ପଶ୍ଚିମ ଓଡ଼ିଶାରେ ବିରୋଧ, ଦକ୍ଷିଣ ଓଡ଼ିଶାରେ ନିନ୍ଦା। ହାଇକୋର୍ଟ ବେଞ୍ଚ ଦାବିରେ ଉଭୟଙ୍କ ସ୍ୱର ଏକ।

94

କନକ ବ୍ୟୁରୋ: ଗୋଟିଏ ପଟେ ପଶ୍ଚିମ ଓଡ଼ିଶା କେନ୍ଦ୍ରୀୟ କମିଟିର ବୈଠକ, ଆଉ ଗୋଟେ ପଟେ ଗଞ୍ଜାମ ଜିଲ୍ଳା ଓକିଲ ସଂଘର ଜରୁରୀ ବୈଠକ । ଆନ୍ଦୋଳନ କଲେ ସୁପ୍ରିମକୋର୍ଟଙ୍କ ଲାଇସେନ୍ସ ସସପେଣ୍ଡ ନିର୍ଦ୍ଦେଶ ପରେ ଉଭୟ ସଂଘ ନିଜ ନିଜ ଢ଼ଙ୍ଗରେ ବୈଠକ କରି ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି । କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି, ଏକପାଖିଆ କଥା ଶୁଣି ସୁପ୍ରିମକୋର୍ଟ ଏଭଳି ନିଷ୍ପତି ନେଇଥିବା କହିଥିବା ବେଳେ ଗଞ୍ଜାମ ବାର ଆସୋସିଏସନ୍ ମଧ୍ୟ ଆଇନଜୀବୀଙ୍କ ଆନ୍ଦୋଳନ ସପକ୍ଷରେ ମତ ରଖିଛି ।

କେବଳ ସେତିକି ନୁହେଁ ଜୟପୁର ବାର ଆସୋସିଏସନ୍ ମଧ୍ୟ ଆଇନଜୀବୀଙ୍କ ଲାଇସେନ୍ସ ସସପେଣ୍ଡକୁ ନାପସନ୍ଦ କରିଛି । ତେବେ ଆସନ୍ତା ୨୦ ତାରିଖରେ ଏନେଇ ପରବର୍ତୀ ନିଷ୍ପତି ନେବ ବୋଲି ଜୟପୁର ବାର ସଂଘର ସଭାପତି ସୂଚନା ଦେଇଛନ୍ତି । କିନ୍ତୁ ଏସବୁ ଭିତରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ପଶ୍ଚିମ ଓଡ଼ିଶା ଓକିଲ ସମୂହଙ୍କ କେନ୍ଦ୍ରୀୟ କ୍ରିୟାନୁଷ୍ଟାନ କମିଟି । କମିଟିର ନିଷ୍ପତି ଅନୁସାରେ
-ଆଇନଜୀବୀଙ୍କ ଲାଇସେନ୍ସ ରଦ୍ଧ କରାଗଲେ, ଆଇନଜୀବୀ ସାମୂହିକ ଲାଇସେନ୍ସ ଫେରାଇବେ
-ଆସନ୍ତା ବୁଧବାର ଦିନ ପଶ୍ଚିମ ଓଡ଼ିଶାର ସମସ୍ତ ସରକାରୀ ଅଧିକାରୀଙ୍କ ଅଫିସ ଆଗରେ ଧାରଣା ଦେବେ
-ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ଏକପାଖିଆ ସତ୍ୟପାଠ ବିରୁଦ୍ଧରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେବେ
-ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ରଖିବା ପାଳନ କରିବା ପାଇଁ ସିଏସି ଚାପ ପକାଇବ

ପୂର୍ବରୁ ରାଜ୍ୟ ସରକାର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ଚିଠି ଲେଖିଥିଲେ । ଯାହାକୁ ନେଇ ବିଭିନ୍ନ ବାର ସଂଘର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ବଲାଙ୍ଗୀର ଓ ସୁନ୍ଦରଗଡ଼ ବାର ଆସୋସିଏସନ୍ ମଧ୍ୟ ଆଇନଜୀବୀଙ୍କ ସମର୍ଥନରେ ଥିବା କହିଛନ୍ତି । ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ ଦାବି କରୁଥିବା ରାଜ୍ୟର ବିଭିନ୍ନ ଓକିଲ ସଂଘ ଗୁଡ଼ିକ ସାମଗ୍ରିକ ଭାବରେ ସୁପ୍ରମିକୋର୍ଟଙ୍କ ନିର୍ଦ୍ଦେଶକୁ ନାପସନ୍ଦ କରିଛନ୍ତି ।