ବୋଲି ସବୋର୍ଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଉଭୟ କେନ୍ଦ୍ର ଓ ରାଜ୍ୟର ତଦନ୍ତ କମିଟି ଉପରେ ରୋକ ଲଗାଇଛନ୍ତି । ତେବେ ଏସବୁ ଭିତରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି କହିଛନ୍ତି, ମୋଦୀ ଡିଟେକ୍ଟର ହେବାକୁ ଚାହୁଁଥିଲେ କିନ୍ତୁ ସୁପ୍ରିମକୋର୍ଟ ଏଥିରେ ରୋକ ଲଗାଇଛନ୍ତି ।

ଏହାସହ ଚନ୍ନି କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଲମ୍ବା ଆୟୁଷ ପାଇଁ ଆସନ୍ତାକାଲି ମହାମୃତ୍ୟୁଞ୍ଜୟ ଯଜ୍ଞ କରିବି । ୧୧ ଜଣ ପଣ୍ଡିତଙ୍କୁ ଡାକି ଏହି ମହାମୃତ୍ୟୁଞ୍ଜୟ ଯଜ୍ଞ କରିବି ବୋଲି କହିଛନ୍ତି ଚନ୍ନି । ନିଜେ ମଧ୍ୟ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରିବି । ଯଦି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କାହା ଠାରୁ ବିପଦ ଥାଏ ତେବେ ମୁଁ ତାଙ୍କ ପାଇଁ ବଗଲାମୁଖୀ ମନ୍ତ୍ର ପାଠ କରୁଛି । ଯାହାଦ୍ୱାରା ତାଙ୍କର ସ୍ୱାସ୍ଥ୍ୟ ଭଲ ରହିବ ଓ ଶତ୍ରୁ ମଧ୍ୟ ପାଖ ମାଡିବେନି ।

ଚନ୍ନି କହିଛନ୍ତି, ଦେଶରେ ଗଣତନ୍ତ୍ର ଏବେ ବି ରହିଛି । ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିବା ସହ କହିଛନ୍ତି ଏକାଥରକେ କିଭଳି କେନ୍ଦ୍ର ଦୁଇଟି କାମ କରୁଛି । ଗୋଟିଏ ପଟେ ମାମଲା ଅଦାଲତରେ ଅଛି ଆଉ ଅନ୍ୟପଟେ କେନ୍ଦ୍ର ରାଜ୍ୟକୁ କାରଣ ଦର୍ଶାଅ ନୋଟିସ କିଭଳି ପଠାଉଛି? ଯାହା ଦର୍ଶାଉଛି ଦେଶରେ ଗଣତନ୍ତ୍ର ବଞ୍ଚି ରହିଛି । ସୁପ୍ରିମକୋର୍ଟଙ୍କ ତଦନ୍ତ କମିଟି ଗଠନ ନିର୍ଦ୍ଦେଶ ପରେ ଏବେ ଏହି ମାମଲା ଟିକିଏ ଶାନ୍ତ ପଡିଛି । ଏହାପୂର୍ବରୁ ବାରମ୍ବାର ଚନ୍ନି କହି ଆସିଛନ୍ତି ଯେ, ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ କୌଣସି ତ୍ରୁଟି ହୋଇନଥିଲା ।