କୋଭିଡ୍ ଭିତରେ କେମିତି ହେବ ପଞ୍ଚାୟତ ନିର୍ବାଚନ ? ସର୍ବଦଳୀୟ ବୈଠକରେ ହେଲା ଆଲୋଚନା ।

179

କନକ ବ୍ୟୁରୋ : କୋଭିଡ୍ ଭିତରେ କେମିତି ହେବ ନିର୍ବାଚନ ? ନିର୍ବାଚନ ହେବ କି ନାହିଁ, ଏହାକୁ ନେଇ ଗାଁରେ ଉତ୍କଣ୍ଠା ବଢ଼ୁଥିବାବେଳେ, ବିଚାର ବିମର୍ଷ ଜାରି ରଖିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଆଜି ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଛନ୍ତି । ବୈଠକରେ ବିରୋଧୀ ମାନେ ନିର୍ବାଚନକୁ ଘୁଞ୍ଚାଇବାକୁ ଦାବି କରିଥିବାବେଳେ ବିଜେଡି ନିର୍ବାଚନ ସପକ୍ଷରେ ମତ ରଖିଛି । କିନ୍ତୁ ଏହା ଭିତରେ ନିର୍ବାଚନ କମିଶନ ରାଜ୍ୟପାଳଙ୍କୁ ଭେଟି ନିର୍ବାଚନ ପ୍ରସ୍ତୁତି ନେଇ ସୂଚନା ଦେଇଛନ୍ତି । ପୋଲିସ ଡିଜିଙ୍କ ସହ ଆଲୋଚନା କରିଛନ୍ତି । ନିର୍ବାଚନ କମିଶନଙ୍କ ପ୍ରସ୍ତୁତିରୁ ଜଣାପଡୁଛି ଖୁବ୍ ଶୀଘ୍ର ଘୋଷଣା ହୋଇପାରେ ନିର୍ବାଚନ ତାରିଖ ।

ପଞ୍ଚାୟତ ନିର୍ବାଚନ ଘୁଞ୍ଚାଇବାକୁ ବିରୋଧୀଙ୍କ ଦାବି । ନିର୍ବାଚନ କରିବା ସପକ୍ଷରେ ବିଜେଡିର ପ୍ରସ୍ତାବ । ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇସାରିଛି । ତାଲିକା ପ୍ରକାଶ ପାଇବା ପରେ ପଞ୍ଚାୟତ ସ୍ତରରେ ଆଶାୟୀ ପ୍ରାର୍ଥୀମାନେ ଚଳଚଞ୍ଚଳ ହୋଇଛନ୍ତି । ଏବେ ତାରିଖ ଘୋଷଣାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ହେଲେ ଏପଟେ ନିର୍ବାଚନ ଘୁଞ୍ଚାଇବାକୁ ସର୍ବଦଳୀୟ ବୈଠକରେ ଦାବି କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି ।

– କୋଭିଡ୍ ପାଇଁ ନିର୍ବାଚନକୁ ତିନି ମାସ ଘୁଞ୍ଚାଇବା ପାଇଁ ପ୍ରସ୍ତାବ ଦେଇଛି କଂଗ୍ରେସ
– ପଛୁଆବର୍ଗଙ୍କୁ ସଂରକ୍ଷଣରୁ ବାଦ ଦେବା ଓ ବିଭିନ୍ନ ଜିଲ୍ଲାରେ ଅନୁସୂଚିତ ଜନଜାତି ବର୍ଗ ଲାଗି ସଂରକ୍ଷଣ ଠିକ୍ ଭାବେ ଦିଆଯାଇନଥିବାରୁ ନିର୍ବାଚନ ସ୍ଥଗିତ ରଖିବାକୁ ଦାବି କରିଛି କଂଗ୍ରେସ
– ସେହିପରି ଓବିସିଙ୍କୁ ସଂରକ୍ଷଣରୁ ବାଦ ଦିଆଯିବା ପ୍ରସଙ୍ଗ ଉଠାଇ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ନିର୍ବାଚନ ସ୍ଥଗିତ ରଖିବାକୁ ବିଜେପି ଦାବି କରିଛି
– ପେସା ଆଇନ ଲାଗୁ ହେଉଥିବା ଜିଲ୍ଲାରେ ସରପଞ୍ଚ ଓ ସମିତି ସଭ୍ୟ ପଦବୀ ପାଇଁ ଅନୁସୂଚିତ ଜନଜାତି ବର୍ଗଙ୍କୁ ସଂରକ୍ଷଣ ଦେବାକୁ ଦାବି କରିଛି ବିଜେପି ।

ଭୋଟର ତାଲିକାରେ ତ୍ରୁଟି ସଂଶୋଧନ ଭଳି ୮ ଟି ପ୍ରସ୍ତାବ ଦେଇଛି ବିଜେପି । ତେବେ ବିଜେଡି କହିଛି, ପଞ୍ଚାୟତ ପ୍ରତିନିଧି ମାନଙ୍କ କାର୍ଯ୍ୟକାଳ ଶେଷ ହୋଇଯାଉଥିବାରୁ ତୁରନ୍ତ ନିର୍ବାଚନ ହେଉ ।

ନିର୍ବାଚନ ନେଇ ରାଜନୈତିକ ଦଳମାନଙ୍କ ସହ ଆଲୋଚନା ପରେ ରାଜ୍ୟ ନିର୍ବାଚନ କମିଶନ କହିଛନ୍ତି, ଜାତୀୟ ନିର୍ବାଚନ ଆୟୋଗ ୫ ରାଜ୍ୟର ନିର୍ବାଚନ ପାଇଁ ଯେଉଁ ଗାଇଡଲାଇନ ଆଣିଛନ୍ତି, ସେହି ଗାଇଡଲାଇନକୁ ଅନୁକରଣ କରାଯିବ ।

ସେପଟେ ପଞ୍ଚାୟତ ନିର୍ବାଚନ ବାତିଲ କରିବା ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଏହି ମାମଲାରେ ରାଜ୍ୟ ନିର୍ବାଚନ କମିଶନ, ମୁଖ୍ୟ ଶାସନ ସଚିବ, ପଞ୍ଚାୟତରାଜ, ଗୃହ ଓ ସହରାଞ୍ଚଳ ଉନ୍ନୟନ ବିଭାଗ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି ।